କେନ୍ଦ୍ରର ଆଦେଶ ନଥାଇ କିଭଳି ବିଲକିସ୍ ବାନୋଙ୍କ ଦୁଷ୍କର୍ମକାରୀଙ୍କୁ ମୁକ୍ତ କଲା ଗୁଜରାଟ? ନିଷ୍ପତ୍ତିକୁ ନେଇ ବିବାଦ

ଗାନ୍ଧିନଗର: ଗୁଜରାଟରେ ୨୦୦୨ରେ ଘଟିଥିବା ଗୋଧ୍ରା କାଣ୍ଡ ସମୟରେ ଦୁଷ୍କର୍ମର ଶିକାର ହୋଇଥିବା ବିଲକିସ୍ ବାନୋଙ୍କ ସମସ୍ତ ୧୧ଜଣ ଦୁଷ୍କର୍ମକାରୀଙ୍କୁ ମୁକ୍ତ କରାଯାଇଛି। ରାଜ୍ୟ କଏଦୀ ମୁକ୍ତି ନୀତି ଅନୁଯାୟୀ ୧୫ବର୍ଷ କାରାଦଣ୍ଡ ଭୋଗିବା ପରେ ଗୁଜୁରାଟ ସରକାର ସମସ୍ତ ଦୋଷୀଙ୍କୁ ମୁକ୍ତ କରିଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରାଯାଉଥିବା ବେଳେ କେନ୍ଦ୍ର ସରକାର ଏଥିପାଇଁ ଅନୁମତି ଦେଇ ନଥିବା କଥା ସାମ୍ନାକୁ ଆସିଛି।

ଉଭୟ କେନ୍ଦ୍ରରେ ଏବଂ ଗୁଜରାଟରେ ବିଜେପିର ସରକାର ରହିଛି। କିନ୍ତୁ ବିଲକିସ୍ ବାନୋ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ମୁକ୍ତ କରିବା ନେଇ ଉଭୟଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହିଥିବା ପ୍ରସଙ୍ଗ ସାମ୍ନାକୁ ଆସିଛି। କୁହାଯାଉଛି ଯେ ଏହି ଅଭିଯୁକ୍ତମାନଙ୍କୁ ମୁକ୍ତ କରିବା ସମୟରେ ରାଜ୍ୟ ସରକାର କେନ୍ଦ୍ର ସରକାର ଦେଇଥିବା ନିର୍ଦ୍ଦେଶନାମାକୁ ଅଣଦେଖା କରିଛନ୍ତି। ଦୁଷ୍କର୍ମ ବା ହତ୍ୟା ଭଳି ଜଘନ୍ୟ ଅପରାଧରେ ଜଡ଼ିତ ଥିବା ଅଭିଯୁକ୍ତଙ୍କୁ ‘ଆଜାଦୀକେ ଅମୃତ ମହୋତ୍ସବ’ ସମୟରେ ମୁକ୍ତି କରିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଦେଇ ନଥିଲେ। ଏହା ସତ୍ତ୍ବେ ଗୁଜରାଟ ସରକାର ବିଲକିସ୍ ବାନୋ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୧୧ଜଣଙ୍କୁ କେମିତି ମୁକ୍ତ କଲେ? ଏ ନେଇ ବିବାଦ ଆରମ୍ଭ ହୋଇଛି।

जेल से रिहा हुए बिलकिस बानो केस के दोषी
aajtak

 

ଚଳିତ ବର୍ଷ ଜୁନ୍ ମାସରେ ‘ଆଜାଦୀକେ ଅମୃତ ମହୋତ୍ସବ’ ଅଧୀନରେ କେନ୍ଦ୍ର ସରକାର ରାଜ୍ୟମାନଙ୍କ ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଥିଲେ। ଏହା ଅଧୀନରେ ଦୀର୍ଘ ଦିନ ଜେଲଦଣ୍ଡ ଭୋଗୁଥିବା ଅପରାଧୀଙ୍କୁ ମୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ଦୁଷ୍କର୍ମ ମାମଲାରେ ଦଣ୍ଡ ଭୋଗୁଥିବା ଅପରାଧୀଙ୍କୁ ମୁକ୍ତ କରିବାର ଏଥିରେ କୌଣସି ବ୍ୟବସ୍ଥା ନଥିଲା। ତେଣୁ ବିଲକିସ୍ ବାନୋ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଏହି ଗାଇଡଲାଇନ ଅନୁଯାୟୀ ମୁକ୍ତ କରାଯାଇପାରିବ ନାହିଁ। କିନ୍ତୁ ଏହି ମାମଲାରେ ଗୁଜୁରାଟ ସରକାର ନିଜ ନୀତି ଅନୁସରଣ କରି କ୍ଷମା ପ୍ରାର୍ଥନା ଆବେଦନ ଉପରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ସେମାନଙ୍କୁ ଜେଲରୁ ମୁକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୨୭, ୨୦୦୨ରେ, ସାବରମତି ଏକ୍ସପ୍ରେସର ଏକ କୋଚକୁ ଗୁଜରାଟର ଗୋଧ୍ରା ଷ୍ଟେସନରେ ଜାଳି ଦିଆଯାଇଥିଲା। ଏହି ଟ୍ରେନରେ କରସେବକମାନେ ଅଯୋଧ୍ୟାରୁ ଫେରୁଥିବାରୁ କୋଚରେ ବସିଥିବା ୫୯କରସେବକଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଗୁଜରାଟରେ ଦଙ୍ଗା ଆରମ୍ଭ ହୋଇଥିଲା। ଦଙ୍ଗାରୁ ରକ୍ଷା ପାଇବା ପାଇଁ ବିଲକିସ୍ ବାନୋ ତାଙ୍କ ଝିଅ ଏବଂ ପରିବାର ସହିତ ଗାଁ ଛାଡିଥିଲେ। ମାର୍ଚ୍ଚ ୩,  ୨୦୦୨ରେ ୨୦-୩୦ ଜଣ ଲୋକ ସେ ଲୁଚିିଥିବା ସ୍ଥାନରେ ଆକ୍ରମଣ କରିଥିଲେ। ଏହି ସମୟରେ ବିଲକିସ ବାନୋ ୫ମାସର ଗର୍ଭବତୀ ଥିବା ଜାଣି ବି ୧୧ଜଣ ଅଭିଯୁକ୍ତ ବିଲକିସ୍ ବାନୋଙ୍କୁ ଦୁଷ୍କର୍ମ କରିଥିଲେ। କେବଳ ଏତିକି ନୁହେଁ, ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଅବଶିଷ୍ଟ ୬ଜଣ ସଦସ୍ୟ ସେଠାରୁ ପଳାୟନ କରିଥିଲେ।

ସମ୍ବନ୍ଧିତ ଖବର