ବିଲ୍‌-ଗେଟ୍‌ସଙ୍କ-ପାଇଖାନା:ନୂଆ ପ୍ରଯୁକ୍ତି ବ୍ୟବହାର ପାଇଁ ପରାମର୍ଶ

ସଞ୍ଚୟ ହେବ ୧୭ ଲକ୍ଷ କୋଟି O୫ ଲକ୍ଷ ଜୀବନ ରକ୍ଷା ପାଇବ

ବେଜିଂ: ବିଶ୍ବର ଅଗ୍ରଣୀ ଆଇଟି କମ୍ପାନି ମାଇକ୍ରୋସଫ୍ଟ କ‌ର୍ପୋରେସନ୍‌ର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଉନ୍ନତ ତଥା ସ୍ବାସ୍ଥ୍ୟକର ପାଇଖାନା ବାବଦରେ ମହତ୍ତ୍ବପୂର୍ଣ୍ଣ ମନ୍ତ୍ର ଦେଇଛନ୍ତି। ଉନ୍ନତ ପାଇଖାନା ପ୍ରଯୁକ୍ତି ବ୍ୟବହାର ଦ୍ବାରା ଲୋକମାନେ ସ୍ବାସ୍ଥ୍ୟପ୍ରଦ ଜୀବନ ବଞ୍ଚିପାରିବେ। ଏହାଦ୍ବାରା ୨୩,୩୦୦ କୋଟି ଡଲାର (ପାଖାପାଖି ୧୭ ଲକ୍ଷ କୋଟି ଟଙ୍କା‌) ମଧ୍ୟ ସଞ୍ଚୟ ହୋଇପାରିବ। ଅନ୍ୟପକ୍ଷରେ କମ୍ପାନିଗୁଡ଼ିକ ପାଇଁ ଏ କ୍ଷେତ୍ରରେ ବିପୁଳ ନିବେଶ ସୁଯୋଗ ରହିଛି ବୋଲି ଗେଟ୍‌ସ କହିଛନ୍ତି।
ବେଜିଂ‌ରେ ଅନୁଷ୍ଠିତ ‘ରିଇନ୍‌ଭେଣ୍ଟେଡ୍‌ ଟଏଲେଟ୍‌ ଏକ୍ସପୋ’ରେ ଯୋଗଦେବା ଅବସରରେ ବିଶ୍ବର ଏହି ଅନ୍ୟତମ ଶ୍ରେଷ୍ଠ ଧନୀ ଚୀନ୍‌ ଓ ଅନ୍ୟ ରାଷ୍ଟ୍ରର ନିବେଶକମାନଙ୍କୁ ଟଏଲେଟ୍‌ ଟେକ୍ନୋଲୋଜିର ଫାଇଦା ସମ୍ପର୍କରେ ବୁଝାଇଛନ୍ତି। ସେ କହିଛନ୍ତି, ଅଧିକାଂଶ ରାଷ୍ଟ୍ରରେ ଆବଶ୍ୟକ ସଂଖ୍ୟକ ପାଇଖାନା ନଥିବାରୁ ଲୋକମାନେ ବିଭିନ୍ନ ଦୁରାରୋଗର ଶିକାର ହେଉଛନ୍ତି। ଯେଉଁ ରାଷ୍ଟ୍ରରେ ଅଧିକ ସଂଖ୍ୟକ ପାଇଖାନା ରହିଛି, ସେଠାରେ ସ୍ବଚ୍ଛତା ଦେଖିବାକୁ ମିଳୁନାହିଁ। ଅର୍ଥାତ୍ ପାଇଖାନା ବ୍ୟବହାର ଦିଗରେ ଏବେ ବି ଆମେ ପଛେଇ ଯାଇଛେ। କେବଳ ପାଇଖାନା ବ୍ୟବହାର କଲେ ଚଳିବ ନାହିଁ, ଉନ୍ନତ ଟେକ୍ନୋଲୋଜି ସହିତ ପାଇଖାନା ବ୍ୟବହାର କରିବା ଆବଶ୍ୟକ। ମଣିଷ ମଳକୁ କିଭଳି ପ୍ରକ୍ରିୟା‌ କରାଯାଇ ଏଥିରୁ ଉପକାରୀ ସାରାଂଶ ବାହାର କରାଯାଇ ପାରିବ ସେ ଦିଗରେ ଧ୍ୟା‌ନ ଦିଆଯିବା ଜରୁରୀ। ମଳକୁ ପରିଷ୍କାର ପାଣି ଓ ସାରରେ ପରିଣତ କରାଯାଇ ପାରିବ। ଟେକ୍ନୋଲୋଜି ଦ୍ବାରା କ୍ଷତିକାରକ ଉପାଦାନକୁ ନଷ୍ଟ କରାଯାଇ ପାରିବ। ଏହାଦ୍ବାରା ୫ ଲକ୍ଷ ଶିଶୁଙ୍କ ଜୀବନ ରକ୍ଷା କରାଯାଇ ପାରିବ। ସେହିଭଳି ହଇଜା ଓ ଅନ୍ୟ ସଂକ୍ରମିତ ରୋଗଜନିତ ଖର୍ଚ୍ଚ ବାବଦରେ ୧୭ ଲକ୍ଷ କୋଟି ଟଙ୍କା ସଞ୍ଚୟ ମଧ୍ୟ କରାଯାଇ ପାରିବ ବୋଲି ଗେଟ୍‌ସ ଦର୍ଶାଇଛନ୍ତି। ତାଙ୍କ କହିବାନୁଯାୟୀ ପରିମଳ ବ୍ୟବସ୍ଥାରେ ୧ ଡଲାର ଖର୍ଚ୍ଚ କରାଯିବା ଦ୍ବାରା ବିଶ୍ବ ଅର୍ଥନୀତିକୁ ୫.୫୦ ଡଲାରର ଫାଇଦା ହେବ। ନବୀକୃତ ପାଇଖାନା ବ୍ୟବସାୟରେ ପୁଞ୍ଜି ବିନିଯୋଗ ପାଇଁ ବିପୁଳ ସୁଯୋଗ ରହିଛି। ୨୦୩୦ ସୁଦ୍ଧା ଏହି ବଜାରରେ ବର୍ଷକୁ ୬୦୦ କୋଟି ଡଲାର ଆୟ କରାଯାଇ ପାରିବ ବୋଲି ବିଲ୍‌ ଗେଟ୍‌ସ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର