ଦେଢ ମାସରେ ନୂଆ କରୋନା ଭୁତାଣୁ ପାଇଁ ଟିକା ପ୍ରସ୍ତୁତ କରିପାରିବୁ : ଜର୍ମାନ ଟିକା କମ୍ପାନି

ନୂଆଦିଲ୍ଲୀ : ନୂଆ ପ୍ରକାରର କରୋନା ଭୁତାଣୁ ସାରା ବିଶ୍ବରେ ପୁଣି ଥରେ ଆତଙ୍କ ସୃଷ୍ଟି କରିଥିବାବେଳେ ଜର୍ମାନିର ବାୟୋଟେକନଲୋଜୀ କମ୍ପାନି ବାୟୋଏନଟେକ୍ ଏକ ଆଶ୍ବସ୍ତିଭରା କଥା କହିଛି । କମ୍ପାନି କହିଛି ଏହା ମାତ୍ର ୬ ସପ୍ତାହ ମଧ୍ୟରେ ନୂଆ ଭାଇରସ ପାଇଁ ଟିକା ବାହାର କରିପାରିବ ।

କମ୍ପାନିର ପ୍ରତିଷ୍ଠାତା ଉଗୁର ସାହିନ କହିଛନ୍ତି ଯେ ତାଙ୍କ କମ୍ପାନି ୬ ସପ୍ତାହ ମଧ୍ୟରେ ନୂଆ ଟିକା ବିକଶିତ କରିପାରିବ, ଯାହାକି କରୋନା ଭୁତାଣୁର ସବୁ ପ୍ରକାରର ପରିବର୍ତ୍ତିତ ପ୍ରଜାତିକୁ ରୋକିବାକୁ ସକ୍ଷମ ହେବ । ସେ କହିଛନ୍ତି ଯେ ପୁରୁଣା କରୋନା ଭୁତାଣୁର ପ୍ରୋଟିନ ଓ ବ୍ରିଟେନରେ ଦେଖାଯାଇଥିବା ନୂଆ ଭୁତାଣୁର ପ୍ରୋଟିନ ମଧ୍ୟରେ ୯୯ ପ୍ରତିଶତ ସମାନତା ରହିଛି । ଏଣୁ ଫାଇଜର ସହ ମିଶି କମ୍ପାନି ତିଆରି କରିଥିବା ଟିକା ନୂଆ ଭୁତାଣୁ ପାଇଁ ବି ଫଳପ୍ରଦ ହେବ, କାରଣ ଏହି ଟିକାରେ ପ୍ରାୟ ୧୦୦୦ ପ୍ରକାରର ଆମିନୋ ଏସିଡ ରହିଛି । ସେ କହିଛନ୍ତି ଯେ ନୂଆ ଭୁତାଣୁ ଉପରେ କମ୍ପାନି ପରୀକ୍ଷଣ ଜାରି ରଖିଛି । ଏହି ପରୀକ୍ଷଣ ପରେ ହିଁ ଏହି ଭୁତାଣୁ ଉପରେ ଟିକାଟି କେତେ ଫଳପ୍ରଦ ହେବ ତାହା ପ୍ରମାଣ ସହ କହିହେବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଲଣ୍ଡନରେ କରୋନା ଭାଇରସର ନୂଆ ପ୍ରକାର ଚିହ୍ନଟ ହେବା ପରେ ବ୍ରିଟିଶ ସରକାର ଦକ୍ଷିଣ ଓ ପୂର୍ବ ଇଂଲାଣ୍ଡରେ କଟକଣା ଲଗାଇଛନ୍ତି । ଭାରତ ସମେତ ୪୦ଟି ଦେଶ ବ୍ରିଟେନକୁ ଫ୍ଲାଇଟ ରଦ୍ଦ କରିଦେଇଛନ୍ତି ।

ସମ୍ବନ୍ଧିତ ଖବର