କେନ୍ଦ୍ରମନ୍ତ୍ରୀ ପୀୟୂଷଙ୍କୁ ଭେଟିଲେ ବିଜେଡିର ସାଂସଦ, ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉ

ନୂଆଦିଲ୍ଲୀ : ବିଜୁ ଜନତା ଦଳ(ବିଜେଡି)ର ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ମଣ୍ଡିରେ ପଡ଼ିଥିବା ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଓ ଚାଷୀମାନଙ୍କୁ ବକେୟା ସବ୍‌ସିଡି ପ୍ରଦାନ କରିବା ଦାବିରେ ଆଜ କେନ୍ଦ୍ର ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋଏଲ୍‌ଙ୍କୁ ଭେଟିଛନ୍ତି। ସେମାନେ ଚାଷୀଙ୍କ ସମସ୍ୟା ଉପସ୍ଥାପନ କରିବା ସହ ଧାନ ସଂଗ୍ରହ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ସ୍ମାରକପତ୍ର ଦେଇଛନ୍ତି। ଓଡ଼ିଶାର ଦାବି ପୂରଣ ପାଇଁ ପଦକ୍ଷେପ ନେ‌ବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ସ୍ମାରକପତ୍ରରେ କୁହାଯାଇଛି ‌ଯେ ବକେୟା ସବ୍‌ସିଡି ରିଲିଜ୍‌ରେ ବିଳମ୍ବ ହୋଇଥିବାରୁ ରାଜ୍ୟକୁ ଆଜିପର୍ଯ୍ୟନ୍ତ ୧୭୨୧.୧୬ କୋଟି ଟଙ୍କାର କ୍ଷତି ହୋଇଛି। ଚାଉଲ ଉଠାଣ ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏଫ୍‌ସିଆଇ ଦ୍ବାରା ୩୦ ଲକ୍ଷ ମିଲିୟନଟନ୍ ବଳକା ଚାଉଳ ରାଜ୍ୟରୁ ଉଠାଇବାର ଆକଳନ କରାଯାଉଥିବା ବେଳେ ଚଳିତ ମାସ ୧୩ ତାରିଖ ସୁଦ୍ଧା ଏଫ୍‌ସିଆଇ ୬.୬୫ ଲକ୍ଷ ମିଲିୟନଟନ୍ ଚାଉଳ ଉଠାଇଛି। ଚାଉଳ ଉଠାଣ ଠିକ୍ ସମୟରେ ନ ହୋଇପାରିଲେ ୭.୨ ଲକ୍ଷ ମିଲିୟନଟନ୍‌ର ଷ୍ଟୋରେଜ କ୍ଷମତା ଓଭର ଫ୍ଲୋ ହେବ ତଥା ଚାଉଳ ରଖିବାର ସୁବିଧା ଓ ସ୍ଥାନ ମିଳିବ ନାହିଁ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି। ଏନ୍‌ଏଫ୍‌ଏସ୍‌ଏ ଓ ଏସ୍ଏଫ୍ଏସ୍ଏସ୍ ଅନ୍ତର୍ଗତ ଲୋକମାନଙ୍କୁ ଏହି ଚାଉଳ ଯୋଗାଇବା ଅନୈତିକ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏକ ଲକ୍ଷ ମିଲିୟନ ଚାଉଳର ଗୁଣବତ୍ତା ବିଗିଡିବାର ଅର୍ଥ ହେଉଛି ୩୨୦ କୋଟି ଟଙ୍କାର କ୍ଷତି। ଏଫ୍‌ସିଆର କେବଳ ୧୭ ଲକ୍ଷ ମିଲିୟନଟନ୍‌ ଚାଉଳ ଉଠାଇବ ଆଉ ୧୩ ଲକ୍ଷ ମିଲିୟନଟନ୍ ରାଜ୍ୟ ପାଖରେ ପଡିରହିବ। ଏହାର ଅର୍ଥ ହେଉଛି ରାଜ୍ୟକୁ ୪୧୬୦ କୋଟି ଟଙ୍କାର କ୍ଷତି ହେବ ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର