ଗୁଜରାଟ୍‌, ହିମାଚଳ ପ୍ରଦେଶରେ ପଦ୍ମଫୁଲର ମହକ

ଭୁବନେଶ୍ୱର : ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ଆଜି ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ଦିନ ସାଢ଼େ ୧୨ଟା ସୁଦ୍ଧା ଭୋଟ୍‌ ଗଣତିର ଫଳାଫଳ ସ୍ପଷ୍ଟ କରିଛି ଯେ ଉଭୟ ଗୁଜରାଟ୍‌ ଓ ହିମାଚଳ ପ୍ରଦେଶରେ ବିଜେପି ଜିତିବା ସହିତ ପଦ୍ମ ଫୁଲର ମହକରେ ଉଭୟ ରାଜ୍ୟ ମହକିତ ହେବ।

ଗୁଜରାଟ୍‌ରେ ଭାରତୀୟ ଜନତା ପାର୍ଟି- କଂଗ୍ରେସ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ସୁଦ୍ଧା କଡ଼ା ଟକ୍କର ଥିଲା। ମାତ୍ର ଭୋଟ୍‌ ଗଣତି ଆଗେଇବା ସହିତ ବିଜେପି ମଧ୍ୟ ଗୁଜରାଟ୍‌ରେ ପୁଣି ଥରେ ସରକାର ଗଠନ କରିବା ଦିଗରେ ଅଗ୍ରସର ହୋଇଛି। ଗୁଜରାଟ୍‌ ୧୮୨ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ୨ଟି ଆସନରେ ବିଜୟୀ ହୋଇଥିବା ବେଳେ ୧୦୩ ଆସନ୍‌ରେ ଆଗେଇଛି। ତେବେ ୨୦୧୨ ନିର୍ବାଚନ ତୁଳନାରେ ବିଜେପି ୧୧ଟି ଆସନ କମ୍‌ ପାଉଥିବା ଭୋଟ୍‌ ଗଣତିରୁ ମିଳିଥିବା ସୂଚନାରୁ ଜଣାପଡ଼ୁଛି। ସେହିପରି ୨୦୧୨ ତୁଳନାରେ କଂଗ୍ରେସ ଅପେକ୍ଷାକୃତ ଭଲ କରିଥିଲେ ମଧ୍ୟ ନରେନ୍ଦ୍ର ମୋଦିଙ୍କ ବିଜୟ ତରଙ୍ଗକୁ ରୋକିବାରେ ସଫଳ ହୋଇ ପାରି ନାହିଁ। ଗୁଜରାଟ୍‌ରେ କଂଗ୍ରେସ ୭୩ଟି ଆସନରେ ଆଗେଇଛି। ଦକ୍ଷିଣ ଗୁଜରାଟର ୩୫ଟି ଆସନ ମଧ୍ୟରୁ ବିଜେପି ୨୨ଟି ଓ କଂଗ୍ରେସ ଦଳ ୧୨ଟି ଆସନରେ ଆଗେଇଛି।

ଗୁଜରାଟ ନିର୍ବାଚନ ଫଳାଫଳ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଷ୍ଠା ବାଜିରେ ଲାଗିଥିଲା। ଏହି ନିର୍ବାଚନକୁ ୨୦୧୯ ସାଧାରଣ ନିର୍ବାଚନ ସହିତ ଯୋଡ଼ି ରାଜନୈତିକ ବିଶ୍ଳେଷକ ମାନେ ତର୍ଜମା କରୁଥିବାରୁ ବିଜେପି ନିର୍ବାଚନ ଫଳାଫଳକୁ ବେଶ୍‌ ଗୁରୁତ୍ୱ ଦେଇଛି। ତେବେ ଭୋଟ୍‌ ଗଣନାର ପଳାଫଳ ସମ୍ପୂର୍ଣ୍ଣ ମିଳି ନ ଥିବା ବେଳେ ଯେଉଁ ଟ୍ରେଣ୍ଡ ଦେଖା ଦେଇଛି ତାକୁ ନେଇ ବିଜେପିରେ ଉତ୍ସାହ ପରିଲକ୍ଷିତ ହୋଇଛି।
ଅପରପକ୍ଷେ ରାହୁଲ ଗାନ୍ଧୀ ଗୁଜରାଟ ରାଜ୍ୟର ଛୋଟ ଛୋଟ ସଙ୍ଗଠନ ସହିତ ଆସନ ବୁଝାବଣା କରିଥିଲେ। ପାଟିଦାର, କୃଷକମାନଙ୍କୁ ସାଙ୍ଗରେ ନେଇ ସେ ଏଥର ବିଜେପିକୁ ଗୁଜୁରାଟ୍‌ରେ ଚେକ୍‌ ଦେବେ ବୋଲିି ଯୋଜନା କରିଥିଲେ। ମାତ୍ର ଏଥିରେ ସେ ସଫଳ ହୋଇ ପାରି ନାହାଁନ୍ତି। ଯଦିଓ କଂଗ୍ରେସର ସିଟ୍‌ ସଂଖ୍ୟା ବଢ଼ୁଥିବା ଭୋଟ୍‌ ଗଣନାରୁ ଜଣାପଡ଼ିଛି, ମାତ୍ର ଏହା ସରକାର ଗଠନ କରିବା ଦିଗରେ ସହାୟକ ହୋଇ ପାରିବ ନାହିଁ।

ସେହିପରି ହିମାଚଳ ପ୍ରଦେଶରେ ୬୮ଟି ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଭୋଟ୍‌ ଗଣତି ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି। ଏଠାରେ ଭାରତୀୟ ଜନତା ପାର୍ଟି ବିରାଟ ବିଜୟ ଆଡକୁ ଅଗ୍ରସର ହୋଇଛି। ଦଳ ୬୮ ବିଧାନସଭା ଆସନ ବିଶିଷ୍ଟ ହିମାଚଳ ପ୍ରଦେଶରେ ୪୫ଟି ସିଟରେ ଆଗୁଆ ରହିଛି। କ୍ଷମତାସୀନ କଂଗ୍ରେସ ଦଳର ସିଟ୍‌ ସଂଖ୍ୟା ୨୦କୁ ଖସି ଆସିଛି। ଗୁଜୁରାଟ୍‌ ଓ ହିମାଚଳ ପ୍ରଦେଶରେ କ୍ଷମତାସୀନ ହେବା ପରେ ବିଜପି ଓ ତାର ଏନଡିଏ ସହଯୋଗୀ ମାନେ ଦେଶର ୧୯ଟି ରାଜ୍ୟରେ ସେମାନଙ୍କ ସରକାର ଗଠନ କରିବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର