ଶିବସେନା ସହ ବିଚିତ୍ର ସମ୍ପର୍କ ନେଇ ଗୀତ ଗାଇଲେ ବିଜେପି ମନ୍ତ୍ରୀ

ଏନ୍‌ସିପିର କଟାକ୍ଷ, ‘ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି’

ମୁମ୍ବାଇ : ମହାରାଷ୍ଟ୍ରରେ ସରକାର ଗଠନ ନେଇ ଶିବସେନା- ବିଜେପି ମଧ୍ୟରେ ଛକାପଂଝା ଜାରି ରହିଥିବା ବେଳେ ଆଜି ଜଣେ ବିଜେପି ମନ୍ତ୍ରୀ ଏହି ପରିପ୍ରେକ୍ଷୀରେ ଉଭୟ ଦଳ ମଧ୍ୟରେ ଥିବା ବିଚିତ୍ର ସମ୍ପର୍କକୁ ନେଇ ଏକ ଗୀତ ଗାଇଛନ୍ତି। ଅର୍ଥ ମନ୍ତ୍ରୀ ସୁଧୀର ମୁଙ୍ଗତିୱାର କହିଛନ୍ତି, ବିଜେପି-ଶିବସେନା ଏବଂ ଅନ୍ୟ ଦଳମାନଙ୍କର ମହାମେଣ୍ଟ ରାଜ୍ୟରେ ସରକାର ଗଠନ କରିବ। ବିଜେପି -ଶିବସେନା ମଧ୍ୟରେ ଥିବା ସମ୍ପର୍କକୁ ନେଇ ୧୯୮୧ ମସିହାର ହିନ୍ଦୀ ରୋମାଣ୍ଟିକ୍‌ ଫିଲ୍ମ ‘ଏକ ଦୁଜେ କେ ଲିୟେ’ର ଗୀତ ଗାଇଛନ୍ତି। ବିଜେପି ମନ୍ତ୍ରୀ ଗାଇଥିବା ଏହି ଗୀତଟି ହେଉଛି ‘ତେରେ ମେରେ ବିଚ୍‌ ମେ କୈସା ହେ ୟେ ବନ୍ଧନ ଅନ୍‌ଜାନ, ମୈନେ ନେହି ଜାନା, ତୁନେ ନେହି ଜାନା ’ ଅର୍ଥାତ୍‌ ଆମ ଦୁଇ ଜଣଙ୍କ ଭିତରେ କିଭଳି ଏହି ବନ୍ଧନ, ମୁଁ ଏ ବିଷୟରେ କିଛି ଜାଣିନି, ତୁମେ ବି କିଛି ଜାଣିନାହଁ।

ଏନ୍‌ସିପିର କଟାକ୍ଷ, ‘ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି’

ମୁମ୍ବାଇ : ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପି ଏବଂ ଶିବସେନା ମଧ୍ୟରେ ବୁଝାମଣା ହୋଇପାରୁନାହିଁ। ବିଜେପି ଶିବସେନା ମଧ୍ୟରେ କ୍ଷମତା ସଂଘର୍ଷ ଦିନକୁ ଦିନ ଜଟିଳ‌ ହେଉଥିବା ବେଳେ ଏନ୍‌ସିପି ମୁଖପାତ୍ର କ୍ଲାଇଡ୍‌ କ୍ରାଷ୍ଟୋ ଏହାକୁ ନେଇ କଟାକ୍ଷ କରି ଆଜି ଏକ କାର୍ଟୁନ୍‌ ଜାରି କରିଛନ୍ତି। ଏହି କାର୍ଟୁନ୍‌ଟିରେ ଶିବସେନାର ଦଳୀୟ ଚିହ୍ନ ‘ଧନୁ ଏବଂ ତୀର’ ବିଜେପିର ଦଳୀୟ ଚିହ୍ନ ପଦ୍ମ ଉପରେ ଝୁଲୁ ଥିବା ଦେଖିବାକୁ ମିଳିଛି। ଏହି କାର୍ଟୁନ୍‌ଟିରେ ମରାଠିରେ ଏକ ବାକ୍ୟ ଲେଖାଯାଇଛି ଏବଂ ତାହାର ଓଡ଼ିଆ ଅର୍ଥ ହେଉଛି, ‘ଏକ ପ୍ରବାଦ ରହିଛି-ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି।

ସମ୍ବନ୍ଧିତ ଖବର