ରାଫେଲ୍‌ ଚୁକ୍ତି ପ୍ରସଙ୍ଗରେ ବିଜେପିକୁ ଚେତାବନୀ ଦେଲେ ଶିବସେନାର ମୁଖ୍ୟ ଉଦ୍ଧବ ଠାକରେ

ମୁମ୍ବାଇ: ଏନଡିଏର ପ୍ରମୁଖ ସହଯୋଗୀ ଦଳ ଶିବସେନାର ମୁଖ୍ୟ ଉଦ୍ଧବ ଠାକରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ରାଫେଲ୍‌ ଚୁକ୍ତି ପ୍ରସଙ୍ଗରେ କମ୍‌ କହିବାକୁ ପରାମର୍ଶ ଦେଇଛନ୍ତି। ଉଦ୍ଧବ ଠାକରେ ବିଜେପିକୁ ଚେତାବନୀ ଦେଇଛନ୍ତି ଯେ ଏହି ପ୍ରସଙ୍ଗରେ ଅନାବଶ୍ୟକ ଟିପ୍ପଣୀ ଦେବା ଫଳରେ ଦଳ ଅଡ଼ୁଆରେ ପଡ଼ିପାରେ। ଉଦ୍ଧବ ଠାକ୍‌ରେ କହିଛନ୍ତି ଯେ ରାଫେଲ୍‌ ପ୍ରସଙ୍ଗରେ ବିଜେପି ଯଥା ସମ୍ଭବ ସଂଯମତା ଓ ସହିଷ୍ଣୁତାର ସହ କଥା ହେବା ଆବଶ୍ୟକ। ସେ କହିଛନ୍ତି ଯେ ପ୍ରତିରକ୍ଷା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଜେପି ନେତାମାନେ ରାଫେଲ ପ୍ରସଙ୍ଗରେ ମନଇଚ୍ଛା କଥା କହୁଛନ୍ତି। ଏହାଫଳରେ ବିଜେପିର ଅଡୁଆ ବଢିପାରେ ବୋଲି ମଧ୍ୟ ସେ କହିଛନ୍ତି।

ଶିବସେନା ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନୀ ସଭାକୁ ଇଲେକ୍ଟ୍ରୋନିକ୍‌ ମିଡିଆରେ ମିଳୁଥିବା ପ୍ରସାରଣ ଉପରେ ଯଦି ବିଜେପି ସନ୍ତୁଷ୍ଟ ଥାଆନ୍ତା, ତେବେ ନମୋ ଟିଭି ଉପରେ ନିଷେଧାଜ୍ଞା ଜାରି ହେବା କଥା ଆଦୌ ଉଠିନଥାନ୍ତା। କଂଗ୍ରେସ ରାଫେଲ ଚୁକ୍ତିକୁ ନେଇ ଦୁର୍ନୀତ ହୋଇଛି ବୋଲି ବାରମ୍ବାର ଅଭିଯୋଗ କରି ଆସୁଥିବା ହେତୁ ବିଜେପି ଏହାର ବିରୋଧ କରିବାବେଳେ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ ବୋଲି ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ କହିଛନ୍ତି।

 

ସମ୍ବନ୍ଧିତ ଖବର