ମୁମ୍ବାଇକୁ କରୋନା ବିରୋଧୀ ଲଢେଇ ପାଇଁ ପ୍ରସ୍ତୁତ କରିଥିଲେ, କିନ୍ତୁ ନିଜେ କରୋନାଠାରୁ ହାରିଗଲେ

ମୁମ୍ବାଇ : ଦେଶରେ ମହାରାଷ୍ଟ୍ର ସବୁଠାରୁ ଅଧିକ କରୋନା ଦ୍ୱାରା ପ୍ରଭାବିତ ରାଜ୍ୟ ହୋଇଛି । ରାଜ୍ୟର ମୋଟ ସଂକ୍ରମଣ ସଂଖ୍ୟା ୮୮ ହଜାର ଟପିଯାଇଛି । ମହାରାଷ୍ଟ୍ରରେ ସବୁଠାରୁ ଅଧିକ ପ୍ରଭାବିତ ରହିଛି ମୁମ୍ବାଇ । ମୁମ୍ବାଇରେ ଏବେ କରୋନା ସଂକ୍ରମିତ ସଂଖ୍ୟା ୫୦ ହଜାର ଟପିଯାଇଛି । କିନ୍ତୁ ଏହି ବିପଦ ମଧ୍ୟରେ ମୁମ୍ବାଇକୁ କରୋନା ବିରୋଧୀ ଲଢେଇପାଇଁ ପ୍ରସ୍ତୁତ କରିଥିବା ଜଣେ ସରକାରୀ ଅଧିକାରୀ କିନ୍ତୁ ଶେଷରେ କରୋନାଠାରୁ ହାରି ଯାଇଛନ୍ତି ।
ତାଙ୍କ ନାଁ ହେଉଛି ସିରିଶ ଦିକ୍ଷିତ । ସେ ହେଉଛନ୍ତି ମୁମ୍ବାଇର ଡେପୁଟୀ କମିଶନର । କରୋନା ସଂକ୍ରମିତ ହୋଇ ଆଜି ତାଙ୍କର ମାତ୍ର ୫୧ ବର୍ଷ ବୟସରେ ମୃତ୍ୟୁ ହୋଇଛି ।
ମୁମ୍ବାଇକୁ କରୋନା ବିରୋଧୀ ଲଢେଇପାଇଁ ସେ ରାତିଦିନ ଉଦ୍ୟମ କରିଚାଲିଥିଲେ । ଏହି ମହାନଗରୀର ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଥିବା ସ୍ୱତନ୍ତ୍ର କୋଭିଡ ଡାକ୍ତରଖାନା, ସଂଗରୋଧ କେନ୍ଦ୍ର ଆଦିର ନିର୍ମାଣ ତାଙ୍କ ନେତୃତ୍ୱରେ ହିଁ କରାଯାଇଥିଲା ।
କିଛିଦିନ ପୂର୍ବେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଗତ ସୋମବାରଦିନ ତାଙ୍କ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କ ପରିବାର ଲୋକ ତୁରନ୍ତ ଆମ୍ବୁଲାନ୍ସ ଡକାଇଥିଲେ । କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର