ବିଏମ୍‌ଡବ୍ଲ୍ୟୁ ସହ ପିଟିହେଲା ସାଇକେଲ୍‌:୭୦୦ ଟଙ୍କା ନେଲେ କାର ମାଲିକ

ମୋହାଲି: ପଞ୍ଜାବର ମୋହାଲି ସହରରେ ଏକ ବିଏମ୍‌ଡବ୍ଲ୍ୟୁ କାର୍‌ ସହ ସାଇକେଲ୍‌ ଧକ୍କା ହେବା ପରେ ସାଇକେଲ୍‌ ଚାଳକଙ୍କୁ ୭୦୦ ଟଙ୍କା ହରାଇବାକୁ ପଡ଼ିଛି। କୋଟିପତି କାର୍‌ ମାଲିକ ଜବରଦସ୍ତ ତାଙ୍କୁ ଧକ୍କା ମାରି ପେଲାଠେଲା କରିବା ପରେ ୭୦୦ ଟଙ୍କା ଛଡ଼ାଇ ନେଇଛନ୍ତି। ଏହି ଘଟଣା ସହରରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସହରର ଡେରାବାସି‌ରେ ଏହି ଘଟଣା ଅକ୍ଟୋବର ୩ ତାରିଖରେ ଘଟିଥିଲା ବେଳେ ସାଇକେଲ୍‌ ଚାଳକ ଥାନାରେ ଏତଲା ଦେବା ପରେ ଏହା ଲୋକଲୋଚନକୁ ଆସିଛି।
ପୁଲିସ ସୂତ୍ରରୁ ଜଣାଯାଇଛି ‌ଯେ ଡେରାବାସି ଅନ୍ତର୍ଗତ ଗୋଲୋମାଜ୍ରା ଗ୍ରାମ ନିବାସୀ ପ୍ରଦୀପ କୁମାର (୩୨) ଅକ୍ଟୋବର ୩ରେ ନିଜ ସାଇକେଲ୍‌ରେ ମୁବାରକପୁର ଆଡ଼କୁ ଯାଉଥିଲେ। ଘାଗର ବ୍ରିଜ୍‌ ନିକଟରେ ହୋଇଥିବା ବେଳେ ଏକ ବିଏମ୍‌ଡବ୍ଲ୍ୟୁ କାର୍‌ (ନମ୍ବର ସିଏଚ୍‌-୦୪-ବି-୭୭୭୮) ଆସି ଧକ୍କା ଦେଇଥିଲା। ଏହାଦ୍ବାରା କାର୍‌ରେ ସାମାନ୍ୟ ଦାଗ ସୃଷ୍ଟି ହୋଇଥିଲା। ଏହାପରେ ଚଣ୍ଡିଗଡ଼ ନିବାସୀ କାର୍‌ ମାଲିକ ଏନ୍ନାଇତେ ଅଗ୍ରୱାଲ୍‌ ଉତ୍‌କ୍ଷିପ୍ତ ହୋଇ କାର୍‌ରୁ ଓହ୍ଲାଇଥିଲେ। ସାଇକେଲ୍‌ ଚାଳକ ପ୍ରଦୀପଙ୍କୁ ମନଇଚ୍ଛା ଗାଳି କରିବା ସହିତ ଧକ୍କା ମାରିଥିଲେ। ଏହାପରେ ତାଙ୍କ ପକେଟ୍‌ରୁ ୭୦୦ ଟଙ୍କା ନେଇଯାଇଥିଲେ। ଏମିତି କି ତାଙ୍କ ହାତଘଣ୍ଟାକୁ ମଧ୍ୟ ଛଡ଼ାଇ ନେଇଯାଇଥିଲେ। ଏହି ସମୟରେ ଅନ୍ୟ ଏକ କାର୍‌ରେ ଯାଉଥିବା ଦୁଇଜଣ ବ୍ୟକ୍ତି ଘଟଣାସ୍ଥଳରେ ଗାଡ଼ି ରଖି ପ୍ରଦୀପଙ୍କୁ ଉଦ୍ଧାର କରିଥିଲେ। ମୋହାଲି ଏଏସ୍‌ପି ହର୍‌ମନ୍‌ଦୀପ୍‌ ହଂସ କହିଛନ୍ତି, ପ୍ରଦୀପ ନିଜ ଅଭିଯୋଗରେ ଯାହା ସବୁ ଦର୍ଶାଇଛନ୍ତି, ତାହା ସମ୍ପୂର୍ଣ୍ଣ ସତ୍ୟ। ତେବେ ଆଇପିସି ଧାରା ୩୨୩, ୩୪୧ ଓ ୩୯୨ ଆଧାରରେ ଅଭିଯୁକ୍ତ ଅଗ୍ରୱାଲ୍‌ଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର