ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ବୈଠକ ପରେ ଧର୍ମେନ୍ଦ୍ରଙ୍କ ଘୋଷଣା

ଶପଥ ଗ୍ରହଣ ଆଜି

ବେଙ୍ଗାଲୁରୁ: ଲିଙ୍ଗାୟତ ସଂପ୍ରଦାୟର ଟାଣୁଆ ନେତା ତଥା ୟେଦୁରପ୍ପା ସରକାରରେ ଗୃହମନ୍ତ୍ରୀ ବସବରାଜ ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବେ। ବିଏସ୍‌ ୟେଦୁରପ୍ପା ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ଆଜି ନୂଆ ନେତା ଚୟନ ପାଇଁ ବିଜେପି ବିଧାୟକ ଦଳର ବୈଠକ ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସର୍ବସମ୍ମତିକ୍ରମେ ବିଧାୟକ ଦଳ ନେତା ଭାବେ ବସବରାଜ ର୍ନିବାଚିତ ହୋଇଥିବା ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି। ବସବରାଜ ଆସନ୍ତାକାଲି ଶପଥ ଗ୍ରହଣ କରିବେ।

ବିଧାୟକ ଦଳ ବୈଠକ ପୂର୍ବରୁ ଦଳର ସମସ୍ତ ବରିଷ୍ଠ ନେତାମାନଙ୍କ ସହ ଦଳର ପର୍ଯ୍ୟବେକ୍ଷକ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଏବଂ କେନ୍ଦ୍ରମନ୍ତ୍ରୀ କିସନ୍‌ ରେଡ୍ଡି ଆଗୁଆ ଆଲୋଚନା କରିଥିଲେ। ମୁ୍ଖ୍ୟମନ୍ତ୍ରୀ ଭାବେ ମନୋନୀତ ବସବରାଜଙ୍କ ଜନ୍ମ ୧୯୬୦ ଜାନୁଆରି ୨୮ ତାରିଖରେ। ସେ କର୍ଣ୍ଣାକଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌. ଆର୍‌. ବୋମାଇଙ୍କ ପୁଅ। ସେ ବିଜେପିରେ ୨୦୦୮ରେ ସାମିଲ ହୋଇଥିଲେ। ଜଣେ ଯନ୍ତ୍ରୀ, କୃଷିବିତ୍‌ ଏବଂ ଶିଳ୍ପପତି ଭାବେ ଜଣାଶୁଣା ‌ବସବରାଜ ବୋମାଇ ରାଜ୍ୟରେ ଜଳସେଚନର ବିକାଶ ପାଇଁ ଉଲ୍ଲେଖନୀୟ କାମ କରିଛନ୍ତି।

ସମ୍ବନ୍ଧିତ ଖବର