ଏପ୍ରିଲ ୧୦ରୁ ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ୱଙ୍କୁ ମିଳିବ କୋଭିଡ ବୁଷ୍ଟର ଡୋଜ୍‌: ସରକାର

ନୂଆଦିଲ୍ଲୀ: ସଂପ୍ରତି ଦେଶରେ କୋଭିଡ୍‌-୧୯ର ନୂତନ ରୂପାନ୍ତରିତ ଭୂତାଣୁ ଚିହ୍ନଟ ହେବା ସହ ଦେଶରେ ଦୈନିକ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାକୁ ଆରମ୍ଭ କରିଛି। ଗତକାଲି ଦେଶରେ ଦୈିନିକ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଉପରେ ରହିଥିବା ବେଳେ ଆଜି ଏହା ୧୧୦୦ ଟପି ଯାଇଛି। ଦୈନିକ କୋଭିଡ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଏ ପରିସ୍ଥିତିରେ ଆସନ୍ତା ଏପ୍ରିଲ ୧୦ ତାରିଖରୁ ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ୱଙ୍କୁ କୋଭିଡ ବୁଷ୍ଟର ଡୋଜ୍‌ ପ୍ରଦାନ କରାଯିବ ବୋଲି ଶୁକ୍ରବାର ଅପରାହ୍ନରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। କୋଭିଡ-୧୯ ବିରୋଧରେ ସତର୍କତାମୂଳକ ଟିକାକରଣ ବର୍ତ୍ତମାନ ଏପ୍ରିଲ ୧୦ ତାରିଖରୁ ସମସ୍ତ ଘରୋଇ ଟିକାକରଣ କେନ୍ଦ୍ରରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ଗୋଷ୍ଠୀକୁ ଉପଲବ୍ଧ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

ଉଲ୍ଲେଖଯୋଗ୍ୟ ସତର୍କତାମୂଳକ ଏହି କୋଭିଡ ଟିକା ଡୋଜକୁ ବୁଷ୍ଟର ଡୋଜ୍‌ କୁହାଯାଉଛି। ଭାରତ ଅଳ୍ପ କିଛି ଦେଶ ମଧ୍ୟରୁ ଗୋଟିଏ ଯାହା ୬୦ ବର୍ଷରୁ କମ୍‌ ବୟସର ଲୋକଙ୍କ ପାଇଁ ବୁଷ୍ଟର କୋଭିଡ ଟିକା ଦେଇନାହିଁ। ବୟସ ନିର୍ବିଶେଷରେ କେବଳ ଆଗଧାଡିର କର୍ମଚାରୀ ଏବଂ ସ୍ୱାସ୍ଥ୍ୟସେବା କର୍ମୀମାନଙ୍କୁ ବୁଷ୍ଟର ଡୋଜ୍‌ ନେବା ପାଇଁ ଅନୁମତି ଦେଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏବଂ ଭାଇରୋଲୋଜିଷ୍ଟମାନେ କୋଭିଡ ଜନିତ ମୃତ୍ୟୁ ଏବଂ କୋଭିଡ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ଜଟିଳତା ହ୍ରାସ କରିବା ପାଇଁ ବୁଷ୍ଟର ଡୋଜ୍‌ ସୁପାରିଶ କରିଛନ୍ତି। ବିଶ୍ୱର ଅନେକ ଦେଶ ଇତିମଧ୍ୟରେ କୋଭିଡ ଟିକାର ଚତୁର୍ଥ ଡୋଜ୍‌ ଦେବା ଆରମ୍ଭ କରିଛନ୍ତି। କାରଣ କୋଭିଡ ଟିକାର କାର୍ଯ୍ୟକାରିତା ସାଧାରଣତଃ ଚାରିରୁ ଛଅ ମାସ ମଧ୍ୟରେ ରହିଥାଏ।

ସମ୍ବନ୍ଧିତ ଖବର