ନୂଆଦିଲ୍ଲୀ: ବିବାହକୁ ଆଉ ଗୋଟିଏ ଦିନ ବାକିଥିବା ବେଳେ କନ୍ୟାଙ୍କ ମୃତ୍ୟୁ ହୋଇଥିବାର ଏକ ଲୋମଟାଙ୍କୁରା ଘଟଣା ବିହାରର ସାରଣ ଜିଲ୍ଲାରୁ ସାମ୍ନାକୁ ଆସିଛି। ବିବାହ ପାଇଁ ଘରେ ଅତିଥି ଭର୍ତ୍ତି ଥିଲେ। ସେମାନଙ୍କ ଖାଇବା ପାଇଁ ରୋଷେଇ ଚାଲିଥିଲା।
ଏହି ସମୟରେ ଗ୍ୟାସ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ କନ୍ୟାଙ୍କ ଶରୀର ୮୦ ପ୍ରତିଶତ ଜଳି ଯାଇଥିବା ବେଳେ ପରିବାରର ଅନ୍ୟଲୋକ ବି ଏଥିରେ ଆହତ ହୋଇଥିଲେ । ସଙ୍ଗେସଙ୍ଗେ ସମସ୍ତ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଃଖର ବିଷୟ କି ଚିକିତ୍ସାଧୀନ ଅବସ୍ଥାରେ କନ୍ୟାଙ୍କ ମୃତ୍ୟୁ ହୋଇଥିଲା।
ସୂଚନାଯୋଗ୍ୟ, ସାରଣ ଜିଲ୍ଲା ବନିୟାପୁର ଥାନା ଅଧୀନସ୍ଥ ଖାବସା ଗ୍ରାମରେ ବସବାସ କରୁଥିବା ପେରୁ ମହତୋଙ୍କ ଝିଅ ନିତୁ କୁମାରୀଙ୍କ ଜୁନ ୧ ତାରିଖରେ ବାହାଘର ଥିଲା। ଏଥିପାଇଁ ଘରେ ବିବାହ ପୂର୍ବରୁ ଥିବା କିଛି ପରମ୍ପରା ହେତୁ ପୂଜା ପାଠ ଚାଲିଥିଲା। ଘରେ ବି ଅତିଥିଙ୍କ ଭିଡ଼ ଲାଗି ରହିଥିଲା। ଅତିଥିଙ୍କ ଖାଇବା ପାଇଁ ରୋଷେଇ ଚାଲିଥିଲା।
ଏତିକି ବେଳେ ରୋଷେଇ ପାଇଁ ବ୍ୟବହୃତ ହୋଇଥିବା ଗ୍ୟାସ ସିଲିଣ୍ଡର ହଠାତ ବିସ୍ଫୋରଣ ହୋଇ ଘରେ ନିଆଁ ଲାଗି ଯାଇଥିଲା। ତେବେ ଚାଳ ଘର ହୋଇଥିବା ହେତୁ ଦେଖୁଦେଖୁ ନିଆଁ ହୁହୁ ହୋଇ ମାଡ଼ି ଯାଇଥିଲା। ଏହି ନିଆଁର ଶିକାର କନ୍ୟା ନିତୁଙ୍କ ସମସ୍ତେ ପରିବାରର ଅନ୍ୟମାନେ ବି ହୋଇଥିଲେ।
ତେବେ ନିତୁଙ୍କ ଶରୀର ଏହି ନିଆଁରେ ୮୦ ପ୍ରତିଶତ ଜଳି ଯାଇଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଥିଲେ। କିନ୍ତୁ ଏହି ବିସ୍ଫୋରଣ ନିତୁଙ୍କ ଜୀବନ ନେଇ ସୁନାର ସଂସାରକୁ ଛାରଖାର କରି ଦେଇଛି। ହସଖୁସିରେ ଭରିଥିବା ପରିବାରରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଛି।