ଶ୍ରୀଲଙ୍କାରେ ବୁର୍ଖା ନିଷିଦ୍ଧ

କଲମ୍ବୋ: ଇଷ୍ଟର ଦିନ ହୋଇଥିବା ଶ୍ରୀଲଙ୍କା ନରସଂହାର ଘଟଣା ଦେଶରେ ରହୁଥିବା ଦୁଇ ସଂଖ୍ୟାଲଘୁ ସମୁଦାୟକୁ ପ୍ରଭାବିତ କରିଛି। ଇସ୍ଲାମିକ୍‌ ଷ୍ଟେଟ୍‌ର ଆତଙ୍କବାଦୀଙ୍କ ଆକ୍ରମଣ ପରେ ବିଭିନ୍ନ ଗିର୍ଜା ଘର ବନ୍ଦ କରାଯାଇଥିବା ବେଳେ ସୋମବାର ଠାରୁ ଶ୍ରୀଲଙ୍କାରେ ମହିଳାମାନେ କୌଣସି ବସ୍ତ୍ର ଦ୍ୱାରା ମୁହଁ ଢାଙ୍କିବା ବା ବୁର୍ଖା ପିନ୍ଧିବା ନିଷିଦ୍ଧ କରାଯାଇଛି।
ସିରିଜ୍‌ ବିସ୍ଫୋରଣର ସପ୍ତାହକ ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ମୈଥ୍ରୀପାଲ ସିରିସେନା ଜରୁରୀକାଳୀନ କ୍ଷମତାକୁ ବ୍ୟବହାର କରି ଦେଶରେ ବୁର୍ଖା ନିଷିଦ୍ଧ କିରଛନ୍ତି। ସୋମବାର ଠାରୁ ଦେଶରେ କୌଣସି ମହିଳା ସାର୍ବଜନୀନ ସ୍ଥାନରେ ମୁହଁକୁ ଘୋଡ଼ାଉଥିବା କୌଣସି ପ୍ରକାର ବସ୍ତ୍ର ବା ବୁର୍ଖା ପିନ୍ଧିପରିବେ ନାହିଁ। ସୁରକ୍ଷା ଦୃଷ୍ଟିରୁ ଏହି ନିୟମକୁ ଲାଗୁ କରାଯାଇଛି। କୌଣସି ମହିଳା ଏଭଳି କିଛି ପିନ୍ଧିବେ ନାହିଁ ଯାହାଦ୍ୱାରା ତାଙ୍କ ପରିଚୟ ଜଣାପଡିବ ନାହିଁ। ମୁହଁକୁ କୌଣସି ଆବରଣ ଦ୍ୱାରା ଘୋଡାଇବା ବର୍ତ୍ତମାନ ପରିସ୍ଥିତିରେ ଜାତୀୟ ସୁରକ୍ଷା ପାଇଁ ବିପଦ ବୋଲି ରାଷ୍ଟ୍ରପତି ସିରିସେନା ସ୍ପଷ୍ଟ କରିଛନ୍ତି। ସର୍ବସାଧାରଣରେ ସମସ୍ତଙ୍କ ପରିଚୟ ସ୍ପଷ୍ଟ କରିବା ବୁର୍ଖା ନିଷିଦ୍ଧ କରିବାର ମୁଖ୍ୟ କାରଣ ବୋଲି କୁହାଯାଇଛି।
ଶ୍ରୀଲଙ୍କା କ୍ୟାବିନେଟର ଏକ ପ୍ରସ୍ତାବ ପରେ ରାଷ୍ଟ୍ରପତି ସିରିସେନା ଏହି ନିଷ୍ପତ୍ତି ନେଇଛନ୍ତି। ସଂଖ୍ୟାଲଘୁ ସମୁଦାୟର ଧାର୍ମିକ ନେତାଙ୍କ ସହ ବିଚାରବିମର୍ଶ ପରେ ଏହା ଉପରେ ନିଷ୍ପତ୍ତି ନେବାକୁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମାସୀଙ୍ଗେ ପରାମର୍ଶ ଦେଇଥିଲେ।
ଇଷ୍ଟର ଦିନର ଆକ୍ରମଣ ପରେ ଏବେ ମଧ୍ୟ ଇସ୍ଲାମିକ୍‌ ଷ୍ଟେଟ୍‌ର ଆତଙ୍କବାଦୀ ସକ୍ରିୟ ଥିବାରୁ ଦେଶରେ ପୁଣି ଆତଙ୍କବଦୀ ଆକ୍ରମଣର ଆଶଙ୍କା କରାଯାଉଛି। ଶୁକ୍ରବାର ରାତିରେ ନେସ୍‌ନାଲ ତୋହିତ ଜମାତ୍‌ (ଏନ୍‌ଟିଜେ)ର ଏକ ଆଡ୍ଡାସ୍ଥଳୀ ଠାରେ ଆତ୍ମଘାତୀ ବିସ୍ଫୋରଣ ଏବଂ ସଂଘର୍ଷରେ ୨୫୦ ଜଣ ନିହତ ହେବା ପରେ ଆତଙ୍କବଦୀ ଆକ୍ରମଣ ଆଶଙ୍କା ବଢିଯାଇଛି।
ବୁର୍ଖା ନିଷିଦ୍ଧ ଘୋଷଣା ପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ଦେଶରେ ଥିବା ବିଭିନ୍ନ ଗିର୍ଜାକୁ ବନ୍ଦ କରିଦିଆଯିଇଥିଲା। ଏହା ଶ୍ରୀଲଙ୍କା ଇତିହାସରେ ପ୍ରଥମ ବୋଲି କୁହାଯାଉଛି। ଗିର୍ଜା ନଯାଇ ଘର ଭିତରେ ପ୍ରାର୍ଥନା କରିବାକୁ ନିର୍ଦେଶ ଜାରି କରାଯାଇଛି।
ସ୍ମରଣଯୋଗ୍ୟ, ଶ୍ରୀଲଙ୍କାରେ ମୋଟ ଜନସଂଖ୍ୟାର ମାତ୍ର ୧୦ ପ୍ରତିଶତ ଲୋକ ମୁସଲିମ୍‌ ଏବଂ ୭ ପ୍ରତିଶତ ଖ୍ରୀଷ୍ଟିଆନ।

ସମ୍ବନ୍ଧିତ ଖବର