ନାଗରିକତା ସଂଶୋଧନ ବିଲ୍କୁ ମଂଜୁରି
ଶୀତ ଅଧିବେଶନରେ ଗୃହୀତ କରାଇବାକୁ ସରକାରଙ୍କ ରଣନୀତି, ବିଲ୍କୁ ବିରୋଧ ପାଇଁ ଏକଜୁଟ୍ ହେଉଛନ୍ତି ବିରୋଧୀ ଦଳ
ନୂଆଦିଲ୍ଲୀ : ନାଗରିକତା (ସଂଶୋଧନ) ବିଲ୍-୨୦୧୯କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମଂଜୁରି ମିଳିଛି। ଏହି ବିଲ୍ ଗୃହୀତ ହେଲେ ଦେଶର ନାଗରିକତା ସଂକ୍ରାନ୍ତ ନିୟମରେ ବଡ଼ ପରିବର୍ତ୍ତନ ହେବ। ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଆସୁଥିବା ଅଣ ମୁସ୍ଲିମ୍ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରାଯାଇପାରିବ। ଏହି ବିଲ୍କୁ ଆସନ୍ତା ସପ୍ତାହରେ ସଂସଦରେ ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି। ଚଳିତ ଶୀତ ଅଧିବେଶନରେ ହିଁ ଏହି ଗୁରୁତ୍ବପୂର୍ଣ୍ଣ ବିଲ୍କୁ ଗୃହୀତ କରାଇବାକୁ ସରକାର ରଣନୀତି ପ୍ରସ୍ତୁତ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏନ୍ଡିଏର ସଂଖ୍ୟାଗରିଷ୍ଠତା ଯୋଗୁଁ ନାଗରିକତା ସଂଶୋଧନ ବିଲ୍-୨୦୧୯ ଲୋକସଭାରେ ସହଜରେ ଗୃହୀତ ହୋଇପାରିବ, କିନ୍ତୁ ରାଜ୍ୟ ସଭାରେ ଏହି ବିଲ୍କୁ ଗୃହୀତ କରାଇବା ସରକାରଙ୍କ ପାଇଁ ଏତେ ସହଜ ହେବନାହିଁ। କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମ୍କେ, ସମାଜବାଦୀ ପାର୍ଟି, ବାମ ଦଳ, ଆର୍ଜେଡି ଏବଂ ଶିବସେନା ଏହି ବିଲ୍କୁ ବିରୋଧ କରିବେ ବୋଲି ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଏଆଇଏଡିଏମ୍କେ ଏବଂ ଜଗନ ମୋହନ ରେଡ୍ଡିଙ୍କ ୱାଇଏସ୍ଆର୍ସିପି ବିଲ୍କୁ ସମର୍ଥନ କରୁଛନ୍ତି। ବିଜେପିର ସହଯୋଗୀ ଆସାମ ଗଣ ପରିଷଦ ୨୦୧୬ରେ ଏହି ବିଲ୍କୁ ଲୋକସଭାରେ ଜୋର୍ଦାର ବିରୋଧ କରିଥିଲା। ଏନ୍ଆର୍ସି ପରେ ନାଗରିକତା ସଂଶୋଧନ ବିଲ୍କୁ ନେଇ ଏବେ ବିରୋଧୀ ଦଳମାନେ ପୁଣି ଥରେ ଏକଜୁଟ୍ ହେବାକୁ ମଉକା ପାଇଛନ୍ତି। ନିକଟରେ ଏହି ବିଲ୍ ଉପରେ ଆଲୋଚନା ପାଇଁ ଗୃହମନ୍ତ୍ରୀ ଅମିତ ଶାହ ଏକ ସର୍ବଦଳୀୟ ବୈଠକ ଡକାଇଥିଲେ, କିନ୍ତୁ ଏଥିରେ କୌଣସି ସହମତି ହୋଇପାରି ନଥିଲା। ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର୍ ଏହି ବିଲ୍କୁ ସମ୍ବିଧାନ ବିରୋଧୀ ବୋଲି କହିବା ସହ ସହ ଏହାକୁ ଜୋର୍ଦାର ବିରୋଧ କରିବାକୁ ସମସ୍ତ ଦଳ ଏକଜୁଟ୍ ହେବା ପାଇଁ କହିଛନ୍ତି। ଦେଶର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ମଧ୍ୟ ଏହି ବିଲ୍କୁ ବିରୋଧ କରାଯାଉଛି।
ନାଗରିକ ସଂଶୋଧନ ବିଲ୍-୨୦୧୯ କ’ଣ?
ଦେଶର ନାଗରିକତା ଅଧିନିୟମ ୧୯୫୫ରେ ଥିବା ପ୍ରାବଧାନରେ ପରିବର୍ତ୍ତନ ଆଣିବା ପାଇଁ ନାଗରିକ ସଂଶୋଧନ ବିଲ୍-୨୦୧୯ ଅଣାଯାଇଛି। ଏହି ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି- ହିନ୍ଦୁ, ଖ୍ରିଷ୍ଟିୟାନ୍, ଶିଖ୍, ଜୈନ୍, ପାର୍ସୀ ଏବଂ ବୌଦ୍ଧ ଧର୍ମାବଲମ୍ବୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ। ଏହି ବିଲ୍ରେ ମୁସ୍ଲିମ ଶରଣାର୍ଥୀଙ୍କୁ ସାମିଲ କରାଯାଇନାହିଁ। ଏହି ବିଲ୍ ମାଧ୍ୟମରେ ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ଆସୁଥିବା ଅଣ ମୁସ୍ଲିମ ଶରଣାର୍ଥୀଙ୍କୁ ଆବଶ୍ୟକ ଦସ୍ତାବିଜ ନଥାଇ ମଧ୍ୟ ନାଗରିକତା ପ୍ରଦାନ କରାଯାଇ ପାରିବ ବୋଲି ପ୍ରାବଧାନ ରହିଛି। ଭାରତର ନାଗରିକତା ପାଇଁ ୧୧ ବର୍ଷ ଦେଶରେ ରହିବା ଜରୁରୀ। କିନ୍ତୁ ଏହି ସଂଶୋଧିତ ବିଲ୍ ଗୃହୀତ ହେଲେ ଏହି ସମୟ ଅବଧି ୬ ବର୍ଷକୁ ହ୍ରାସ ପାଇବ।