ଚିଫ୍‌ ଅଫ ଡିଫେନ୍ସ ଷ୍ଟାଫ୍‌ ପଦବୀକୁ କେନ୍ଦ୍ର ସରକାରଙ୍କ ମଂଜୁରୀ, ତିନି ବାହିନୀର ଜଣେ ମୁଖ୍ୟ ରହିବେ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ ଆଜି ଚିଫ ଅଫ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ) ତିନି ବାହିନୀ ମୁଖ୍ୟ ପଦବୀ ସୃଷ୍ଟି କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏହି ମଞ୍ଜୁରୀ ଦିଆଯାଇଛି ।

ସିଡିଏସ ଏକ ୪-ଷ୍ଟାର ପଦବୀ ହେବ । ସିଡିଏସ୍‌ ତିନି ବାହିନି ମଧ୍ୟରେ ଯୋଗସୁତ୍ର ରକ୍ଷା କରିବ ଓ ସରକାରଙ୍କୁ ସାମରିକ ମାମଲାରେ ଜରୁରୀ ପରାମର୍ଶ ଦେବେ । ସେ ନବଗଠିତ ସାମରିକ ବ୍ୟାପାର ବିଭାଗର ମୁଖ୍ୟ ହେବେ । କାରଗିଲ ଯୁଦ୍ଧ ପରେ ଗଠିତ କେ.ସୁବ୍ରମଣ୍ୟମ (ବର୍ତ୍ତମାନର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ପିତା) କମିଟି ଦ୍ୱାରା ଏହି ପଦବୀ ଗଠନ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହି ସୁପାରିଶର ୨୦ ବର୍ଷ ପରେ ସରକାର ତାହାକୁ ପାଳନ କରିଛନ୍ତି । ଗତ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲା ପ୍ରାଚୀରରୁ ଜାତି ଉଦ୍ଦେଶ୍ୟରେ ଭାଷଣ ଦେବା ଅବସରରେ ତିନି ସେନାର ଜଣେ ମୁଖ୍ୟ ବା ଚିଫ୍‌ ଅଫ ଡିଫେନ୍ସ ଷ୍ଟାଫ ରହିବେ ବୋଲି ଘୋଷଣା କରିଥିଲେ । ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନର ସେନାମୁଖ୍ୟ ଜେନେରାଲ ବିପିନ ରାଓ୍ଵତ୍‌ ଦେଶର ପ୍ରଥମ ସିଡିଏସ୍‌ ହୋଇପାରନ୍ତି ।

ଆଧୁନିକ ଯୁଗରେ ପରିବର୍ତ୍ତିତ ସାମରିକ ଆବଶ୍ୟକତା ଓ ଆହ୍ଵାନକୁ ଦୃଷ୍ଟିରେ ରଖି ଭାରତ ନିଜର ସାମରିକ ବାହିନୀରେ କେତେକ ବଡ଼ଧରଣର ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ନବ ଗଠିତ ସିଡିଏସ ଭାରତର ତିନି ସେନା ସେନା, ନୌସେନା ଓ ବାୟୁସେନାର ମୁଖ୍ୟ ନୁହେଁ, ବରଂ ଭାରତ ଗଠନ କରୁଥିବା ଆଉ କେତେକ ନୂଆ ପ୍ରକାରର ସେନାର ମଧ୍ୟ ମୁଖ୍ୟ ରହିବେ । ସେଗୁଡିକ ହେଉଛି ସ୍ପେଶ କମାଣ୍ଡ, ସାଇବର କମାଣ୍ଡ ଇତ୍ୟାଦି । ମହାକାଶରେ ଯୁଦ୍ଧ ପାଇଁ ଭାରତ ସରକାର ଗତ ଜୁନ ମାସରେ ଏକ ଡିଫେନ୍ସ ସ୍ପେଶ ରିସର୍ଚ୍ଚ ଏଜେନ୍ସି ଗଠନ କରିବା ବିଷୟ ଘୋଷଣା କରିଥିଲେ । ଜଣେ ମୁଖ୍ୟଙ୍କ ଅଧିନରେ ରହିଲେ ଭାରତର ଏସବୁ ବାହିନୀ ଗୁଡିକ ମଧ୍ୟରେ ସମନ୍ଵୟ ରକ୍ଷା ହୋଇପାରିବ ।

ସମ୍ବନ୍ଧିତ ଖବର