କ୍ୟାବିନେଟ କମିଟି ବିବାଦ: ଇସ୍ତଫା ଧମକ ଦେଇଥିଲେ ରାଜନାଥ, ହସ୍ତକ୍ଷେପ କଲା ଆରଏସଏସ୍

,

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିମ୍‌ର ଦ୍ବିତୀୟ ଇନିଂସରେ ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଭୂମିକା କଣ ରହିବ ତାହାକୁ ନେଇ ଜାତୀୟ ରାଜନୀତିରେ ଚର୍ଚା ଆରମ୍ଭ ହୋଇଯାଇଛି। ବିଶେଷ କରି ଗତ ୬ ତାରିଖ ଦିନ ବିଭିନ୍ନ କ୍ୟାବିନେଟ କମିଟିର ପୁନର୍ଗଠନକୁ ନେଇ ଯେଉଁ ପରିସ୍ଥିତି ସୃଷ୍ଟି ହେଲା ତାହା ଏହି ଚର୍ଚାକୁ ଖୋରାକ୍ ଯୋଗାଇଛି। ପୁନର୍ଗଠିତ/ନବଗଠିତ ସମସ୍ତ ୮ଟି କ୍ୟାବିନେଟ କମିଟିରେ ଅମିତ ଶାହଙ୍କ ନାମ ସ୍ଥାନ ପାଇଥିବା ବେଳେ ରାଜନାଥଙ୍କୁ ମାତ୍ର ଦୁଇଟି କମିଟିରେ ସ୍ଥାନ ମିଳିଥିଲା।

ମୋଦୀଙ୍କ କ୍ୟାବିନେଟର ନମ୍ବର ୨ ମନ୍ତ୍ରୀଙ୍କୁ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ କମିଟିରୁ କିପରି ବାଦ୍ ଦିଆଗଲା? ଏହାକୁ ନେଇ ଦିଲ୍ଲୀ ରାଜନୀତିରେ ଭୂକଂପ ସୃଷ୍ଟି ହେଲା। କେତେକ ସୂତ୍ରରୁ ମିଳିଥିବା ଖବର ଅନୁସାରେ ରାଜନାଥ ସିଂହ ଏଥିରେ ଭୀଷଣ ଉତକ୍ଷିପ୍ତ ହୋଇପଡ଼ିଥିଲେ। ଏପରିକି ସେ ଇସ୍ତଫା ପାଇଁ ମଧ୍ୟ ଧମକ ଦେଇଥିବା କୁହାଯାଉଛି। ପରିସ୍ଥିତି ଜଟିଳ ହେବାକୁ ଲାଗିବାରୁ ଆରଏସଏସ୍ ନେତୃ୍ତ୍ବଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଏହାପରେ ପୁନର୍ଗଠିତ କମିଟି ସଂପର୍କରେ ସକାଳେ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା, ସେଥିରେ ସଂଶୋଧିତ କରାଯାଇଥିଲା। ସନ୍ଧ୍ୟା ବେଳେ ସଂଶୋଧିତ ବିଜ୍ଞକ୍ତି ପ୍ରକାଶ ପାଇଥିଲା। ଏଥିରେ ରାଜନାଥଙ୍କୁ ଆହୁରି ୪ଟି କମିଟିରେ ସ୍ଥାନିତ କରାଯାଇଥିବା ପ୍ରକାଶ କରାଯାଇଥିଲା। ସେଥିମଧ୍ୟରୁ ଦୁଇଟି ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଓ ସଂସଦୀୟ ବ୍ୟାପାର କମିଟି ରହିଛି। ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି ବୈଠକରେ ସେ ଅଧ୍ୟକ୍ଷତା କରିବେ ଏବଂ ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟିର ସେ ସଭ୍ୟ ରହିବେ। ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ବିଜେପି ଭିତରେ ଏହି ଘଟଣାକୁ ନେଇ ପରିସ୍ଥିତି ଶାନ୍ତ ପଡ଼ିଥିଲେ ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ପ୍ରୋ‌େଟାକଲ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ଯିଏ ଶପଥ ନେଇଥିବ କ୍ୟାବିନେଟରେ ତାଙ୍କର ସ୍ଥାନ ପ୍ରଧାନମନ୍ତ୍ରୀଙ୍କ ପରେ ରହିବ। ଅର୍ଥାତ ସେ ହେଉଛନ୍ତି ମନ୍ତ୍ରୀ ନମ୍ବର ଦୁଇ। ଏହି ବ୍ୟବସ୍ଥାରେ ରାଜନାଥଙ୍କୁ ଏହି ସ୍ଥାନ ମିଳିବା କଥା। ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତିରେ ସେ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିବେ। କେବଳ ସେତିକି ନୁହେଁ ରା‌ଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତିରେ ଅଧ୍ୟକ୍ଷତା କରିବେ। ଏହାସତ୍ତ୍ବେ ତାଙ୍କୁ କେଉଁ ପରିସ୍ଥିତିରେ ଏବଂ କାହିଁକି ଏଭଳି ଗୁରୁତ୍ବପୂର୍ଣ୍ଣ କମିଟିରୁ ବାଦ୍ ଦିଆଯାଇଥିଲା।

ତେବେ ଦିଲ୍ଲୀ ରାଜନୈତିକ ମହଲରେ ଚାଲିଥିବା ଚର୍ଚା ଅନୁଯାୟୀ ମୋଦୀ କ୍ୟାବିନେଟରେ ରାଜନାଥଙ୍କ ସ୍ଥାନ ଦୁଇ ନମ୍ବରରେ ଥିଲେ ମଧ୍ୟ ବାସ୍ତବରେ ଅମିତ ଶାହ ହେଉଛନ୍ତି ମୋଦୀଙ୍କ ପରେ ସବୁଠାରୁ କ୍ଷମତାଶାଳୀ। ଏହି ବ‌ା‌ର୍ତା ଦେବାଲାଗି କ୍ୟାବିନେଟ କମିଟିର ଏପରି ପୁନର୍ଗଠନ କରାଯାଇଥିଲା। ଏହାଛଡ଼ା ମୋଦୀଙ୍କ ପ୍ରଥମ ଇନିଂସରେ ଆଡ଼ଭାନୀ ଓ ଯୋଶୀଙ୍କୁ ବିଜେପି ରାଜନୀତିର ମୁଖ୍ୟ ସ୍ରୋତରୁ ଯେପରି ଅଲଗା କରିଦିଆଯାଇଥିଲା ଠିକ୍ ସେହିଭଳି ମୋଦୀଙ୍କ ଦ୍ବିତୀୟ ଇନିଂସରେ ରାଜନ‌ାଥ ସିଂହଙ୍କ ପାଇଁ ପ୍ରକ୍ରି୍ୟା ଆରମ୍ଭ ହୋଇଯାଇଛି ବୋଲି ୬ ତାରିଖ ଘଟଣାରୁ ସ୍ପଷ୍ଟ ସୂଚନା ମିଳିଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତ ପ୍ରକାଶ କରିଛନ୍ତି। ସେହିଦିନ ସକାଳେ ପ୍ରକାଶିତ ତାଲିକାରେ ରାଜନାଥଙ୍କ ଅପେକ୍ଷା ଅମିତ ଶାହ, ଅର୍ଥ ମନ୍ତ୍ରୀ ସୀତାରମଣ, ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଅଧିକ ଗୁରୁତ୍ବ ମିଳିଥିଲା। ଶାହଙ୍କୁ ସମସ୍ତ ୮ଟି କମିଟିରେ ସ୍ଥାନ ମିଳିଥିବା ବେଳେ ସୀତାରମଣଙ୍କୁ ୭ଟିରେ ଏବଂ ଗୋଏଲଙ୍କୁ ୫ଟି ସ୍ଥାନ ମିଳିଥିଲା। ତେ‌େବ ସନ୍ଧ୍ୟା ‌େ‌ବଳେ ପ୍ରକ‌ାଶିତ ସଂଶୋଧିତ ବିଜ୍ଞପ୍ତିରେ ରାଜନାଥଙ୍କୁ ୬ଟି ସ୍ଥାନ ମିଳିଛି।

ସମ୍ବନ୍ଧିତ ଖବର