ଆଫଗାନବାସୀଙ୍କ ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ପ୍ରତିବନ୍ଧକ ଲଗାଇଲା ତାଲିବାନ

କାବୁଲ: ଖରାପ ଆର୍ଥିକ ଅବସ୍ଥା ମଧ୍ୟରେ ଏବେ ସ୍ଥିତି ସୁଧାରିବାକୁ ଉଦ୍ୟମ ଆରମ୍ଭ କରିଛି ତାଲିବାନ | ଆଉ ଏଥିପାଇଁ ବ୍ୟାଙ୍କରୁ ଟଙ୍କା (ଆଫଗାନ ଆଫଗାନି) ବା ଏଏଫଏସ ଉଠାଣ ଉପରେ ପ୍ରତିବନ୍ଧକ ଲଗାଇଛି ତାଲିବାନ | ତାଲିବାନ ପକ୍ଷରୁ ଆଫଗାନିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ନିଜ ଅଧୀନରେ ଥିବା ବ୍ୟାଙ୍କମାନଙ୍କୁ ଟଙ୍କା ଉଠାଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିୟମ କରିବେ |

ତାଲିବାନର ନିର୍ଦ୍ଦେଶ ମୁତାବକ ସପ୍ତାହକୁ ଜଣେ ବ୍ୟକ୍ତି କେବଳ ୨୦୦ ଡଲାର ବା ୨ ହଜାର ଏଏଫଏସ ହିଁ ଉଠାଣ କରିପାରିବେ | ଆଫଗାନିସ୍ତାନରେ ଏବେ ଆର୍ଥିକ ସଙ୍କଟ ଦେଖାଦେଇଥିବାରୁ କିଛି ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି | ଏହି ନିର୍ଦ୍ଦେଶନାମା ଆଫଗାନିସ୍ତାନର ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କ ପାଇଁ ଲାଗୁ ହେବ | ଲଗାତାର କିଛି ଦିନ ଧରି ଆଫଗାନିସ୍ତାନରେ ବ୍ୟାଙ୍କ ବନ୍ଦ ରହିଥିଵାବେଳେ ଗତକାଲି ବହୁ ସଂଖ୍ୟାରେ ଲୋକ ରାସ୍ତା ଉପରେ ବ୍ୟାଙ୍କ ବନ୍ଦ ବିରୋଧରେ ବିକ୍ଷୋଭ କରିଥିଲେ |

ଆଉ ଏହି ବିକ୍ଷୋଭ ପରେ ତାଲିବାନ ପକ୍ଷରୁ ବ୍ୟାଙ୍କମାନଙ୍କୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି | ସୂଚନା ଥାଉ କି ଅଗଷ୍ଟ ୧୫ରେ ଆଫଗାନିସ୍ତାନକୁ ତାଲିବାନ ଦାଖଲ କରିବା ପରେ ସେଠାରେ ବ୍ୟାଙ୍କ ସେବା ପ୍ରଭାବିତ ହୋଇଛି | ଲୋକଙ୍କ ପାଖରେ ଆଫଗାନି ଟଙ୍କା ନଥିବାବେଳେ ଦରମା ମଧ୍ୟ ମିଳିପାରୁନାହିଁ | ଯାହାକୁ ନେଇ ଲୋକମାନେ ବିରୋଧ କରିଛନ୍ତି |

ସମ୍ବନ୍ଧିତ ଖବର