କେତେକ ସଂସ୍ଥା ଓ କମ୍ପାନୀଙ୍କ ନୂଆ ପଞ୍ଜୀକରଣ ଅନୁମୋଦନ ପ୍ରକ୍ରିୟା ଅକ୍ଟୋବର ପହିଲା ଯାଏ ସ୍ଥଗିତ

ନୂଆଦିଲ୍ଲୀ :ସାଂପ୍ରତିକ ଅଭୂତପୂର୍ବ ମାନବିକ ଓ ଅର୍ଥନୈତିକ ସଂକଟକୁ ଦୃଷ୍ଟିରେ ରଖି ସିବିଡିଟି କେତେକ ନିର୍ଦ୍ଦିଷ୍ଟ ପ୍ରକାରର ସଂସ୍ଥା ଓ କମ୍ପାନୀଙ୍କ ପାଇଁ ଲାଗୁ ହେବାକୁ ଥିବା ନୂଆ ବିଜ୍ଞପ୍ତି ପଞ୍ଜୀକରଣ ଓ ଅନୁମୋଦନ ପ୍ରକ୍ରିୟାକୁ ଆସନ୍ତା ଅକ୍ଟୋବର ପହିଲା ପର୍ଯ୍ୟନ୍ତ ସ୍ଥଗିତ ରଖିଛି । ତଦନୁସାରେ ୧୯୬୧ ଆୟକର ଆଇନର ଧାରା ୧୦(୨୩ସି), ୧୨ଏଏ, ୩୫ ଏବଂ ୮୦ଜି ଅନୁସାରେ ସଂପୃକ୍ତ ସଂସ୍ଥାକୁ ଅକ୍ଟୋବର ପହିଲାରୁ ତିନି ମାସ ମଧ୍ୟରେ ଅର୍ଥାତ ୨୦୨୦ ଡିସେମ୍ବର ୩୧ ସୁଦ୍ଧା ନିଜର ଇଣ୍ଟିମେସନ ଫାଇଲ କରିବାକୁ ପଡିବ । ଏହା ସହିତ ନୂଆ ପଞ୍ଜୀକରଣ, ବିଜ୍ଞପ୍ତି ଓ ଅନୁମୋଦନ ପ୍ରକ୍ରିୟା ଅକ୍ଟୋବର ପହିଲାରୁ ସଂପୃକ୍ତ ସଂସ୍ଥାଙ୍କ ପାଇଁ ଲାଗୁ ହେବ । ଏ ସଂକ୍ରାନ୍ତ ଆବଶ୍ୟକ ଆଇନଗତ ସଂଶୋଧନ ପ୍ରକ୍ରିୟା ଯଥା ସମୟରେ ଆରମ୍ଭ କରାଯିବ ।

ଆସନ୍ତା ଜୁନ ପହିଲାରୁ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଥିଲା । ତେବେ କରୋନା ମହାମାରୀ ଜନିତ ଲକଡାଉନ ଓ ଅନ୍ୟାନ୍ୟ ଅସୁବିଧା ଯୋଗୁ ଏହାକୁ ସ୍ଥଗିତ ରଖିବାକୁ ଅର୍ଥମନ୍ତ୍ରଣାଳୟ ନିଟରେ ଅନେକ ଆବେଦନ ନିବେଦନ ପହଞ୍ଚିଥିଲା । ଏହାକୁ ବିଚାରକୁ ନେଇ ଅର୍ଥମନ୍ତ୍ରଣାଳୟ ଏହି ନିଷ୍ପତ୍ତି ଗ୍ରହଣ କରିଛି ।

ସୂଚନାଯୋଗ୍ୟ ଯେ ୨୦୨୦ ଅର୍ଥ ଆଇନ, ଆୟକର ଆଇନ ଧାରା ୧୦(୨୩ସି), ୧୨ଏଏ, ୩୫ ଏବଂ ୮୦ଜିକୁ ସମାୟୋଜିତ କରି ନିର୍ଦ୍ଦିଷ୍ଟ କେତେକ ସଂସ୍ଥା, କମ୍ପାନୀ ଓ କ୍ଷେତ୍ରର ପଞ୍ଜୀକରଣ ବିଜ୍ଞପ୍ତି ଏବଂ ଅନୁମୋଦନ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଛି । ଏହା ଚଳିତ ବର୍ଷ ଜୁନ ପହିଲାରୁ କାର୍ଯ୍ୟକାରୀ ହେବାକୁ ଥିଲା । ତଦନୁସାରେ ଏସବୁ ସଂସ୍ଥାଙ୍କୁ ଆଗାମୀ ୩୧ ଅଗଷ୍ଟ ସୁଦ୍ଧା ଇଣ୍ଟିମେସନ ଫାଇଲ କରିବା ଅନିବାର୍ଯ୍ୟ ହୋଇଥିଲା ।

ସମ୍ବନ୍ଧିତ ଖବର