ସିବିଆଇ, ଆଇବି ନ୍ୟାୟପାଳିକାର ସହାୟତା କରୁନାହାନ୍ତି : ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ଝାଡ଼ଖଣ୍ଡର ଧନବାଦରେ ବିଚାରପତିଙ୍କୁ ହତ୍ୟା ମାମଲାର ବିଚାର କରି ସିବିଆଇ ଓ ଆଇବିକୁ ଅତି କଠୋର ଭାଷାରେ ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି. ରମନ୍ନା ।

ସେ କହିଛନ୍ତି ଯେ ପ୍ରଭାବଶାଳୀ ଲୋକ କିମ୍ବା ଗ୍ୟାଙ୍ଗଷ୍ଟରମାନେ ସଂପୃକ୍ତ ଥିବା ମାମଲାଗୁଡ଼ିକର ବିଚାର ବେଳେ ବିଚାରପତିମାନଙ୍କୁ ବିଭିନ୍ନ ପ୍ରକାରର ଧମକ ମିଳୁଛି । କିନ୍ତୁ ଏ ସମ୍ପର୍କରେ ସିବିଆଇ କୌଣସି ପଦକ୍ଷେପ ନେଉନାହିଁ । କୌଣସି ବିଚାରପତି ସିବିଆଇ କିମ୍ବା ପୁଲିସ ନିକଟରେ ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁନାହିଁ । ସିବିଆଇ, ଆଇବି (ଗୁଇନ୍ଦା ବ୍ୟୁରୋ) ପରି ସଂସ୍ଥାମାନେ ନ୍ୟାୟପାଳିକାକୁ କୌଣସି ସହାୟତା କରୁନାହାନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜିକାଲି ଦେଶରେ ଏକ ନୂଆ ଟ୍ରେଣ୍ଡ୍ ଆରମ୍ଭ ହୋଇଯାଇଛି । କୌଣସି ମାମଲାରେ ପ୍ରତିକୂଳ ରାୟ ଶୁଣାଇଲେ ବିଚାରପତିମାନଙ୍କ ନାଁରେ ବିଭିନ୍ନ ପ୍ରକାରର କୁତ୍ସାରଟନା କରାଯାଉଛି ।

ଗତ ମାସରେ ଧନବାଦର ଜିଲ୍ଲା ସେସନ୍ସ ଜଜ୍ ଉତ୍ତମ ଆନନ୍ଦ ପ୍ରାତଃଭ୍ରମଣ କରୁଥିବାବେଳେ ଏକ ଅଟୋରିକ୍ସା ତାଙ୍କୁ ଧକ୍କା କରି ମାରିଦେଇଥିଲା । ତାଙ୍କୁ ହତ୍ୟା କରାଯାଇଥିବା ସଂଦେହ କରାଯାଉଛି । ପୁଲିସ ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି । ଏହି ମାମଲାରେ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିବା ସହ ନିଜ ଆଡ଼ୁ ଏକ ମାମଲା ରୁଜ୍ଜୁ କରି ଶୁଣାଣି କରୁଛନ୍ତି ।

ସମ୍ବନ୍ଧିତ ଖବର