ସିବିଆଇକୁ ‘ମୋଇନ୍‌’ ଗ୍ରହଣ, ୩ ନି‌େର୍ଦ୍ଦଶକଙ୍କ ପତନର କାରଣ

ରଞ୍ଜିତ୍‌ ସିହ୍ନାଙ୍କ ଘରକୁ ୭୦ ଥର ଯାଇଥିଲେ, ଏ ପି ସିଂହଙ୍କ ସହ ମେସେଜ୍‌ ଦିଆନିଆ କରିଥିଲେ

ନୂଆଦିଲ୍ଲୀ: ବିବାଦୀୟ ମାଂସ ରପ୍ତାନିକାରୀ ମୋଇନ୍‌ ଅଖ୍‌ତାର କ୍ୟୁରେଶି। ଘର ଉତ୍ତର ପ୍ରଦେଶର କାନପୁର। ଦୁର୍ନୀତି, ଟିକସ ଫାଙ୍କି ଏବଂ ଅର୍ଥ ଠକେଇ (ମନି ଲଣ୍ଡରିଂ) ଭଳି ମାମଲାରେ ଜଡ଼ିତ ହୋଇ ସବୁବେଳେ ଚର୍ଚ୍ଚାରେ। ସିବିଆଇଠାରୁ ଆରମ୍ଭକରି ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଳି ଏଜେନ୍ସି ମୋଇନ୍‌ଙ୍କ ପାଇଁ ହରଡ଼ଘଣାରେ ପଡ଼ିଥିଲେ। ଅତ୍ୟନ୍ତ ଚାଲାକି କରି ଏହି ବ୍ୟକ୍ତି ଜଣକ ଏଜେନ୍ସିଗୁଡ଼ିକୁ ଭୁଅାଁ ବୁଲାଇବାରେ ଅନେକଥର ସମର୍ଥ ହୋଇଥିଲେ। ସିବିଆଇ ଭଳି ଏକ ଗୁରୁତ୍ବପୂର୍ଣ୍ଣ ତଦନ୍ତକାରୀ ଏଜେନ୍ସିରେ ‘ଗ୍ରହଣ’ ଲାଗିବା ପଛରେ ମୋଇନ୍‌ଙ୍କର ହିଁ ହାତ ରହିଛି। କେବଳ ଆଲୋକ ବର୍ମା ନୁହନ୍ତି, ସିବିଆଇର ଆଉ ଦୁଇ ନିର୍ଦ୍ଦେଶକଙ୍କ ପତନର କାରଣ ମୋଇନ୍‌ ବୋଲି ଜଣାପଡ଼ିଛି। ଲାଞ୍ଚ ମାମଲାରେ ବିବାଦୀୟ ହୋଇପଡ଼ି ଛୁଟିରେ ଯାଇଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ମଧ୍ୟରେ ଗତ ବର୍ଷେ ହେଲା ଲାଗିରହିଥିବା ବିବାଦର ମୂଳରେ ମୋଇନ୍‌ ରହିଛନ୍ତି। ମୋଇନ୍‌ଙ୍କ ମାମଲାରେ ତଦନ୍ତ ପରିସରକୁ ଆସିଥିବା ହାଇଦ୍ରାବାଦ ବ୍ୟବସାୟୀ ସତୀଶ ସନାଙ୍କ ଠାରୁ ଲାଞ୍ଚ ନେବା ଅଭିଯୋଗରେ ବର୍ମା ଓ ଅସ୍ଥାନା ଉଭୟେ ଫସିଛନ୍ତି। ତେବେ ସିବିଆଇ ନିର୍ଦ୍ଦେଶକ ଭାବେ ବର୍ମା ଏକା ନୁହନ୍ତି, ପୂର୍ବରୁ ମଧ୍ୟ ଏଜେନ୍ସିର ଦୁଇଜଣ ନି‌ର୍ଦ୍ଦେଶକ ମୋଇନ୍‌ଙ୍କ ‌େଯାଗୁ ହିଁ ଫସିଛନ୍ତି। ସେମାନେ ହେଲେ ଏ ପି ସିଂହ ଏବଂ ରଞ୍ଜିତ ସିହ୍ନା। ସିହ୍ନା ଓ ସିଂହଙ୍କ ପତନ ପଛରେ ମୋଇନ୍‌ଙ୍କ ହାତ ଥିବା ଜଣାପଡ଼ିଛି। ୧୯୯୩ରେ ରାମପୁରରେ ମୋଇନ୍‌ ଏକ କଂସେଇଖାନା ଖୋଲିଥି‌େଲ ଏବଂ ଖୁବ୍‌ କମ୍‌ ସମୟରେ ଜଣେ ବଡ଼ ମାଂସ ବେପାରୀ ବନିଗଲେ। କାରବାର ଏତେ ବଢ଼ିଗଲା ଯେ ସେ ବିଦେଶକୁ ମାଂସ ରପ୍ତାନି ମଧ୍ୟ ଆରମ୍ଭ କରିଥିଲେ। ୨୫ ବର୍ଷ ମଧ୍ୟରେ ସେ ନିର୍ମାଣଠାରୁ ଫ୍ୟାସନ୍‌ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ୨୫ରୁ ଅଧିକ କମ୍ପାନି ଠିଆ କରିଥିଲେ। ତାଙ୍କ ବିରୋଧରେ ଚୋରି, ଅର୍ଥ ଠକେଇ, ଲାଞ୍ଚ କାରବାର, ଟିକସଫାଙ୍କି ଭଳି ଅନେକ ଅଭିଯୋଗ ଆସିଥିଲା। ଏମିତି କି ହୱାଲା ଜରିଆରେ କୋଟି କୋଟି ଟଙ୍କା ବିଦେଶ ପଠାଇବାରେ ମଧ୍ୟ ସେ ସଫଳ ହୋଇଥିବା ଜଣାଯାଏ। ଏଥିପାଇଁ ତାଙ୍କୁ ପୁଲିସ ଅଧିକାରୀ, ରାଜନେତା ଏବଂ ଅନେକ ବରିଷ୍ଠ ପ୍ରଶାସନିକ ଅଧିକାରୀ ସହାୟତା କରୁଥିଲେ ଏବଂ ଏମାନଙ୍କୁ ଖୁସି କରିବା ପାଇଁ ସେ କୋଟି କୋଟି ଟଙ୍କା ଲାଞ୍ଚ ଦେଉଥିଲେ। ମୋଇନ୍‌ଙ୍କ ନାମ ପ୍ରଥମେ ୨୦୧୪ରେ ସାମ୍ନାକୁ ଆସିଥିଲା। ସେତେବେଳେ ସିବିଆଇର ତତ୍କାଳୀନ ନିର୍ଦ୍ଦେଶକ ରଞ୍ଜିତ୍‌ ସିହ୍ନାଙ୍କ ବାସଭବନକୁ ସେ ୧୫ ମାସ ମଧ୍ୟରେ ଅତିକମ୍‌ରେ ୭୦ ଥର ଯାଇଥିବା ଅଭିଯୋଗ ହୋଇଥିଲା। ସିହ୍ନାଙ୍କ ରେଜି‌ଷ୍ଟରରୁ ଏହି ତଥ୍ୟ ମିଳିଥିଲା। ଗତବର୍ଷ ହ‌ାଇଦ୍ରାବାଦ ବ୍ୟବସାୟୀ ସତୀଶ ସନା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଜଣାଇଥି‌େଲ ଯେ ସିବିଆଇ ମାମଲାରେ ଫସିଥିବା ନିଜ ବନ୍ଧୁଙ୍କୁ ଜାମିନ ପ୍ରଦାନ ପାଇଁ ୧ କୋଟି ଟଙ୍କା ମୋଇନ୍‌ଙ୍କୁ ଦେଇଥିଲେ। ତେବେ ଅଭିଯୁକ୍ତଙ୍କ ସହିତ ବାରମ୍ବାର ସାକ୍ଷାତ କରିବାକୁ ନେଇ ସୁପ୍ରିମ୍‌ କୋର୍ଟ ସିହ୍ନାଙ୍କୁ ଲଗାତର ଭର୍ତ୍ସନା କରିଥିଲେ। ଫଳରେ ସିବିଆଇ ଉପରେ ସବୁ ମହଲରୁ ଅଙ୍ଗୁଳି ଉଠିବା ଆରମ୍ଭ କରିଥିଲା। ଏହି ଘଟଣା ପରେ ମୋଇନ୍‌ ସିବିଆଇ ରାଡାରକୁ ଆସିଥିଲେ। ୨୦୧୨ରୁ ୨୦୧୪ ଯାଏ ସିବିଆଇ ମୁଖ୍ୟ ରହିଥିବା ସିହ୍ନା ବାରମ୍ବାର ନିଜ ଉପରେ ଉଠିଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ।

ମୋଇନ୍‌ଙ୍କ ସହ ସଂସ୍ପର୍ଶରେ ଆସିବା ଯୋଗୁ ସିବିଆଇ ପୂର୍ବ ନିର୍ଦ୍ଦେଶକ ଏ ପି ସିଂହ ମଧ୍ୟ ଫସିଥିଲେ। ମୋଇନ୍‌ ଏବଂ ସିଂହଙ୍କ ମଧ୍ୟରେ ମେସେଜ୍‌ ଦିଆନିଆ ହୋଇଥିବା ଅଭିଯୋଗ ହୋଇଥିଲା। ୨୦୧୦ରୁ ୨୦୧୨ ମଧ୍ୟରେ ସିବିଆଇ ମୁଖ୍ୟ ଥିବା ସିଂହଙ୍କ ଏଭଳି କାରନାମା ୨୦୧୪ରେ ଧରାପଡ଼ିଥିଲା। ମାମଲାରେ ଆୟକର ବିଭାଗ ଓ ଇଡି ତଦନ୍ତ କରିବା ପରେ ଗତବର୍ଷ ଫେବ୍ରୁଆରିରେ ସିବିଆଇ ସିଂହଙ୍କ ବିରୋଧରେ ଏତଲା ରୁଜୁ କରିଥିଲା।  ସଦ୍ୟତମ ଘଟଣାରେ ମୋଇନ୍‌ଙ୍କ ମାମଲାରେ ତଦନ୍ତ ପରିସରକୁ ଆସିଥିବା ବ୍ୟବସାୟୀ ସନାଙ୍କ ଯୋଗୁ ଅସ୍ଥାନା ଏବଂ ବର୍ମା ଫସିଛନ୍ତି। ବର୍ମା ସନାଙ୍କ ନିକଟରୁ ୨ କୋଟି ଟଙ୍କା ଲାଞ୍ଚ ନେଇଥିବା ଅସ୍ଥାନା କ୍ୟାବିନେଟ୍‌ ସଚିବ ଏବଂ ସିଭିସିଙ୍କୁ ଜଣାଇବା ପରେ ବର୍ମାଙ୍କ ପକ୍ଷରୁ ଅସ୍ଥାନାଙ୍କ ବିରୋଧରେ ୩ କୋଟି ଟଙ୍କା ଲାଞ୍ଚ ଅଭିଯୋଗ ଅଣାଯାଇଥିଲା। ଘଟଣାର ସତ୍ୟତା ଯାଞ୍ଚ ପାଇଁ ଏସ୍‌ଆଇଟି ଗଠନ ହୋଇଥିବା ବେଳେ ଇତିମଧ୍ୟରେ ଦୁଇଜଣଙ୍କୁ ଛୁଟିରେ ପଠାଯାଇଛି।

ସମ୍ବନ୍ଧିତ ଖବର