ସିବିଏସ୍‌ଇ ପ୍ରଶ୍ନପତ୍ର ପ୍ରଘଟ: ୨୦ ସନ୍ଦିଗ୍ଧ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ ଠାବ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ)ର ଦଶମ ଓ ଦ୍ୱାଦଶ ଶ୍ରେଣୀ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଜି ପୁଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୁରାକ୍‌ ମିଳିଛି । ଦ୍ୱାଦଶ ଶ୍ରେଣୀ ଅର୍ଥଶାସ୍ତ୍ର ପରୀକ୍ଷା ଏପ୍ରିଲ ୨୫ରେ କରାଯିବାକୁ ତାରିଖ ଧାର୍ଯ୍ୟ ହେବା ପରେ ଏହାକୁ ସୁରୁଖୁରୁରେ ସଂପନ୍ନ କରିବା ପାଇଁ ବ୍ୟାପକ ତତ୍ପରତା ପ୍ରକାଶ ପାଇଛି। ତେବେ ଗଣିତ ପରୀକ୍ଷା ହେବ କି ନାହିଁ ସେ ନେଇ ସସ୍‌୍‌ପେନ୍‌୍‌ସ ଜାରି ରହିଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆଜି ଝାଡ଼ଖଣ୍ଡ ପୁଲିସ ଛତ୍‌ରା ସ୍ଥିତ ଏକ କୋଚିଂ ସେଣ୍ଟରର ମାଲିକ ଏବଂ ୬ ଜଣ ଛାତ୍ରଙ୍କୁ ଗଣିତ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଅଟକ ରଖି ଜେରା ଚଳାଇଛି। ବିହାର ଓ ଝାଡ଼ଖଣ୍ଡରେ ମଧ୍ୟ ଏକ ଅନ୍ତଃରାଜ୍ୟ ର‍୍ୟାକେଟ ପ୍ରଶ୍ନପତ୍ର ପ୍ରଘଟ ପାଇଁ ଯୋଜନାବଦ୍ଧ ଭାବେ କାମ କରିଥିବା ଜଣାପଡ଼ିଛି। ଆଜି ରାତି ସୁଦ୍ଧା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ୨୦ଟି ହ୍ଵାଟ୍‌୍‌ସଆପ୍‌୍‌ ଗ୍ରୁପ୍‌୍‌ ସାମିଲ ଥିବା ତଦନ୍ତରୁ ଜଣାପଡ଼ିଛି। ପୁଲିସ ଏହି ସନ୍ଦିଗ୍ଧ ଗ୍ରୁପ୍‌୍‌କୁ ଠାବ କରିବା ପରେ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଅନ୍ୟପକ୍ଷରେ, ପ୍ରଶ୍ନପତ୍ର ପ୍ରଘଟ ନେଇ ଦେଶବ୍ୟାପୀ ଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ସିବିଏସ୍‌୍‌ଇ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦିଲ୍ଲୀ ରାଜେନ୍ଦ୍ର ନଗର ଅଂଚଳର ଜଣେ କୋଚିଂ ସେଣ୍ଟର ମାଲିକଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବ୍ୟାପକ ଚଢ଼ଉ ଅଭିଯାନ ଚଳାଇଛି। ଆଜି ସିବିଏସ୍‌୍‌ଇର ୩ ଜଣ ଅଧିକାରୀଙ୍କୁ ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଛି। ସିବିଏସ୍‌୍‌ଇ ବୋର୍ଡ ଅଧ୍ୟକ୍ଷଙ୍କ ନିକଟକୁ ଦଶମ ଶ୍ରେଣୀ ଗଣିତ ପରୀକ୍ଷା ପୂର୍ବରୁ ପ୍ରଘଟ ସଂକ୍ରାନ୍ତ ବିସ୍ତତ ମେଲ ଆସିଥିବାରୁ ଏହା କିଏ ପଠାଇଥିଲା ତାହା ଜାଣିବାକୁ ପୁଲିସ ଗୁଗଲ୍‌ର ସହାୟତା ଲୋଡ଼ିଛି।

ଆଜି ଦିଲ୍ଲୀ, ମୁମ୍ବାଇ ସମେତ ବିଭିନ୍ନ ସହରରେ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆନ୍ଦୋଳନ ଜୋର୍‌ଦାର ହୋଇଥିବା ବେଳେ ସିବିଏସ୍‌ଇର ବେପରୁଆ କାର୍ଯ୍ୟ ପାଇଁ ଆମେ କାହିଁକି କ୍ଷତି ସହିବୁ ବୋଲି ଛାତ୍ରଛାତ୍ରୀମାନେ ପ୍ରଶ୍ନ କରିଛନ୍ତି। ଦିଲ୍ଲୀରେ ଏନ୍‌ଏସ୍‌ୟୁଆଇ ସଦସ୍ୟମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କ ବାସଭବନ ଘେରାଉ ପାଇଁ ଯାଉଥିବା ବେଳେ ସେମାନଙ୍କୁ ରାସ୍ତାରେ ପୁଲିସ ଅଟକାଇଥିଲା। ଦିଲ୍ଲୀ ପୁଲିସ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଜି ସମୁଦାୟ ୩୫ ଜଣଙ୍କୁ ଜେରା କରିଛି। କେନ୍ଦ୍ରୀୟ ଦିଲ୍ଲୀର ଏକ ଘରୋଇ ବିଦ୍ୟାଳୟର ଜଣେ ଅର୍ଥଶାସ୍ତ୍ର ଶିକ୍ଷକ ଏବଂ ଏକ କୋଚିଂ ସେଣ୍ଟରର ମାଲିକ ପ୍ରଶ୍ନପତ୍ର ପ୍ରଘଟର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଥିବାରୁ ପୁଲିସ ସେମାନଙ୍କ ମୋବାଇଲ ଏବଂ କମ୍ପ୍ୟୁଟର ଯାଞ୍ଚ କରୁଛି। ପ୍ରଶ୍ନପତ୍ର ବିକ୍ରି କରିବା ମାମଲାରେ ୨୦ଟି ସନ୍ଦିଗ୍ଧ ହ୍ଵାଟ୍‌୍‌ସଆପ୍‌ ଗ୍ରୁପ୍‌ର ସଦସ୍ୟମାନଙ୍କ ସଂପର୍କରେ ଖୋଳତାଡ଼ ଆରମ୍ଭ ହୋଇଛି। ଏଥିରେ ବହୁ ସଂଖ୍ୟାରେ ଦଲାଲ, ଅଭିଭାବକ ଓ ଛାତ୍ର ସାମିଲ ଥିବା ତଦନ୍ତରୁ ଜଣାପଡ଼ିଛି। ଆଜି ଦିଲ୍ଲୀର ଆଉ ୬ଟି ସ୍ଥାନରେ ପୁଲିସ ଚଢ଼ଉ କରିଛି।

ଯାଞ୍ଚରେ ଗୁଗଲ୍‌ର ସହାୟତା ଲୋଡ଼ାଗଲା
ଝାଡ଼ଖଣ୍ଡରେ୬ ଛାତ୍ର ଅଟକ
ଦେଶବ୍ୟାପୀ ଅସନ୍ତୋଷ ତେଜୁଛି

ପ୍ରଘଟ ପୂର୍ବରୁ ମେଲ୍‌ ପାଇଥିଲେ ସିବିଏସ୍‌ଇ ମୁଖ୍ୟ

ସିବିଏସଇ ଦଶମ ଶ୍ରେଣୀ ଗଣିତ ପରୀକ୍ଷାର ଦିନକ ପୂର୍ବରୁ ବୋର୍ଡ ମୁଖ୍ୟ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଏକ ଇମେଲ୍‌ ପାଇଥିଲେ। ବୋର୍ଡ ଅଧ୍ୟକ୍ଷ ଅନୀତା କରଓ୍ଵାଲ୍‌ ପ୍ରଥମେ ଏହାକୁ ଖାମଖିଆଲ ଭାବେ ନେଇଥିଲେ ଏବଂ ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଏହାକୁ ଅଣଦେଖା କରିଥିଲେ। ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରୁ ସେ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ଦିଲ୍ଲୀ ପୁଲିସ କ୍ରାଇମ୍‌ବ୍ରାଞ୍ଚ୍‌ କରଓ୍ଵାଲ୍‌ଙ୍କୁ ଇମେଲ ପଠାଇଥିବା ବ୍ୟକ୍ତିକୁ ଧରିବା ପାଇଁ ଗୁଗଲର ସହାୟତା ଲୋଡ଼ିଛନ୍ତି ଏବଂ ଖୁବ୍‌୍‌ଶ୍ରୀଘ୍ର ସଂପୃକ୍ତ ବ୍ୟକ୍ତିକୁ ଠାବ କରାଯିବ ବୋଲି ଏସ୍‌୍‌ଆଇଟିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଉକ୍ତ ଇମେଲ୍‌ରେ ହାତଲେଖା ପ୍ରଶ୍ନପତ୍ର ମଧ୍ୟ ସଂଯୋଗ ହୋଇଥିବା ପୁଲିସ କହିଛି। ପ୍ରଶ୍ନପତ୍ର ବିକ୍ରି ଓ ଖରିଦ୍‌ କରିଥିବା ପ୍ରତି ହ୍ଵାଟ୍‌୍‌ସଆପ୍‌ ଗ୍ରୁପ୍‌ରେ ୫୦-୬୦ ଜଣ ସଦସ୍ୟ ରହଥିବା ବେଳେ ଏହି ଗ୍ରୁପ୍‌ରେ ଥିବା ଘରୋଇ କୋଚିଂ ସେଣ୍ଟରର କାର୍ଯ୍ୟକଳାପ ଉପରେ ସନ୍ଦେହ ଘନଉଛି। ବିହାର, ଝାଡ଼ଖଣ୍ଡ, ହରିୟାଣା ଓ ଦିଲ୍ଲୀର ୫ଟି କୋଚିଂ ସେଣ୍ଟରରେ ଚଢ଼ଉ ହୋଇଛି।

ମୋଦିଙ୍କୁ ରାହୁଲଙ୍କ କଟାକ୍ଷ: ‘ଏକ୍‌ଜାମ ଓ୍ଵାରିଅର୍ସ-୨’ ଲେଖନ୍ତୁ

ସିବିଏସ୍‌୍‌ଇ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ନେଇ କଂଗ୍ରେସ ଏବେ ମୋଦି ସରକାରଙ୍କୁ ଘେରିବାକୁ କୌଣସି ସୁଯୋଗ ହାତଛଡ଼ା କରୁନାହିଁ। ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦିଙ୍କୁ ‘ଦୁର୍ବଳ ଚୌକିଦାର’ କହିଥିବା ବେଳେ ଆଜି ପୁଣିଥରେ ଟ୍ଵିଟ୍‌ ମାଧ୍ୟମରେ ମୋଦିଙ୍କୁ କଟାକ୍ଷ କରି କହିଛନ୍ତି ମୋଦି ‘ଏକ୍‌ଜାମ ଓ୍ଵାରିଅର୍ସ-୨’ ପୁସ୍ତକ ଲେଖନ୍ତୁ। ରାହୁଲ କହିଛନ୍ତି ମୋଦିଙ୍କ ଏକ୍‌ଜାମ ଓ୍ଵାରିଅର୍ସ ପୁସ୍ତକର ପ୍ରଥମ ସଂସ୍କରଣ ପିଲାଙ୍କୁ ପରୀକ୍ଷା ସମୟରେ କେମିତି ଚାପମୁକ୍ତ ରହିହେବ ସେ ସଂପର୍କରେ ଶିକ୍ଷା ଦେଇଥିଲା। ଏବେ ‘ଏକ୍‌ଜାମ୍‌ ଓ୍ଵାରିଅର୍ସ-୨’ ଉଭୟ ପିଲା ଓ ଅଭିଭାବକଙ୍କୁ ପ୍ରଶ୍ନପତ୍ର ଲିକ୍‌ ହୋଇ ସେମାନଙ୍କ ଭବିଷ୍ୟତ ନଷ୍ଟ ହେବା ପରେ କେମିତି ଚାପମୁକ୍ତ ରହିବାକୁ ହେବ ତାହା ଶିଖାଇବ ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧିତ ଖବର