ମହାନଦୀ ଜଳବିବାଦ ଟ୍ରିବୁନାଲ ଗଠିତ

ନୂଆଦିଲ୍ଲୀ : ମହାନଦୀ ଜଳ ଆବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ମହାନଦୀ ଜଳ ବିବାଦ ଟ୍ରିବୁନାଲ ଗଠନ କରିଛନ୍ତି । କେନ୍ଦ୍ର ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଖାନଓ୍ଵିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟ୍ରିବୁନାଲରେ ପାଟନା ହାଇକୋର୍ଟ ଜଜ୍‌ ଜଷ୍ଟିସ ଡଃ ରବି ରଂଜନ ଓ ଦିଲ୍ଲୀ ହାଇକୋର୍ଟ ଜଜ୍‌ ଜଷ୍ଟିସ ଇନ୍ଦରମିତ କୌର କୋଚାର ସଦସ୍ୟ ଅଛନ୍ତି । ଏହି ଟ୍ରିବୁନାଲର ମୁଖ୍ୟାଳୟ ନୂଆଦିଲ୍ଲୀଠାରେ ରହିବ ।

କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ପକ୍ଷରୁ ଜାରି ଗେଜେଟ୍ ବିଜ୍ଞପ୍ତି

ଏହି ଟ୍ରିବୁନାଲ ଗଠନ ପାଇଁ ଓଡ଼ିଶା ସରକାର ଗତ ଅନେକ ମାସ ଧରି ଦାବି କରିଆସୁଥିଲେ । ଏ ନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଏକ ରିଟ୍‌ ପିଟିସନ ଦାଏର କରିଥିଲେ । ଏହି ମାଲାର ଶୁଣାଣୀ କରି ସୁପ୍ରିମକୋର୍ଟ ଗତ ଜାନୁୟାରୀ ୨୩ରେ ଏକ ଜଳବିବାଦ ଟ୍ରିବୁନାଲ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମହାନଦୀ ଜଳବିବାଦ ମାମଲାର ସମାଧନ ପାଇଁ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ କରିବା ପାଇଁ ଛତିଶଗଡ଼ ଦାବି କରିଆସୁଥିଲା । ୧୯୮୩ ଏପ୍ରିଲ୍ ୨୮ ତାରିଖ ଚୁକ୍ତିନାମାର ସ୍ମାରକପତ୍ର ଅନ୍ତର୍ଗତ ୧୧ ନଂ ଧାରା ଅନୁଯାୟୀ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ହେଉ ବୋଲି ଛତିଶଗଡ ନିଜର ସତପାଠରେ ସୁପ୍ରିମକୋର୍ଟଙ୍କୁ କହିଥିଲା । ଅନପକ୍ଷରେ ଟ୍ରିବ୍ୟୁନାଲ ଗଠନ ପାଇଁ ଓଡ଼ିଶା ଦାବି କରିଆସୁଥିଲା ।

ସମ୍ବନ୍ଧିତ ଖବର