ପି. ଚିଦାମ୍ବରମ୍‌ ଓ କାର୍ତ୍ତିଙ୍କ ବିରୋଧରେ ମାମଲା ଚଳାଇବା ଲାଗି ସିବିଆଇକୁ ଅନୁମତି ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ୍‌ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ଅଡୁଆ ବଢ଼ିଛି। ସେମାନଙ୍କ ବିରୋଧରେ ମୋକଦ୍ଦମା ଚଳାଇବା ଲାଗି କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ୩୦୫ କୋଟି ଟଙ୍କାର ଏୟାରସେଲ୍‌-ମାକ୍ସିସ୍‌ ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇକୁ କେନ୍ଦ୍ର ସରକାର ମାମଲା ରୁଜୁ କରି ଚିଦାମ୍ବରମଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଲାଗି ଅନୁମତି ଦେଇଛନ୍ତି।

ସୋମବାର ସିବିଆଇ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟଙ୍କୁ ଜଣାଇଛି କି ଏୟାରସେଲ୍‌-ମ୍ୟାକ୍ସିସ୍‌ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍‌ ଏବଂ ତାଙ୍କର ପୁଅ କୀର୍ତ୍ତି ଚିଦାମ୍ବରମ୍‌ଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଲାଗି ଅଧିକୃତ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଅଣାଯାଇଛି।

ପୂର୍ବରୁ ସିବିଆଇ ପକ୍ଷରୁ ଅଦାଲତଙ୍କୁ କୁହାଯାଇଥିଲା କି ଚିଦାମ୍ବରମ୍‌ ଏବଂ ତାଙ୍କ ପୁତ୍ରଙ୍କ ବିରୋଧରେ ମୋକଦ୍ଦମା ଲାଗି ଆବଶ୍ୟକ ଅନୁମତି ଆଣିବା ଲାଗି ୨ ସପ୍ତାହ ସମୟ ଲାଗିବ। ଏହାପରେ ଅଦାଲତ ଅଭିଯୁକ୍ତ ବାପ-ପୁଅଙ୍କୁ ଆଇନଗତ ସୁରକ୍ଷାକୁ ଡିସେମ୍ବର ୧୮ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଡିସେମ୍ବର ୧୮ ମଧ୍ୟରେ ସିବିଆଇ ସେମାନଙ୍କୁ ଗିରଫ କରିପାରିବ ନାହିଁ।

ଏହି ମାମଲାର ଅର୍ଥନୈତିକ କାରବାରର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରୁଛି।

ସମ୍ବନ୍ଧିତ ଖବର