ପଞ୍ଜାବର ‘ଚାଇନା’ ଗାଁ’କୁ ‘ଚୀନ୍‌’ ଭାବି ବେଜିଙ୍ଗ୍‌କୁ ପାର୍ସଲ୍‌ ପଠାଇଲା ଡାକ ବିଭାଗ

ଚଣ୍ଡିଗଡ଼: ସେକ୍ଟର୍‌ ୧୬ସ୍ଥିତ ଜେନେରାଲ୍‌ ପୋଷ୍ଟ୍‍ ଅଫିସ୍‌ର ତ୍ରୁଟି ଯୋଗୁଁ ପଞ୍ଜାବର ଗୋଟାଏ ଗାଁ’କୁ ଜଣେ ମହିଳା ତାଙ୍କ ମାଆଙ୍କ ନିମନ୍ତେ ପଠାଇଥିବା ରକ୍ତଚାପ ଔଷଧ ଭରା ପାର୍ସଲ୍‌ଟି ଯାଇ ଚୀନ୍‌ରେ ପହଞ୍ଚିଥିଲା।

ପାର୍ସଲ୍‌ ଉପରେ ଫରିଦ୍‌କୋଟ୍‌ର ଜାଇତୋ ତହସିଲ୍‌ ଅନ୍ତର୍ଗତ ଚାଇନା ଗାଁ’ ଠିକଣାକୁ ଭୁଲ୍‌ରେ ଚୀନ୍‌ ବୋଲି ଧରି ନେଇଥିଲେ ବୋଲି ଡିଷ୍ଟ୍ରିକ୍‌ଟ୍‌ କଞ୍ଜୁମର୍‌ ଡିସ୍‌ପ୍ୟୁଟ୍‌ ରିଡ୍ରେସାଲ୍‌ ଫୋରମ୍‌ ଜାରି କରିଥିବା ନୋଟିସ୍‌ର ଜବାବରେ ପୋଷ୍ଟ୍‍ ଅଫିସ୍‌ କହିଛି। ପାର୍ସଲ୍‌ର ପ୍ରେରକ ମଣିମାଜ୍ରା ଅନ୍ତର୍ଗତ ନିୟୁ ଦର୍ଶନୀ ବାଗ ବାସିନ୍ଦା ବଲ୍‌ଓ୍ଵିନ୍ଦର୍‌ କୌର୍‌ ଏଥିପାଇଁ ଖାଉଟି ଅଦାଲତରେ ଅଭିଯୋଗ କରିଥିଲେ।

୨୦୧୮ ମସିହା ଜାନୁଆରି ୧୮ ତାରିଖ ଦିନ ରାଜଭବନ ଶାଖା ପୋଷ୍ଟ୍‍ ଅଫିସରେ ସେ ସମ୍ପୃକ୍ତ ପାର୍ସଲ୍‌ ରେଜିଷ୍ଟ୍ରି ପୋଷ୍ଟ୍‍ରେ ପଠାଇଥିଲେ। ପାର୍ସଲ୍‌ଟି ଚଣ୍ଡିଗଡ଼ ଓ ଦିଲ୍ଲୀରୁ ଯାଇ ୨୦୧୮ ଜାନୁଆରି ୧୯ରୁ ୨୦୧୮ ଜାନୁଆରି ୨୭ ତାରିଖ ଯାଏଁ ଚୀନ୍‌ରେ ଥିଲା। ଶେଷକୁ ୨୦୧୮ ଜାନୁଆରି ୩୧ ତାରିଖ ଦିନ ତାହା କୌର୍‌ଙ୍କ ପାଖକୁ ଫେରିଆସିଥିଲା।

ଡାକ କର୍ତ୍ତୃପକ୍ଷମାନେ ଯୁକ୍ତି ବାଢ଼ିଛନ୍ତି କି, ଭାରତୀୟ ଡାକଘର ଆଇନ୍‌ର ଧାରା ୬ ଅନୁସାରେ, ପରିବହନ ସମୟରେ ଡାକଘରର କୌଣସି ଜିନିଷ ଭୁଲ୍‌ ସ୍ଥାନକୁ ଯାଇ ଡେଲିଭରି କରିବାରେ ବିଳମ୍ବ ହେଲେ କିଂବା ନଷ୍ଟ ହୋଇଗଲେ କେନ୍ଦ୍ର ସରକାର କିଂବା ତାଙ୍କର ଡାକ ଅଧିକାରୀମାନେ ଦାୟୀ ରହିବେ ନାହିଁ।

ସେମାନେ ଆହୁରି କହିଛନ୍ତି: ପୂର୍ଣ୍ଣ ଡାକ ଠିକଣା ଲେଖିବା ପରେ କୌର୍‌ ପୁଣି ଲେଖିଥିବା ‘ଡେଲିଭରି ଚାଇନା’ ହିଁ ବାଉଳା କରାଇବାର କାରଣ।
କିନ୍ତୁ ଫୋରମ୍‌ କହିଛି, ଅଭିଯୋଗକାରିଣୀଙ୍କ ଠାରୁ ଯଥାର୍ଥ ପ୍ରାପ୍ୟ ନେଇ ଥିବାରୁ କର୍ମଚାରୀମାନେ ତ୍ରୁଟିହୀନ ଓ ଫଳପ୍ରଦ ସେବା ଯୋଗାଇ ଦେବା କଥା। କିନ୍ତୁ ସେମାନେ ସେଥିରେ ବିଫଳ ହୋଇଛନ୍ତି।

ଶେଷରେ ଫୋରମ୍‌ ଡାକ ବିଭାଗ ଉପରେ ୫୦୦୦ ହଜାର ଟଙ୍କା ଜରିମାନ କରିଛନ୍ତି।

ସମ୍ବନ୍ଧିତ ଖବର