କିରଣ ଖେର୍‌ଙ୍କ ବିବାଦୀୟ ବୟାନ, ଦୁଷ୍କର୍ମ ପୀଡିତାଙ୍କୁ ସେହି ଅଟୋରେ ବସିବାର ହିଁ ନଥିଲା

ଚଣ୍ଡୀଗଡ଼: ଚଣ୍ଡୀଗଡ଼ର ୨୨ବର୍ଷର ଯୁବତୀ ଗଣଦୁଷ୍କର୍ମ ଶିକାର ହୋଇଥିବା ମାମଲାରେ ବିଜେପି ସାଂସଦ ତଥା ଅଭିନେତ୍ରୀ କିରଣ ଖେର ବୁଧବାର ଏକ ବିବାଦୀୟ ବୟାନ ଦେଇଛନ୍ତି। ଯାହାକୁ ନେଇ ବିବାଦ ଦେଖା ଦେଇଛି। କିରଣ ଦୁଷ୍କର୍ମ ପୀଡିତାଙ୍କୁ ଆଶ୍ୱସନା ଦେବା ସହିତ କହିଥିଲେ, ପୀଡିତା ଯେତେବେଳେ ଦେଖିଥିଲେ କି ଅଟୋ ରିକ୍ସାରେ ପୂର୍ବରୁ ହିଁ ଦୁଇଜଣ ଯୁବକ ବସିଛନ୍ତି। ତେବେ ତାଙ୍କୁ ସେହି ଅଟୋ ରିକ୍ସାରେ ବସିବାର ହିଁ ନଥିଲା। କିରଣଙ୍କ ଏହି ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଏହି ବୟାନ ପରେ କିରଣ ଖେର ସଫେଇ ଦେଇ କହିଛନ୍ତି, ‘ମୋ ବୟାନକୁ ନେଇ ରାଜନୀତି କରାଯାଉଛି। ମୁଁ କେବଳ ଏତିକି କହିଥିଲି ଆଜିକା ସମାଜରେ ଝିଅମାନଙ୍କୁ ବହୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଯାତ୍ରା କରୁଥିବା ବସ୍‌, ଅଟୋ ଓ ଟ୍ୟାକ୍ସିର ନମ୍ବର ଓ ଚାଳକ ନାମ ଟିପି ରଖିବାକୁ ଯେପରି ସେମାନେ ନଭୁଲନ୍ତି ବୋଲି କିରଣ କହିଥିଲେ।

ସୂଚନାଯୋଗ୍ୟ, ମୋହାଲିର ପିଜିରେ ରହୁଥିବା ୨୨ବର୍ଷର ଜଣେ ଯୁବତୀ ନଭେମ୍ବର ୧୭ ତାରିଖ ଦିନ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ସେ ୧୭ ତାରିଖ ରାତିରେ ଘରକୁ ଫେରିବା ପାଇଁ ଏକ ଅଟୋକୁ ଅଟାଇଥିଲେ। ସେ ଯେଉଁ ଅଟୋ ରିକ୍ସାରେ ବସିଥିଲେ ସେଥିରେ ଅଟୋ ଚାଳକକୁ ମିଶାଇଲେ ପୂର୍ବରୁ ଦୁଇଜଣ ବସିଥିଲେ। କିଛି ବାଟ ଗଲା ପରେ ସେମାନେ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ। ଏହି ମାମଲାରେ ପୁଲିସ ତିନିଜଣ ଦୁଷ୍କର୍ମକାରୀକୁ ଗିରଫ ମଧ୍ୟ କରିଥିଲା।

ବୁଧବାର ଏହି ମାମଲାରେ ବିଜେପି ସାଂସଦ କିରଣ ଖେର କହିଥିଲେ, ‘ମୁଁ ସମସ୍ତ ପିଲାମାନଙ୍କୁ କହିବାକୁ ଚହୁଛି, ଯଦି ଅଟୋରେ ପୂର୍ବରୁ ତିନିଜଣ ଯୁବକ ବସିଥିଲେ ତେବେ ପୀଡିତାଙ୍କୁ ସେହି ଅଟୋରେ ବସିବାର ନଥିଲା। ମୁଁ ଝିଅମାନଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ଚେତାଇ ଦେବାକୁ ଚାହୁଁଛି। ଆମେ ବି ଯେତେବେଳେ ବାହାରକୁ ଯାଉ, ଯେଉଁ ଅଟୋ ରିକ୍ସାରେ ବସିଥାଉ ସେହି ଅଟୋ କିମ୍ବା ଟେକ୍ସିର ନମ୍ବର ଲେଖି ଅଭିଭାବକଙ୍କୁ ଦେଇଥାଉ। ଆଜିକା ଦିନରେ ଆମ ଏଭଳି ପରିସ୍ଥିତି ପ୍ରତି ସତର୍କ ରହିବା ଆବଶ୍ୟକ।

ଅନ୍ୟପକ୍ଷରେ କଂଗ୍ରେସର ବରିଷ୍ଠ ନେତା ପବନ କୁମାର ବଂସଲ କିରଣଙ୍କ ଏହି ବୟାନକୁ ନେଇ ଆଲୋଚନା କରିବା ସହିତ ଆଶ୍ଚଯ୍ୟଚକିତ ହୋଇପଡ଼ିଛନ୍ତି। ପବନଙ୍କ କହିବାନୁସାରେ, କିରଣ କିଭଳି ଭାବେ ଏଭଳି ବୟାନ ଦେଲେ ମୁଁ ତାହା ଭାବି ପାରୁନାହିଁ। ଏହି ବୟାନରୁ ଲାଗୁଛି ସେ ଗମ୍ଭୀର ମାମଲାକୁ ଏଭଳି ହାଲ୍‌କା ଭାବେ ନେଇ ଥାଆନ୍ତି। ଚଣ୍ଡୀଗଡ଼ ଯୁବତୀମାନେ କିପରି ନିଜର ସୁରକ୍ଷା ନିଜେ କରି ପାରିବେ ସେ ବିଷୟରେ କିଛି ନକହି ଏପରି କହିବାର ଯର୍ଥାଥ ମୁଁ କିଛି ବୁଝିପାରୁ ନାହିଁ ବୋଲି କହିଛନ୍ତି ପବନ କୁମାର ବଂସଲ।

 

ସମ୍ବନ୍ଧିତ ଖବର