ଛତିଶଗଡ଼ ନିର୍ବାଚନ : ଆଜି ଅନ୍ତିମ ପର୍ଯ୍ୟାୟ ଲଢ଼େଇ

୭୨ ଆସନରେ ହେବ ଭୋଟ୍‌ O ଲକ୍ଷେରୁ ଅଧିକ ପୁଲିସ ମୁତୟନ O ୧୯୨୯୬ ବୁଥ୍‌ରେ ହେବ ମତଦାନ

ରାୟପୁର: ଛତିଶଗଡ଼ର ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୭୨ ଆସନ ପାଇଁ ଆସନ୍ତାକାଲି ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୋଟ ୧୯,୨୯୬ ବୁଥ୍‌ରେ ମତଦାନ ଅନୁଷ୍ଠିତ ହେବ। ଏହାକୁ ଆଖିରେ ରଖି ୧୯ଟି ଜିଲ୍ଲାରେ ସୁରକ୍ଷା‌ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବୁଥ୍‌ଗୁଡ଼ିକରେ ଲକ୍ଷେରୁ ଅଧିକ ପୁଲିସ କର୍ମୀ ମୁତୟନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୮ଟି ଆସନ ପାଇଁ ନିର୍ବାଚନ ହୋଇଥିଲା, ଯାହା କି ନକ୍ସଲ୍‌ ଉପଦ୍ରୁତ ଅଞ୍ଚଳରେ ଥିଲା। ତେଣୁ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କୌଣସି ବିପଦ ନାହିଁ ବୋଲି କୁହାଯାଉଛି।
ମତଦାନକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପାଦନ କରିବା ଲାଗି ନିର୍ବାଚନ କମିସନ୍‌ଙ୍କ ପକ୍ଷରୁ ସବୁ ବ‌ନ୍ଦୋବସ୍ତ କରାଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ୭୨ ଆସନ ପାଇଁ ୧,୦୭୯ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ଏଥିପାଇଁ ପ୍ରଚାର ଶେଷ ହୋଇଥିବା ବେଳେ ଆସନ୍ତାକାଲି ୧,୫୩,୮୫,୯୮୩ ଭୋଟର୍‌ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମୋଟ ଭୋଟରଙ୍କ ମଧ୍ୟରେ ୭୭,୪୬,୬୨୮ ପୁରୁଷ ଥିବା ବେଳେ ମହିଳା ଭୋଟର୍‌ଙ୍କ ସଂଖ୍ୟା ୭୬,୩୮,୪୧୫ ରହିଛି। ରାୟପୁର ସିଟି ସାଉଥ୍‌ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୪୬ ଜଣ ପ୍ରାର୍ଥୀ ପରସ୍ପର ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ବିନ୍ଦ୍ରାନବଗଡ଼ ନିର୍ବାଚନ ମଣ୍ଡଳୀରେ ସର୍ବନିମ୍ନ ୬ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ଏକଲକ୍ଷରୁ ଅଧିକ ପୁଲିସ ମୁତୟନ କରାଯାଇଛି। ତେବେ ଗାରିଆବନ୍ଦ, ଧାମତାରି, ମହସାମୁନ୍ଦ, କବୀରଧାମ, ଯଶପୁର ଓ ବଳରାମପୁର ଜିଲ୍ଲା ନକ୍ସଲ ଉପଦ୍ରୁତ ଅଞ୍ଚଳରେ ଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଅଧିକ ଧ୍ୟାନ ଦିଆଯାଇଛି। ନକ୍ସଲ୍‌ ଉପଦ୍ରୁତ ଅଞ୍ଚଳ ସତ୍ତ୍ବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୬ ପ୍ରତିଶତ ମତଦାନ ହୋଇଥିଲା। ଭୋଟର୍‌ମାନଙ୍କୁ ଆକୃଷ୍ଟ କରିବା ପାଇଁ ନିର୍ବାଚନ କମିସନ୍‌ଙ୍କ ପକ୍ଷରୁ ମହିଳା ଓ ଯୁବ ଭୋଟର୍‌ଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

ଝଲକରେ ୨୦୧୩ ନିର୍ବାଚନ
ରାୟପୁର: ଚଳିତବର୍ଷ ଭଳି ଛତିଶଗଡ଼ର ୨୦୧୩ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ନଭେମ୍ବର ୧୧ ଓ ୧୯ ତାରିଖରେ ଅନୁଷ୍ଠିତ ହୋଇଥିଲା। ନଭେମ୍ବର ୧୧ରେ ୧୮ଟି ଆସନ ପାଇଁ ହୋଇଥିବା ନିର୍ବାଚନରେ ୭୫.୫୩% ମତଦାନ ହୋଇଥିଲା ବେଳେ ୧୯ରେ ୭୪.୭% ମତଦାନ ହୋଇଥିଲା। ଏଥିରେ ବିଜେପି ପ୍ରାର୍ଥୀମାନେ ୪୯ ଆସନରେ ବିଜୟୀ ହୋଇଥିଲା ବେଳେ କଂଗ୍ରେସ ୩୯ ଆସନ ହାତେଇଥିଲା। ରାଜ୍ୟର ମୋଟ ୧,୬୮,୯୫,୭୬୨ ପଞ୍ଜୀକୃତ ଭୋଟରଙ୍କ ମଧ୍ୟରୁ ୧,୩୦,୭୩,୮୩୩ ଜଣ ମତସାବ୍ୟସ୍ତ କରିଥିଲେ।

ସମ୍ବନ୍ଧିତ ଖବର