ଏସ୍‌ଏସ୍‌ପିଙ୍କ ଏଭଳି କଥା ଶୁଣି ବିକ୍ଷୋଭ ପାଇଁ ଆସିଥିବା ଯୁବକମାନେ ଆପଣାଛାଏଁ ଘରକୁ ଫେରିଗଲେ

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଥିବା ବେଳେ ଉତ୍ତରପ୍ରଦେଶର ୨୦ରୁ ଅଧିକ ସହରରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏଭଳି ହିଂସାତ୍ମକ ପରିସ୍ଥିତି ଭିତରୁ ଇଟାଓ୍ଵାରୁ ଏକ ଭଲ ଓ ମନଛୁଆଁ ଫଟୋ ସାମ୍ନାକୁ ଆସିଛି।

ଆଜି ଇଟାଓ୍ଵାରେ ବିକ୍ଷୋଭ ପାଇଁ ରାସ୍ତାକୁ ଓହ୍ଲାଇ ଆସିଥିବା ବିକ୍ଷାଭକାରୀଙ୍କୁ ଏସ୍‌ଏସ୍‌ପି ସନ୍ତୋଷ ମିଶ୍ରା ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ଜନସଂଖ୍ୟା ପଞ୍ଜିକରଣ(ଏନ୍‌ଆରସି) ମଧ୍ୟରେ ପାର୍ଥକ୍ୟ କ’ଣ ରହିଛି ତାହାକୁ ସ୍ପଷ୍ଟ ଭାବେ ବୁଝାଇଥିଲେ। ଏସ୍‌ଏସ୍‌ପିଙ୍କ ଏହି ସମୟର ଭିଡିଓକୁ ବାଲା ନାମକ ଜଣେ ବ୍ୟକ୍ତି ଟୁଇଟରରେ ସେୟାର କରିବା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଇଟଓ୍ଵା ଜିଲ୍ଲାରେ ଗତ ଶୁକ୍ରାବାର (ଡିସେମ୍ବର ୨୦) ତାରିଖ ଦିନ କିଛି ଯୁବକ ବିକ୍ଷୋଭ ପ୍ରଦର୍ଶନ ପାଇଁ ରାସ୍ତାକୁ ଓହ୍ଲାଇ ଆସିଥିଲେ। ଏହି ଯୁବ ବିକ୍ଷୋଭକାରୀଙ୍କ ଉପରେ ପୁଲିସ ନଜର ରଖିଥିଲା।  ବିକ୍ଷୋଭକାରୀଙ୍କ ସମ୍ପର୍କରେ ଏସ୍‌ଏସ୍‌ପି ମିଶ୍ରାଙ୍କୁ  ଖବର ମିଳିବା କ୍ଷଣି ସେ କାଳବିଳମ୍ବ ନକରି ଘଟଣାସ୍ଥଳରେ ପହଞ୍ଚିଥିଲେ। ତା‘ପରେ ସିଧା ସେମାନଙ୍କପାଖକୁ ଯାଇ ଆଇନ ବିଷୟରେ ଆଲୋଚନା କରି ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ଜନସଂଖ୍ୟା ପଞ୍ଜିକରଣ(ଏନ୍‌ଆରସି) ମଧ୍ୟରେ ପାର୍ଥକ୍ୟ କ’ଣ ରହିଛି ତାହା ବୁଝାଇଥିଲେ।

ଏସ୍‌ଏସ୍‌ପି ଯୁବ ବିକ୍ଷୋଭକାରୀଙ୍କୁ କହିଥିଲେ, ସମସ୍ତଙ୍କୁ ଏଠାରେ ହିଁ ରହିବାର ଅଛି। ଭାରତରୁ କେହି ବାହାରି ପାରିବେ ନାହିଁ। ଦେଖିବ କାଲି ଆମେ ଏଠାରେ ଥିଲେ ଓ ଭବିଷ୍ୟତରେ ବି ଏଠାରେ ରହିବା। ଏମିିତି କୌଣସି  ଆଇନ ନାହିଁ ଯିଏକି ଦେଶର ନାଗରିକଙ୍କୁ ବାହାରକୁ ବାହାର କରିଦେବ। ଆପଣମାନଙ୍କୁ କିଏ କହିଛି କି ନାଗରିକଙ୍କୁ  ଦେଶରୁ ବାହାର କରାଯାଉଛି ?ଯିଏ ବି ଏହି କଥା କହିଛି ସେ ସମ୍ପୂର୍ଣ୍ଣ ଭାବେ ଭୁଲ କଥା କହିଛି। ଏହି ଆଇନ ଦେଶରୁ ବାହାରୁ ଆସୁଥିବା ଲୋକମାନଙ୍କ ପାଇଁ ହୋଇଛି।’

ଏସ୍‌ଏସ୍‌ପିଙ୍କ ମୁହଁରୁ ଏଭଳି କଥା ଶୁଣି ଯୁବ ବିକ୍ଷୋଭକାରୀ ନରମି ଯାଇଥିଲେ। ଆପଣାଛାଏଁ ନିଜନିଜ ଘରକୁ ଫେରି ଯାଇଥିଲେ।

ସମ୍ବନ୍ଧିତ ଖବର