ବେଜିଂ: ତିବ୍ଦତ ସୀମାରେ ଶକ୍ତି ବଢ଼ାଉଛି ଚୀନ। ନିକଟରେ ତିବ୍ଦତକୁ ଲାଗି ରହିଥିବା ଭାରତ-ଚୀନ ସୀମାନ୍ତରେ ହାଲୁକା ଲଢ଼ୁଆ ଟ୍ୟାଙ୍କ ଚୀନ ମୁତୟନ କରିଥିବା ବେଳେ ଏବେ ଆଉ ପାଦେ ଆଗେଇଛି। ଭାରତୀୟ ସୀମାରେ ମୁତୟନ ହୋଇଥିବା ପିପୁଲ୍ସ ଲିବରେସନ୍ ଆର୍ମିକୁ ଚୀନ ସରକାର ସାମରିକ ଯାନରେ ଖଞ୍ଜା ଯାଇଥିବା ହୋଇଜର କମାଣ ଯୋଗାଇ ଦେଇଛନ୍ତି। ଏହା ଫଳରେ ଚୀନ ଯବାନମାନେ ପାର୍ବତ୍ୟାଞ୍ଚଳରେ ସହଜରେ ନିଜ ସାଥୀରେ କମାଣ ଧରି ସ୍ଥାନ ପରିବର୍ତ୍ତନ କରି ପାରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଚୀନ୍ର ସରକାରୀ ସମ୍ବାଦପତ୍ର ଗ୍ଲବାଲ୍ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ତିବ୍ଦତ ସ୍ୱୟଂଶାସିତ ଅଞ୍ଚଳରେ ସେନାକୁ ମୋବାଇଲ ହୋଇଜର କମାଣ ଯୋଗା ଯାଇଛି। ଭାରତ ସୀମାରେ ଚୀନ ସେନାର ଶକ୍ତି ବୃଦ୍ଧି ସାମରିକ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି।
ଉଲ୍ଲେଖଯୋଗ୍ୟ କି, ୨୦୧୭ ମସିହାରେ ଡୋକ୍ଲାମ୍ଠାରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସୃଷ୍ଟି ହୋଇଥିବା ମୁହାଁମୁହିଁ ପରିସ୍ଥିତି ବେଳେ ପିଏଲ୍ଏ ପକ୍ଷରୁ ମୋବାଇଲ୍ ହୋଇଜର ମୁତୟନ କରାଯାଇଥିଲା।
ସାମରିକ ବିଶେଷଜ୍ଞଙ୍କ ଅନୁସାରେ ଡୋକ୍ଲାମ୍ ସଙ୍କଟ ପରେ ଭାରତ ଓ ଚୀନ ସୀମାରେ ଉତ୍ତେଜନା ହ୍ରାସ ପାଇବା ପରେ ଚୀନ ସାମରିକ ଶକ୍ତି ବଢ଼ାଇବା ଆଦୌ ସହଜ ଭାବରେ ଗ୍ରହଣ କରିବା ଉଚିତ ନୁହେଁ।
ପିଏଲସି-୧୮୧ ଶ୍ରେଣୀୟ ଲଢ଼ୁଆ ଯାନରେ ଖଞ୍ଜା ଯାଇଛି ଏହି ହୋଇଜର କମାଣ। ଏହା ଫଳରେ ପାହାଡିଆ ଅଞ୍ଚଳରେ କ୍ଷୀପ୍ର ବେଗରେ ସ୍ଥାନ ପରିବର୍ତ୍ତନ କରିବା ସହ ଶତୃପକ୍ଷ ଉପରେ ଗୋଳା ବର୍ଷଣ କରି ପାରିବ ଚୀନ ସେନା।