ତିରୁବନନ୍ତପୁରମ୍: କେରଳର ୪୩ ବର୍ଷୀୟା ଜଣେ ଦଳିତ ସମାଜସେବୀ ଅଭିଯୋଗ ଆଣିଛନ୍ତି ଯେ ଗତ ବର୍ଷ ଅକ୍ଟୋବରରେ ବିରୋଧ ପ୍ରଦର୍ଶନ ସତ୍ତ୍ୱେ ସେ ଜୋର୍ଜବରଦସ୍ତ ସାବରିମାଳା ମନ୍ଦିର ଭିତରକୁ ପ୍ରବେଶ ଉଦ୍ୟମ କରିଥିବା ହେତୁ ଏବେ ତାଙ୍କ ଝିଅର ସ୍କୁଲ୍ରେ ନାମ ଲେଖାଇବାରେ ସମସ୍ୟା ଦେଖା ଦେଇଛି। ସେ ଅଭିଯୋଗ ଆଣି କହିଛନ୍ତି କି ଦକ୍ଷିଣପନ୍ଥୀ ସଂଗଠନର ଚାପ ହେତୁ ତାଙ୍କ ୧୧ ବର୍ଷୀୟା ଝିଅଙ୍କର ଏକ ବେସରକାରୀ ସ୍କୁଲ୍ରେ ନାମ ଲେଖା ହୋଇପାରି ନାହିଁ। ସ୍କୁଲ୍ ପକ୍ଷରୁ ତାଙ୍କୁ ସ୍ପଷ୍ଟ ଭାବେ ମନା କରି ଫେରାଇ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପାଲକଡ ଜିଲ୍ଲାର ଅଗଲିଠାରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଇଂରାଜୀ ପାଠ ପଢ଼ାଉଥିବା ବିନ୍ଦୁ ଥଙ୍କମ୍ କଲ୍ୟାଣୀ ଗତ ବର୍ଷ ଆନ୍ଦୋଳନ ସମୟରେ ଆୟାପ୍ପା ଭଗବାନଙ୍କ ଦର୍ଶନ ସକାଶେ ସାବଳିମାଳା ମନ୍ଦିରରେ ଜୋର୍ ଜବରଦସ୍ତ ପଶିବାକୁ ଉଦ୍ୟମ କରିଥିଲେ। ମାତ୍ର ଆନ୍ଦୋଳନକାରୀମାନେ ତାଙ୍କୁ ଭିତରକୁ ପଶିବାକୁ ଦେଇନଥିଲେ।
ଏ ସଂପର୍କରେ କଲ୍ୟାଣୀ କହନ୍ତି, ‘କିଛି ଦିନ ତଳେ ଅନାଇକଟିରେ ଥିବା ‘ବିଦ୍ୟା ବନମ୍’ ସ୍କୁଲ୍ର ଶିକ୍ଷକ ଓ ପ୍ରିନ୍ସିପାଲଙ୍କୁ ମୁଁ ମୋ ଝିଅର ନାମ ଲେଖା ପାଇଁ ଅନୁରୋଧ କରିଥିଲି। ସେମାନେ ରାଜି ମଧ୍ୟ ହୋଇଥିଲେ। ମାତ୍ର ଗତ କାଲି ମୁଁ ଯେତେବେଳେ ମୋ ଝିଅକୁ ନେଇ ସେଠାରେ ପହଞ୍ଚିଲି, ସ୍କୁଲ୍ ଗେଟ୍ ପାଖରେ ବହୁ ଲୋକ ଜମା ହୋଇ ଥିବାର ଦେଖିବାକୁ ପାଇଲି। ପ୍ରଥମେ ମୁଁ ଜାଣିପାରିଲି ନାହିଁ ଯେ କାହିଁକି ସେମାନେ ସେଠାରେ ଅଛନ୍ତି। ମୁଁ ସେଠାରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ଆଶଙ୍କା କରିନଥିଲି। ପରେ ମୋତେ ଜାଣିବାକୁ ମିଳିଲା ଯେ ସେମାନେ ମୁଁ ଓ ମୋ ଝିଅ ବିରୋଧରେ ପ୍ରତିବାଦ କରିବାକୁ ଆସିଥିଲେ।
ମୋତେ ଲାଗିଲା ଯେ ସ୍କୁଲ୍ କର୍ତ୍ତୃପକ୍ଷ ମୋ ଝିଅର ନାମ ଲେଖା ସପକ୍ଷରେ ଅଛନ୍ତି। ମାତ୍ର ସେମାନେ ଭୟଭୀତ ହୋଇଥିଲେ। ଏପରି ପ୍ରତିବାଦ ଅନ୍ୟ ପିଲାଙ୍କ ପାଠ ପଢ଼ା ଉପରେ ପ୍ରଭାବ ପକାଇ ପାରେ ବୋଲି ଆଶଙ୍କା କରୁଥିଲେ। ପାଖାପାଖି ୩୦୦ ପିଲା ସେହି ସ୍କୁଲ୍ରେ ପାଠ ପଢୁଛନ୍ତି। ତେଣୁ, ସେମାନଙ୍କ ଭୟ ସ୍ୱାଭାବିକ। ସ୍କୁଲ୍ରେ କୌଣସି ବି ପ୍ରକାରର ଆକ୍ରମଣ ହୋଇପାରେ। ତେଣୁ ସ୍କୁଲ୍ର ପ୍ରିନ୍ସିପାଲ ଏ ସଂପର୍କରେ ପରେ ନିଷ୍ପତ୍ତି ନେବେ ବୋଲି କହି ମୋତେ ଫେରାଇ ଦେଇଛନ୍ତି।’