ଭରସା ଦେଲେ ପ୍ରଧାନମନ୍ତ୍ରୀ : ଆମ ସୀମାରେ ପଶିନି ଚୀନ୍‌ ସେନା

୧୦ ଯବାନଙ୍କୁ ଛାଡ଼ିଲା ଚୀନ୍

ସହିଦ ହେବା ପୂର୍ବରୁ ଆମ ଯବାନ ଠିକଣା ଜବାବ ଦେଇଛନ୍ତି
ହାଇ ଆଲର୍ଟ‌୍‌ରେ ବାୟୁସେନା
ମୁତୟନ ହେଲା ଯୁଦ୍ଧ ବିମାନ
ବାୟୁସେନା ମୁଖ୍ୟଙ୍କ ୨ ଦିନିଆ ଲେହ, ଶ୍ରୀନଗର ଗସ୍ତ

ନୂଆଦିଲ୍ଲୀ : ଭାରତୀୟ ସୀମାରେ ଚୀନ ସୈନ୍ୟମାନେ ପଶି ନାହାନ୍ତି। ସେମାନେ ଭାରତର କୌଣସି ଘାଟିକୁ ମଧ୍ୟ ଦଖଲ କରି ନାହାନ୍ତି। ଏହା ସତ ଯେ ଆମର ୨୦ ଜଣ ଯବାନ ସହିଦ ହୋଇଛନ୍ତି। କିନ୍ତୁ ସହିଦ ହେବା ପୂର୍ବରୁ ସେମାନେ ଶତ୍ରୁକୁ ଠିକଣା ଜବାବ ଦେଇଛନ୍ତି। ଯେଉଁମାନେ ଭାରତ ମାତା ଉପରେ ଖରାପ ଦୃଷ୍ଟି ପକାଇବେ ସେମାନଙ୍କୁ ଏଭଳି ଜବାବ ମିଳିବ। ଶତ୍ରୁର ମୁକାବିଲା ଲାଗି ଭାରତର ସାମର୍ଥ୍ୟ ରହିଛି। ତେଣୁ କେହି ଆମ ଦେଶର ଇଞ୍ଚେ ଜମି ନେବାକୁ ସାହସ କରିବେ ନାହିଁ। ଭାରତୀୟ ସେନା ଏବେ ଶକ୍ତିଶାଳୀ, ଇସାରା ପାଇବା ମାତ୍ରେ ଏକାସାଙ୍ଗରେ ଏହା ବିଭିନ୍ନ ସେକ୍ଟରକୁ ମାଡ଼ି ଯାଇପାରିବ। ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଲଦାଖ ସଂଘର୍ଷ ଘଟଣାରେ ଗୁଇନ୍ଦା ସଂସ୍ଥା ବିଫଳ ହୋଇଥିବ‌ା ଅଭିଯୋଗକୁ ପ୍ରଧାନମନ୍ତ୍ରୀ ଅସ୍ବୀକାର କରିଛନ୍ତି।

ଇତିମଧ୍ୟରେ ଚୀନ୍ ସୀମ‌ାରୁ ମିଳିଥିବା ରିପୋର୍ଟ ଅନୁଯାୟୀ ସେଠାରେ ପରିସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଛି। ବିବାଦର ଅବସାନ ପାଇଁ ଦୁଇ/ତିନି ଦିନ ହେଲା ଆଲୋଚନା ଚାଲିଥିଲେ ମଧ୍ୟ ଏଥିରେ ଉଲ୍ଲେଖନୀୟ ଉନ୍ନତି ଘଟିନାହିଁ। ଚୀନ ସହିତ ୩୫୦୦ କିଲୋମିଟର ଦୀର୍ଘ ସୀମାରେ ଭାରତ ଏହାର ସେନାକୁ ହାଇ ଆଲର୍ଟରେ ରଖିଛି। ଗଲୱାନ୍‌ ଘାଟିରେ ସଂଘର୍ଷ ପରେ ଭାରତ ସୀମାରେ ନିଜର ଶକ୍ତି ବଢ଼ାଇଛି। ସୀମା‌ ନିକଟସ୍ଥ ଆଗୁଆ ଘାଟି‌ଗୁଡ଼ିକରେ ସୈନ୍ୟ ମୁତୟନ ବଢ଼ାଇବା ସହ ଭାରୀ ଯୁଦ୍ଧାସ୍ତ୍ର ଏବଂ ଯୁଦ୍ଧବିମାନ ମଧ୍ୟ ଠୁଳ କରିଛି। ଭାରତୀୟ ବାୟୁସେନା ପକ୍ଷରୁ ଆଗୁଆ ଘାଟି ଗୁଡ଼ିକରେ ସୁଖୋଇ-୩୦ ଏମ୍‌କେଆଇ, ମିରେଜ୍‌ ୨୦୦୦ ଏବଂ ଜାଗୁଆର ଯୁଦ୍ଧ ବିମାନ ମୁତୟନ କରାଯାଇଛି। ଅନେକ ଗୁରୁତ୍ବପୂର୍ଣ୍ଣ ଭାରୀ ଯୁଦ୍ଧାସ୍ତ୍ର ଠୁଳ କରି ରଖାଯାଇଛି।

Military Review

ଲଦାଖ୍‌ ସେକ୍ଟର‌‌ରେ ଭାରତୀୟ ସ୍ଥଳ ସେନାକୁ ଆକାଶ ମାର୍ଗରୁ ସମର୍ଥନ ଦେବାପାଇଁ ଆମେରିକୀୟ ଆପାଚି ଆଟାକ୍‌ ହେଲିକପ୍ଟର ମଧ୍ୟ ମୁତୟନ ହୋଇଛି। ଲେହ ବାୟୁସେନା ଘାଟି ଏବଂ ଏହାର ନିକଟସ୍ଥ ଅଞ୍ଚଳରେ ଚିନୁକ୍‌ ହେଲିକପ୍ଟର ମୁତୟନ ହୋଇଛି। ଏମ୍‌ଆଇ-୧୭ ଭି୫ ହେଲିକପ୍ଟର ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ସକ୍ରିୟ ଭୂମିକା ନିର୍ବାହ କରୁଛି। ଲେହ, ଶ୍ରୀନଗର, ଅବନ୍ତିପୁର, ବରେଲି, ଆଦମପୁର, ହଲୱାଡ଼ା , ଅମ୍ବାଲା, ସିର୍ସା ସମେତ ତିବ୍ଦତ ଏବଂ ଲଦାଖ୍‌ ଅଞ୍ଚଳରେ ଅନେକ ସେନାଘାଟି ଥିବାରୁ ଭାରତୀୟ ବାୟୁସେନା ଚୀନ୍‌ ଉପରେ କଡ଼ା ନଜର ରଖିଛି। ପୂର୍ବ ଲଦାଖ୍‌ରେ ଚୀନ୍‌ ହେଲିକପ୍ଟର ଭାରତୀୟ ବାୟୁସୀମା ଉଲ୍ଲଂଘନ କରିବାକୁ ଚେଷ୍ଟା କରିବାରୁ ଭାରତୀୟ ବାୟୁସେନା ପକ୍ଷରୁ ସୁଖୋଇ-୩୦ ଯୁଦ୍ଧ ବିମାନ ମୁତୟନ କରାଯାଇଛି।

ଭାରତୀୟ ବାୟୁସେନା ମୁଖ୍ୟ ଆର୍‌କେଏସ୍‌ ଭଦୋରିଆ ମଧ୍ୟ ଦୁଇ ଦିନିଆ‌ ଲେହ ଏବଂ ଶ୍ରୀନଗର ଗସ୍ତରେ ଯାଇଥିଲେ। ଗସ୍ତର ପ୍ରଥମ ଦିନରେ ଜୁନ୍‌ ୧୭ରେ ଭଦୋରିଆ ଲେହ ‌ବାୟୁସେନା ଘାଟି ଗସ୍ତ କରିଥିଲେ ଏବଂ ୧୮ ତାରିଖରେ ସେ ଶ୍ରୀନଗର ବାୟୁସେନା ଘାଟି ଗସ୍ତ କରିଥିଲେ। ଦୁଇଟି ଯାକ ଘାଟି ପୂର୍ବ ଲଦାଖ୍‌ ନିକଟରେ ଅବସ୍ଥିତ। ବାୟୁସେନା ଦ୍ବାରା ଯେକୌଣସି ଅପରେସନ୍‌ ପାଇଁ ଏହି ଦୁଇଟି ଘାଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ତେବେ ଲଦାଖ୍‌ ଅପରେସନ୍‌ ସ୍ଥିତି ସମୀକ୍ଷା ପାଇଁ ବାୟୁସେନା ମୁଖ୍ୟ ଲେହ ଏବଂ ଶ୍ରୀନଗର ଗସ୍ତ କରିଥିବା କୁହାଯାଉଛି। କିନ୍ତୁ ବାୟୁସେନା ପକ୍ଷରୁ ଏନେଇ କିଛି ସୂଚନା ମିଳିନି।

୧୦ ଯବାନଙ୍କୁ ଛାଡ଼ିଲା ଚୀନ୍
ନୂଆଦିଲ୍ଲୀ : ଭାରତ ଓ ଚୀନ୍‌ ସେନା ମଧ୍ୟରେ ଗତ ୧୫ ତାରିଖ ରାତିରେ ହୋଇଥିବା ସଂଘର୍ଷକୁ ନେଇ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ପୂର୍ବ ଲଦାଖ୍‌ର ଗଲ୍‌ୱାନ୍‌ ଘାଟିରେ ଚୀନ୍‌ ଏବଂ ଭାରତୀୟ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ କେବଳ ୨୦ ସୈନିକ ସହିଦ ହୋଇନଥିଲେ, ଭାରତର ୧୦ ଯବାନଙ୍କୁ ମଧ୍ୟ ଚୀନ୍‌ ସେନା ନିଜ କବ୍‌ଜାକୁ ନେଇଯିବାରେ ସକ୍ଷମ ହୋଇଥିଲା। ଚୀନ୍ ୧୦ ଜଣ ଭାରତୀୟ ସୈନିକଙ୍କୁ ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଅଟକ ରଖିଥିଲା। ତେବେ ସରକାର କେତେକ ସୁରକ୍ଷା ଦୃଷ୍ଟିରୁ କିଛି ସ୍ପଷ୍ଟ କରିନଥିଲେ। ଭାରତ ଏବଂ ଚୀନ୍‌ର ବରିଷ୍ଠ ସାମରିକ ଅଧିକାରୀଙ୍କ ମଧ୍ୟରେ ଗତକାଲି ଦୁଇ ରାଉଣ୍ଡ କଥାବାର୍ତ୍ତା ପରେ ଚୀନ୍‌ ଅଟକ ରଖିଥିବା ୧୦ ଭାରତୀୟ ସୈନିକଙ୍କୁ ଛାଡ଼ିଛି। ଆଜି ‌ସେମାନେ ଭାରତୀୟ ପୋଷ୍ଟ୍‌କୁ ଫେରିଛନ୍ତି।

ସମ୍ବନ୍ଧିତ ଖବର