ପାକିସ୍ତାନର ‘ଗଜନବୀ’ କ୍ଷେପଣାସ୍ତ୍ର ପରୀକ୍ଷା

ଚୀନ୍‌ର ଏମ୍‌-୧୧ କ୍ଷେପଣାସ୍ତ୍ରର ପାକିସ୍ତାନୀ ସଂସ୍କରଣ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବା ମାମଲାରେ ବିଶ୍ବ ସମୁଦାୟର ସମର୍ଥନ ପାଇବାରେ ବିଫଳ ହୋଇଥିବା ପାକିସ୍ତାନ ଏବେ ନୂଆ ଚାଲ୍‌ ଖେଳୁଛି। ଏସିଆରେ ଯୁଦ୍ଧ ଉତ୍ତେଜନା ବଢ଼ାଇବାକୁ ଯୋଜନା କରିଥିବା ପାକିସ୍ତାନ ଆଜି ପରମାଣୁ ଅସ୍ତ୍ର ବହନ କରିବାକୁ ସକ୍ଷମ ‘ଗଜନବୀ’ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ର ୨୯୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ମୁସ୍‌ଲିମ୍‌ ଆକ୍ରମଣକାରୀ ମହମୁଦ ଗଜନବୀର ନାମ ରଖାଯାଇଥିବା ଏହି କ୍ଷେପଣାସ୍ତ୍ର ମାଧ୍ୟମରେ ପାକିସ୍ତାନ ନିଜ ଦେଶରେ ଯୁଦ୍ଧ ଉନ୍ମାଦନା ବଢ଼ାଇଛି। ଚରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଅର୍ଥ ବ୍ୟବସ୍ଥା ଉପରୁ ଦେଶବାସୀଙ୍କ ନଜର ହଟାଇବା ପାଇଁ ଏହା ପାକିସ୍ତାନର ଏକ ବଡ଼ ଚାଲ୍‌ ବୋଲି କୁହାଯାଉଛି । ଗଜନବୀ କ୍ଷେପଣାସ୍ତ୍ର ହେଉଛି ଅସଲରେ ଚୀନ୍‌ ନିର୍ମିତ ଏମ୍‌-୧୧ କ୍ଷେପଣାସ୍ତ୍ରର ପାକିସ୍ତାନୀ ସଂସ୍କରଣ। ପାକିସ୍ତାନ ସେନା ପ୍ରବକ୍ତା ଜେନେରାଲ ଆସିଫ୍‌ ଗଫୁର ଆଜି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷଣର ଭିଡିଓ ପୋଷ୍ଟ୍‌ କରି କହିଛନ୍ତି ଯେ ଏହି କ୍ଷେପଣାସ୍ତ୍ର ପରୀକ୍ଷା ସଂପୂର୍ଣ୍ଣ ସଫଳ ହୋଇଛି।

ଗଜନବୀ କ୍ଷେପଣାସ୍ତ୍ର ଭାରତକୁ ଲକ୍ଷ୍ୟରେ ରଖି ତିଆରି କରାଯାଇଛି ଏବଂ ଏହା ଏହାର ରେଂଜ୍‌ରେ ଅନେକ ଭାରତୀୟ ସହର ଆସିପାରିବ। ଏହି କ୍ଷେପଣାସ୍ତ୍ରକୁ ରେଳ ଓ ସଡ଼କ ପଥରେ ସୁବିଧାରେ ନିଆଯାଇ ପାରିବ। ତେଣୁ ଏହାକୁ ଖୋଜି ନଷ୍ଟ କରିବା ବହୁତ କଷ୍ଟକର ବ୍ୟାପାର। ଯଦି ଭାରତ ପ୍ରଥମେ ପାକିସ୍ତାନ ଉପରେ ଆକ୍ରମଣ କରିବ, ତା’ହେଲେ ଏହି କ୍ଷେପଣାସ୍ତ୍ର ମାଧ୍ୟମରେ ପାକିସ୍ତାନ ଜବାବୀ ଆକ୍ରମଣ କରିବ। ପାକିସ୍ତାନ ପରମାଣୁ ଅସ୍ତ୍ର ବ୍ୟବହାର ନକରି ମଧ୍ୟ ‘ଗଜନବୀ’ ମାଧ୍ୟମରେ ଭାରତରେ ଧ୍ବଂସଲୀଳା ସୃଷ୍ଟି କରିପାରିବ। ‘ଗଜନବୀ’ ବ୍ୟତୀତ ପାକିସ୍ତାନ ନିକଟରେ ସାହିଦ ଏବଂ ଘୋରୀ ଭଳି ଅଧିକ ଦୂରଗାମୀ କ୍ଷେପଣାସ୍ତ୍ର ମଧ୍ୟ ରହିଛି ।

ସମ୍ବନ୍ଧିତ ଖବର