ବିଶ୍ୱରେ ପ୍ରଥମ: ମାନବ ଶରୀରର ରଙ୍ଗିନ ଏକ୍ସ୍‌-ରେ ଉଠାଇଲେ ନିଉଜିଲାଣ୍ଡ୍‌ର ବୈଜ୍ଞାନିକ

ପ୍ୟାରିସ୍‌: ପ୍ରଥମ ଥର ପାଇଁ ନିଉଜିଲାଣ୍ଡ୍‌ର ବିଜ୍ଞାନୀମାନେ ମଣିଷ ଶରୀରର ଥ୍ରି-ଡି ରଙ୍ଗିନ ଏକ୍ସ୍‌ରେ କରିଛନ୍ତି। ରଙ୍ଗିନ ଏକ୍ସ୍‌ରେ କୌଶଳ ଡାକ୍ତରୀ ନିଦାନକୁ ଉନ୍ନତ କରିବ ବୋଲି ଇମେଜିଙ୍ଗ୍‌ ଟେକ୍‌ନୋଲଜି ଉଦ୍‌ଭାବନ କରିଥିବା ଇଉରୋପର ‘ସର୍ଣ୍ଣ’ ଫିଜିକ୍‌ସ୍‌ ଲାବ୍‌ କହିଛି।

ପାରମ୍ପରିକ କଳା ଓ ଧଳା ଏକ୍ସ୍‌ରେ ଉପରେ ଆଧାରିତ ଏହି ନୂଆ ଯନ୍ତ୍ରଟି ଲାର୍ଜ ହେଡ୍ରୋନ୍‌ କୋଲାଇଡର୍‌ ପାଇଁ ‘ସର୍ଣ୍ଣ’ ବିକଶିତ କରିଥିବା ପାର୍ଟିକ୍‌ଲ୍‌-ଟ୍ରାକିଙ୍ଗ୍‌ ଟେକ୍‌ନୋଲଜିକୁ ସାମିଲ୍‌ କରିଛି।

ଏହି ରଙ୍ଗିନ ଏକ୍ସ୍‍-ରେ ଇମେଜିଙ୍ଗ୍‌ ଟେକ୍‌ନୋଲଜି ଅଧିକ ସ୍ପଷ୍ଟ ଏବଂ ଅଧିକ ବାସ୍ତବ ଚିତ୍ର ଉତ୍ତୋଳନ କରି ଡାକ୍ତରମାନଙ୍କୁ ରୋଗୀମାନଙ୍କର ସଠିକ ରୋଗ ନିଦାନ କରିବାରେ ସହାୟକ ହେବ ବୋଲି ‘ସର୍ଣ୍ଣ’ କହିଛି।

‘ମେଡିପିକ୍‌ସ୍‌’ ବୋଲି ନାମିତ ହୋଇଥିବା ‘ସର୍ଣ୍ଣ’ର ଏହି ଟେକ୍‌ନୋଲଜି ଏକ କ୍ୟାମେରା ଭଳି କାମ କରେ। ଏହି କ୍ୟାମେରାର ସଟର୍‌ ଉନ୍ମୁକ୍ତ ହେଲାବେଳେ ଏଥିରେ ପିକ୍‌ସେଲ୍‌ସ୍‌ରେ ଧକ୍କା ଖାଉଥିବା ପ୍ରତିଟି ସବ୍‌-ଆଟମିକ୍‌ ରେଣୁକୁ ଚିହ୍ନଟ ଓ ଗଣତି ହୋଇଯାଏ। ଫଳରେ ହାଇ ରିଜୋଲ୍ୟୁସନ୍‌ ଓ ହାଇ କଣ୍ଟ୍ରାଷ୍ଟ୍‍ ପିକ୍‌ଚର୍‌ ଉଠାଇ ହୁଏ।

‘ସର୍ଣ୍ଣ’ କହିବା ଅନୁସାରେ, ଏଥିରେ ଉତ୍ତୋଳିତ ଚିତ୍ରାବଳୀ କେବଳ ହାଡ଼, ମାଂସପେଶୀ ଓ ଉପାସ୍ଥି ମଧ୍ୟରେ ଥିବା ପାର୍ଥକ୍ୟ ସ୍ପଷ୍ଟ ଭାବେ ଦେଖାଇ ଦିଏନାହିଁ, କ୍ୟାନ୍‌ସର୍‌ ଆକ୍ରାନ୍ତ ଟ୍ୟୁମର୍‌ର ଆକାର ଓ ଅବସ୍ଥିତି ଦେଖାଇ ଦିଏ।

ସମ୍ବନ୍ଧିତ ଖବର