ଦଳକୁ ମଜବୁତ କରିବାର ସମୟ ଆସିଛି, କାରଣ ଦେଶ ପାଇଁ କଂଗ୍ରେସ ଜରୁରୀ: ସୋନିଆ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ନେତାମାନଙ୍କୁ ଏବେ ପାରସ୍ପରିକ ମତଭେଦ ଭୁଲିଯିବା ଦରକାର। କାରଣ ଏବେ ଦଳକୁ ମଜବୁତ କରିବାର ସମୟ ଆସିଛି। ଆଜି କଂଗ୍ରେସ ସଭାପତି ସୋନିଆ ଗାନ୍ଧି କଂଗ୍ରେସ ସଂସଦୀୟ ଦଳ (ସିପିପି) ବୈଠକକୁ ସମ୍ବୋଧିତ କରି ଏଭଳି ବକ୍ତବ୍ୟ ରଖିଛନ୍ତି। ଖୁବ ଶୀଘ୍ର ସିଡବ୍ଲୁସି ବୈଠକ ଡକାଯିବା ସହ ଏକ ଚିନ୍ତନ ଶିବିର ମଧ୍ୟ ଆୟୋଜନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଏହି ବୈଠକରେ ସେ ଦଳର ଶକ୍ତି ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ କଂଗ୍ରେସ ନେତାଙ୍କୁ ଏବେ ମତଭେଦ ଭୁଲି ଆଗକୁ ବଢ଼ିବା ଆବଶ୍ୟକ। ବର୍ତ୍ତମାନ ଦଳକୁ ମଜବୁତ କରିବାର ସମୟ ଆସିଛି, କାରଣ ଦେଶ ପାଇଁ କଂଗ୍ରେସ ଜରୁରୀ। ବିଜେପି ବିଭାଜନ ନୀତି ଆପଣାଇଛି । ସେମାନେ କଂଗ୍ରେସକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ସେଥିପାଇଁ ଏବେ କଂଗ୍ରେସର ନେତାମାନେ ଏକଜୁଟ ହୋଇ ଲଢ଼ିବାର ସମୟ ଆସିଛି। ଆମକୁ ମୁଦ୍ରାସ୍ଫୀତି ଯୋଗୁ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ପଡ଼ିବ।

ସିପିପି ବୈଠକରେ ଦଳର ନେତ୍ରୀ ସୋନିଆ ଗାନ୍ଧୀ ଆହୁରି କହିଛନ୍ତି ଯେ ଦଳରେ ଏକତା ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ ଏବଂ ଏହାକୁ ସୁନିଶ୍ଚିତ କରିବା ପାଇଁ ମୁଁ ପ୍ରତ୍ୟେକ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛି। କେବଳ ଦଳ ପାଇଁ ନୁହେଁ, ଦେଶର ଗଣତନ୍ତ୍ର ଏବଂ ସମାଜ ପାଇଁ ମଧ୍ୟ କଂଗ୍ରେସ ଦଳର ପୁନର୍ଜୀବନ ଆବଶ୍ୟକ। ଏହା ସହ ଚିନ୍ତନ ଶିବିର ଆୟୋଜନ କରିବା ଅତ୍ୟନ୍ତ ଜରୁରୀ, ଯାହା ଦ୍ବାରା ନେତା ଓ କର୍ମୀ ନିଜର ମତ ପ୍ରକାଶ କରିପାରିବେ ଏବଂ ଦଳର ପରିଚାଳନା ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇପାରିବ।

ସମ୍ବନ୍ଧିତ ଖବର