କଂଗ୍ରେସ-ବିଜେପି ସମର୍ଥକ ମୁହାଁମୁହିଁ: ସିନ୍ଧିଆ ସମର୍ଥକ ୬ ମନ୍ତ୍ରୀଙ୍କୁ ହଟାଇଲେ ରାଜ୍ୟପାଳ

ଭୋପାଳ ଏୟାରପୋର୍ଟ ବାହାରେ ୧୪୪ ଧାରା ଜାରି

ଭୋପାଳ: ମଧ୍ୟପ୍ରଦେଶରେ କମଳନାଥ ସରକାରର ସଙ୍କଟ ବଢ଼ିବାରେ ଲାଗିଛି। ବିଦ୍ରୋହୀ ବିଧାୟକଙ୍କୁ ମନାଇବାରେ କଂଗ୍ରେସର ପ୍ରୟାସ ଏ ପର୍ଯ୍ୟନ୍ତ ସଫଳ ହୋଇନାହିଁ। କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ୧୯ ଜଣ ବିଧାୟକ ଆଜି ବେଙ୍ଗାଲୁରୁରୁ ଭୋପାଳ ଆସିବାର ଥିଲା। ତେବେ ନାଟକୀୟ ଢଙ୍ଗରେ ସମସ୍ତ ବିଧାୟକ ଏୟାରପୋର୍ଟରୁ ପୁଣି ହୋଟେଲକୁ ଫେରିଯିବା ଘଟଣା ଚର୍ଚ୍ଚାରେ ରହିଛି। ଏହି ୧୯ ବିଧାୟକଙ୍କ ମଧ୍ୟରେ ମଧ୍ୟପ୍ରଦେଶ ସରକାରର ୬ ଜଣ ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି। ଆଜି ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସୁପାରିସକ୍ରମେ ଏହି ୬ ମନ୍ତ୍ରୀଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି। ଭୋପାଳ ଆସିବା ପାଇଁ ଏୟାରପୋର୍ଟରେ ପହଞ୍ଚିଥିବା ବିଧାୟକମାନେ କମଳାନାଥ ସରକାର ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ। ବିଧାନସଭାରେ ଶକ୍ତି ପରୀକ୍ଷା ପୂର୍ବରୁ ବିଦ୍ରୋହୀ ବିଧାୟକଙ୍କୁ ବେଙ୍ଗାଲରୁରୁ ଭୋପାଳ ଆଣିବା ପାଇଁ କମଳନାଥ ଦାବି କରିଛନ୍ତି। କଂଗ୍ରେସର ୨୨ ଜଣ ବିଧାୟକ ଦଳ ବିରୋଧରେ ଯାଇଥିବାରୁ ସରକାରଙ୍କ ଭାଗ୍ୟ ଏବେ ଅନିଶ୍ଚିତତା ଭିତରେ ରହିଛି। ବିଧାୟକମାନଙ୍କୁ ବନ୍ଦୀ କରି ରଖାଯାଇଛି ଏବଂ ସେମାନଙ୍କୁ ମୁକ୍ତ କରାଯିବା ଜରୁରୀ ବୋଲି କମଳନାଥ କହିଛନ୍ତି।

ଭୋପାଳ ଏୟାରପୋର୍ଟରେ ଆଜି କଂଗ୍ରେସ ଏବଂ ବିଜେପି ସମର୍ଥକ ବହୁ ସଂଖ୍ୟାରେ ସମବେତ ହୋଇଥିଲେ ଏବଂ ସେଠାରେ ଉଭୟ ପକ୍ଷ ମୁହାଁମୁହିଁ ହେବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ଏୟାରପୋର୍ଟ ବାହାରେ ପ୍ରଶାସନ ଧାରା ୧୪୪ ଲାଗୁ କରିଛି। ବିଦ୍ରୋହୀ ବିଧାୟକମାନେ କମଳାନାଥ ସରକାରକୁ ଏଭଳି ସ୍ଥିତି ପାଇଁ ଦାୟୀ କରିବା ସହ ସେମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଦେବାକୁ ଦାବି କରିଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବା ପରେ ତାଙ୍କୁ ସମର୍ଥନ କରି ଦଳର ୧୯ ଜଣ ବିଧାୟକ ମଧ୍ୟ ଇସ୍ତଫା ଦେଇଥିଲେ।

ସମ୍ବନ୍ଧିତ ଖବର