ରାହୁଲ ଅଧ୍ୟକ୍ଷ ହେବାପରେ ସୋନିଆଙ୍କ ଦାୟିତ୍ୱ ବଢ଼ିବ

ସୁଦୃଢ଼ ମେଣ୍ଟ ଗଠନ ପାଇଁ ପ୍ରୟାସ କରିବେ ସୋନିଆ

ନୂଆଦିଲ୍ଲୀ:   କଂଗ୍ରେସ ଉପାଧ୍ୟକ୍ଷ  ରାହୁଲ ଗାନ୍ଧୀ ଖୁବ୍‌ ଶୀଘ୍ର ଦଳର ମଙ୍ଗ ଧରିବେ ବୋଲି ଗତକାଲି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଘୋଷଣା କରିବା ପରେ ଦଳରେ ରାଜନୈତିକ ଉଷ୍ମତା ବଢ଼ିଯାଇଛି। ତେବେ ସେନିଆଙ୍କ ଭବିଷ୍ୟତ ଭୂମିକା କ’ଣ ହେବ ସେ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ରାହୁଲ ଅଧ୍ୟକ୍ଷ ଦାୟିତ୍ୱ ନେବାପରେ ସୋନିଆଙ୍କ ଦାୟିତ୍ୱ ମଧ୍ୟ ଅଧିକ ବଢ଼ିବ ବୋଲି ଦଳୀୟ ମହଲରେ ଅନୁମାନ କରାଯାଉଛି ।  କଂଗ୍ରେସ ରାଜନୀତିରେ ସୋନିଆ ସକ୍ରିୟ ରହିବେ ଏବଂ ୟୁପିଏର ଅଧ୍ୟକ୍ଷା ରୂପେ ସେ ତାଙ୍କର ଦାୟିତ୍ୱ ତୁଲାଇବେ। ରାହୁଲ ଅଧ୍ୟକ୍ଷ ହେବାପରେ  ସୋନିଆ କଂଗ୍ରେସ ଓ୍ଵାର୍କିଂ କମିଟିର ସଦସ୍ୟ ତଥା ସଂସଦୀୟ ବୋର୍ଡର ଅଧ୍ୟକ୍ଷ ରହିବେ । ୨୦୧୯ ଲୋକସଭା ନିର୍ବାଚନରେ ରାୟବରେଲିରୁ ସେ ନିର୍ବାଚନ ନ ଲଢ଼ିପାରନ୍ତି ବୋଲି କୁହାଯାଉଛି । ସମ୍ଭବତଃ ସେହି ଆସନରେ ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିପାରେ। ଅନ୍ୟପକ୍ଷରେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳମାନଙ୍କ ସହିତ ଯୋଗସୂତ୍ର ସ୍ଥାପନ କରି ଏକ ସୁଦୃଢ଼ ମେଣ୍ଟ ଗଠନ ପାଇଁ ସୋନିଆ ଅଧିକ ଧ୍ୟାନ ଦେବେ ବୋଲି କୁହାଯାଉଛି । ଆଗାମୀ ନିର୍ବାଚନରେ କଂଗ୍ରେସର ରଣନୀତି ଉପରେ ସେ ଅଧିକ ଗୁରୁତ୍ୱ ଦେବେ ।  ଚଳିତ ବର୍ଷ ହେବାକୁ ଥିବା ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନରେ ସୋନିଆ ଅଧିକ ସମୟ ଦେବା ପାଇଁ ଯୋଜନା ହୋଇଛି। ବିରୋଧୀ ଦଳଗୁଡ଼ିକ ମଧ୍ୟରେ ସମନ୍ଵୟ ଏବଂ ଏକତା ସ୍ଥାପନ କରି ଆଗାମୀ ଲେକାସଭା ନିର୍ବାଚନରେ ଶାସକ ଏନ୍‌ଡିଏକୁ କଡ଼ା ଟକ୍କର ଦେବେ ପାଇଁ ସୋନିଆ ଉଦ୍ୟମ କରିବେ। ଖୁବ୍‌ଶୀଘ୍ର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଡକାଯାଇ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ କରାଯିବ। ରାହୁଲ ଗାନ୍ଧୀ ନିର୍ଦ୍ୱନ୍ଦ୍ୱରେ ସଭାପତି ରୂପେ ନିର୍ବାଚିତ ହେବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି ।  ଉଲ୍ଲେଖଯୋଗ୍ୟ ନିର୍ବାଚନ ଆୟୋଗର ନିର୍ଦ୍ଦେଶ ମୁତାବକ ଡିସେମ୍ବର ୩୧, ୨୦୧୭ ସୁଦ୍ଧା କଂଗ୍ରେସର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଚୂଡ଼ାନ୍ତ କରିବା ପାଇଁ େ ପାର୍ଟିର ସାଂଗଠନିକ ନିର୍ବାଚନ ଚଳିତ ମାସରେ ଶେଷ ହେବ। କଂଗ୍ରେସ ସଭାପତି ନିର୍ବାଚନରେ ଏଆଇସିସିର ସଦସ୍ୟମାନଙ୍କୁ ପ୍ରଦେଶ ନିର୍ବାଚନ ଅଥରିଟି ପରିଚୟପତ୍ର ଜାରି କରିବେ। ଏହାପରେ କଂଗ୍ରେସ କାର୍ଯ୍ୟକାରିଣୀର ସଦସ୍ୟମାନଙ୍କର ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ।

ସମ୍ବନ୍ଧିତ ଖବର