ଘରୋଇ ଡାକ୍ତରଖାନା ଉପରେ ଅଙ୍କୁଶ: ଲାଭ କର, ଲାଭଖୋର୍ ହୁଅନି

ନୂଆଦିଲ୍ଲୀ: କୋଭିଡ୍–୧୯ ରୋଗୀଙ୍କ ନମୁନା ପରୀକ୍ଷା ଏବଂ ଚିକିତ୍ସା ପାଇଁ ଘରୋଇ ଡାକ୍ତରଖାନାଗୁଡି଼କ ଦାବି କରୁଥିବା ମାତ୍ରାଧିକ ଫି’ ଉପରେ ବିଭିନ୍ନ ରାଜ୍ୟ ସରକାର ଅଙ୍କୁଶ ଲଗାଇଛନ୍ତି। ସେଥିପାଇଁ ହେଉଥିବା ନିର୍ଦ୍ଧାରିତ ଖର୍ଚ୍ଚ ଅନୁସାରେ ଲାଭ ରଖିପାର, ମାତ୍ର ପରିସ୍ଥିତିର ଫାଇଦା ନେଇ ଲାଭଖୋର୍ ମନୋବୃତ୍ତିି ରଖି ରୋଗୀଙ୍କୁ ଶୋଷଣ ନକରିବା ପାଇଁ ସେମାନଙ୍କୁ ସତର୍କ କରାଇ ଦିଆଯାଇଛି। ସୂଚନା ଥାଉ କି, କୌଣସି ସନ୍ଦିଗ୍ଧଙ୍କର ନମୁନା ପରୀକ୍ଷାରେ କରୋନା ଭୂତାଣୁ ସଂକ୍ରମିତ ଥିବା ସ୍ପଷ୍ଟ ହେଲା ପରେ ସଂପୃକ୍ତ ରୋଗୀଙ୍କର ଚିକିତ୍ସା ବାବଦରେ ବେସରକାରୀ ଡାକ୍ତରଖାନାଗୁଡି଼କ କଳ୍ପନାତୀତ ଭାବେ ଅଧିକ ଫି’ ଆଦାୟ କରୁଥଲେ। ଶୋଷଣର ଶିକାର ହୋଇଥିବା ରୋଗୀଙ୍କ ଅଭିଯୋଗ ପରେ ବିଭିନ୍ନ ରାଜ୍ୟ ସରକାର ସେଥିରେ ମୁଣ୍ତ ଖେଳାଇଥିଲେ। ବିଶେଷ କରି ସବୁଠୁ ଅଧିକ କରୋନା ଭୂତାଣୁ ସଂକ୍ରମିତ ପ୍ରଦେଶ ମହାରାଷ୍ଟ୍ର, ଗୁଜରାଟ ଓ ତାମିଲନାଡୁ ମଧ୍ୟ ସେମାନଙ୍କ ରାଜ୍ୟରେ ନମୁନା ପରୀକ୍ଷା ଓ ଚିକିତ୍ସା ପାଇଁ ଦର ଧାର୍ଯ୍ୟ କରିଛନ୍ତି।

ପ୍ରଥମେ ପ୍ରଥମେ ସଂକ୍ରମିତଙ୍କ ସଂଖ୍ୟା କମ୍ ଥିଲା ବେଳେ ସେମାନଙ୍କ ନମୁନା ପରୀକ୍ଷା ଓ ଚିକିତ୍ସା ଆଦି ସରକାରୀ ଡାକ୍ତରଖାନାମାନଙ୍କରେ ସାଧିତ ହେଉଥିଲା। ମାତ୍ର ରୋଗୀଙ୍କ ସଂଖ୍ୟା ବଢ଼ିବା ଦେଖି ସରକାର ଘରୋଇ ହାସପାତାଳଗୁଡ଼ିକୁ ଏଥିରେ ସାମିଲ କରିଥିଲେ। ତେବେ ଏହାକୁ ଏକ ସୁଯୋଗ ଭାବି ଘରୋଇ ସଂସ୍ଥା ସବୁ ମନଇଚ୍ଛା ମାତ୍ରାଧିକ ଫି’ ଦାବି କରିଥିଲେ। ଏପରିକି ଜଣେ ଜଣେ ରୋଗୀର ୧୪ ଦିନିଆ ରହଣି ପାଇଁ ୭ ଲକ୍ଷ ଟଙ୍କା ଯାଏ ଦେବାକୁ ପଡୁଥିବା କଥା ଅଭିଯୋଗ ଆସିଥିଲା। ଫଳରେ କେନ୍ଦ୍ର ସରକାର ନମୁନା ପରୀକ୍ଷଣ ପାଇଁ ସାଢେ଼ ୪ ହଜାର ଟଙ୍କା ଧାର୍ଯ୍ୟ କରିବା ସହ ଡାକ୍ତରଖାନାଗୁଡି଼କରେ ଉପଲବ୍ଧ ସୁବିଧା ସୁଯୋଗକୁ ବିଚାର କରି ଦୈନିକ ରହଣି ଦର ମଧ୍ୟ ନିର୍ଦ୍ଧାରଣ କରିଥିଲେ। ତେବେ ବିଭିନ୍ନ ରାଜ୍ୟ ସହ ଡାକ୍ତରଖାନାଗୁଡି଼କ ଆଲୋଚନା କରି ଭିନ୍ନ ଉପାୟ ଆପଣେଇଥିଲେ। ଯେପରିକି ତାମିଲନାଡୁରେ କୋଭିଡ୍ ରୋଗୀମାନେ ବିଭିନ୍ନ ବୀମା ଯୋଜନାରେ ଚିକିତ୍ସିତ ହେଉଛନ୍ତି। ଫଳରେ ରୋଗୀ ନିଜେ ସିନା ଏତେ ମୋଟା ଅଙ୍କର ଫି’ ଦେଉନାହିଁ, ହେଲେ ତାହାକୁ ସରକାର ଭରଣା କରୁଛନ୍ତି। ତେଣୁ ଏଥିରେ ମଧ୍ୟ ରାଜ୍ୟ ହସ୍ତକ୍ଷେପ କରି ଚିକିତ୍ସା ଫି’ କମାଇବେ ବୋଲି ଆଶା କରାଯାଉଛି। ଅବଶ୍ୟ ନମୁନା ପରୀକ୍ଷଣ ପାଇଁ ଏବେ ସଂଶୋଧିତ ଦର ତିନି ହଜାର ଟଙ୍କା ରଖାଯାଇଛି। ତେବେ ଘରୋଇ ହାସପାତାଳଗୁଡି଼କ ଉପରେ ପୁଣି ତୀକ୍ଷ୍ଣ ନଜର ରଖାଯିବା ସହ ସେମାନଙ୍କୁ ବେଶୀ ଲାଭଖୋର୍ ନହେବା ପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର