ବିବାଦ ବଢ଼ାଉଛି ବିବିସି ଡକୁମେଣ୍ଟାରି: ଦିଲ୍ଲୀ ବିଶ୍ବବିଦ୍ୟାଳୟ ପରିସରରେ ୧୪୪ ଜାରି, ୨୪ ଛାତ୍ର ଅଟକ

ହାଇଦ୍ରାବାଦ ବିଶ୍ବବିଦ୍ୟାଳୟରେ ଉତ୍ତେଜନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରସ୍ତୁତ ବିବିସି ଡକୁମେଣ୍ଟାରିକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ପ୍ରଥମେ ଜେଏନ୍‌ୟୁ ଏବଂ ଜାମିଆ ମିଲିଆରେ ଏହି ସିରିଜ୍‌ ପ୍ରଦର୍ଶନକୁ ନେଇ ହିଂସା ହୋଇଥିବା‌ ବେଳେ ଆଜି ଜାତୀୟ ରାଜଧାନୀରେ ଅନ୍ୟ ୨ଟି ବିଶ୍ବବିଦ୍ୟାଳୟରେ ଏହାକୁ ନେଇ ସଂଘର୍ଷ ଉପୁଜିଛି। ଦିଲ୍ଲୀ ବିଶ୍ବବିଦ୍ୟାଳୟ ଏବଂ ଆମ୍ବେଦକର ବିଶ୍ବବିଦ୍ୟାଳୟ ଛାତ୍ରମାନେ ଆଜି ବିଶ୍ବବିଦ୍ୟାଳୟ ପ୍ରଶାସନ ଏବଂ ପୁଲିସ ପକ୍ଷରୁ କଡ଼ା କଟକଣାର ସମ୍ମୁଖୀନ ହୋଇଛନ୍ତି। ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଆଜି ଡକୁ‌ମେଣ୍ଟାରି ସ୍କ୍ରିନିଂ ପାଇଁ ବିଶ୍ବବିଦ୍ୟାଳୟର ଉତ୍ତର କ୍ୟାମ୍ପସ୍‌ରେ ରୁଣ୍ଡ ହୋଇଥିବା ଛାତ୍ରମାନଙ୍କୁ ପୁଲିସ ଅଟକ ରଖିଛି। ପ୍ରାୟ ୨୪ ଜଣ ଛାତ୍ରଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି। ଇତିମଧ୍ୟରେ ୟୁନିଭର୍ସିଟିର ଫାକଲ୍ଟି ଅଫ ଆର୍ଟ‌୍‌ସ ନିକଟରେ ଧାରା ୧୪୪ ଜାରି ହୋଇଛି। ବିଶ୍ବବିଦ୍ୟାଳୟର ଉତ୍ତର କ୍ୟାମ୍ପସ୍‌ରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି।

ପୁଲିସ ମୁତୟନକୁ ବିରୋଧ କରି ଛାତ୍ରମାନେ ‘ଗୋ ବ୍ୟାକ୍‌ ଦିଲ୍ଲୀ ପୁଲିସ’ ସ୍ଲୋଗାନ ଦେଇଛନ୍ତି। କଂଗ୍ରେସର ଛାତ୍ର ସଂଗଠନ ପକ୍ଷରୁ ଆଜି ଅପରାହ୍ନ ୪ଟାରେ ଉତ୍ତର କ୍ୟାମ୍ପସରେ ଡକୁମେଣ୍ଟାରି ସ୍କ୍ରିନିଂ ପାଇଁ ଘୋଷଣା କରାଯାଇଥିଲା ଏବଂ ଭୀମ ଆର୍ମି ଷ୍ଟୁଡେଣ୍ଟସ ଫେଡେରେସନ୍‌ ପକ୍ଷରୁ ସନ୍ଧ୍ୟା ୫ଟାରେ ଡକୁମେଣ୍ଟାରି ସ୍କ୍ରିନିଂ ପାଇଁ ଘୋଷଣା କରାଯାଇଥିଲା। କିନ୍ତୁ ଏହି ଯୋଜନାକୁ ପ୍ରଶାସନ ଏବଂ ପୁଲିସ କାର୍ଯ୍ୟକାରୀ ହେବାକୁ ଦେଇନାହାନ୍ତି। ବିଶ୍ବବିଦ୍ୟାଳୟରେ ପରିସ୍ଥିତି ଏବେ ଶାନ୍ତିପୂର୍ଣ୍ଣ ରହିଛି ବୋଲି ଡିସିପି କହିଛନ୍ତି।

ଅନ୍ୟପକ୍ଷେ ଆମ୍ବେଦକର ବିଶ୍ବବିଦ୍ୟାଳୟରେ ଆଜି ଡକୁମେଣ୍ଟାରି ପ୍ରଦର୍ଶନ ପାଇଁ ‌ଯୋଜନା ହୋଇଥିଲା। କିନ୍ତୁ ବିଦ୍ୟୁତ କାଟ ଯୋଗୁଁ ଏସ୍‌ଏଫ୍‌ଆଇ (ଷ୍ଟୁଡେଣ୍ଟସ ‌ଫେଡେରେସନ ଅଫ୍‌ ଇଣ୍ଡିଆ) ପକ୍ଷରୁ ଫୋନ୍‌‌ରେ ବିବିସି ଡକୁମେଣ୍ଟାରି ପ୍ରଦର୍ଶନ କରାଯାଇଥିଲା। ମୋବାଇଲ ଫୋନ୍‌ରେ ଡକୁମେଣ୍ଟାରି ସ୍କ୍ରିନିଂ ପାଇଁ ଛାତ୍ରମାନଙ୍କ ମଧ୍ୟରେ କ୍ୟୁଆର କୋଡ୍‌ ବଣ୍ଟା ଯାଇଥିଲା। ତେବେ ଆଜି ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଡକୁମେଣ୍ଟାରି ପ୍ରଦର୍ଶନକୁ ବନ୍ଦ କରିବା ସଂକ୍ରାନ୍ତ କଲେଜ ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରି ଏକ ଛାତ୍ର ଗୋଷ୍ଠୀ ‘ଆଜାଦୀ’ ସ୍ଲୋଗାନ୍‌ ଦେଇଥିଲେ। ଅନ୍ୟପକ୍ଷେ ଏହାକୁ ବିରୋଧ କରି ଅନ୍ୟ ଏକ ଛାତ୍ର ଗୋଷ୍ଠୀ ‘ ଜୟ ଶ୍ରୀରାମ’ ସ୍ଲୋଗାନ ଦେଇଥିଲେ। ସେହିପରି ଗତକାଲି ଏସ୍‌ଏଫ୍‌ଆଇ ହାଇଦ୍ରାବାଦ ବିଶ୍ବବିଦ୍ୟାଳୟରେ ମୋଦୀଙ୍କ ଉପରେ ପ୍ରସ୍ତୁତ ବିବିସି ସିରିଜ ପ୍ରଦର୍ଶନ କରିଥିଲା।‌‌ ପ୍ରାୟ ୪୦୦ରୁ ଅଧିକ ଛାତ୍ର ଏହି ବିବାଦୀୟ ଫିଲ୍ମ ଦେଖିଥିଲେ ବୋଲି ଏସ୍‌ଏଫ୍‌ଆଇ ପକ୍ଷରୁ କୁହାଯାଇଛି।

ଏହାକୁ ବିରୋଧ କରି ଏବିଭିପି ପକ୍ଷରୁ ବିଶ୍ବବିଦ୍ୟାଳୟ ପରିସରରେ କାଶ୍ମୀର ଫାଇଲ୍‌ ଫିଲ୍ମ ପ୍ରଦର୍ଶନ କରାଯାଇଥିଲା। ଏହାକୁ ନେଇ ବିଶ୍ବବିଦ୍ୟାଳୟ ଉତ୍ତେଜନା ଲାଗି ରହିଛି। ସେହିଭଳି କୋଲକାତାର ଯାଦବପୁର ବିଶ୍ବବିଦ୍ୟାଳୟରେ ଗୁରୁବାର ସନ୍ଧ୍ୟାରେ ଏସଏଫ୍‌ଆଇ ପକ୍ଷରୁ ମୋଦୀ ବିରୋଧୀ ସିରିଜ୍‌ ପ୍ରଦର୍ଶନ କରାଯାଇଛି। ବିନା ପୁଲିସ ଏବଂ ପ୍ରଶାସନର ହସ୍ତକ୍ଷେପରେ ବିଶ୍ବବିଦ୍ୟାଳୟରେ ଏହା ପ୍ରଦର୍ଶନ ହୋଇଥିବା ଜଣାପଡ଼ିଛି। ଏଆଇଏସଏ ( ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ୍‌ସ ଆସୋସିଏସ) ପକ୍ଷରୁ ମଧ୍ୟ ଶୁକ୍ରବାର ପୁଣିଥରେ ବିଶ୍ବବିଦ୍ୟାଳୟ ପରିସରରେ ଏହି ଡକୁମେଣ୍ଟାରି ପ୍ରଦର୍ଶନ ପାଇଁ ଯୋଜନା ହୋଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବିସି ଡକୁମେଣ୍ଟାରି ପ୍ରଦର୍ଶନ ଉପରେ ସରକାର ରୋକ୍‌ ଲଗାଇଥିଲେ ସୁଦ୍ଧା ବିଭିନ୍ନ ବିଶ୍ବବିଦ୍ୟାଳୟରେ ଏହି ଡକ‌ୁମେଣ୍ଟାରି ପ୍ରଦର୍ଶନ କରାଯାଉଛି।

ସମ୍ବନ୍ଧିତ ଖବର