ନିଜ ନିୟମକୁ ଗିଳିଦେଲା ଯୋଗାଣ ବିଭାଗ: ନୟାଗଡ଼ ଧାନ କିଣୁଛନ୍ତି ସମ୍ବଲପୁର ମିଲର୍‌

ଅଧା ରାସ୍ତାରେ ଧାନ ବିକ୍ରି ହେଉଥିବା ଅଭିଯୋଗ, ବଢ଼ିଲାଣି ଚାଷୀଙ୍କ ଅସନ୍ତୋଷ, ସମସ୍ତେ ନିର୍ବିକାର

ଭୁବନେଶ୍ବର : ନୟାଗଡ଼ ଜିଲ୍ଲାରେ ଧାନ କିଣାରେ କେଳେଙ୍କାରୀ ଫୁଟି ବାହାରିଲାଣି। ରାଜ୍ୟ ସରକାର ଏଥର ନିୟମ କରିଛନ୍ତି ଯେ, ନିକଟସ୍ଥ ମିଲର୍‌ଙ୍କ ଜରିଆରେ ଧାନ କିଣାଯିବ। ହେଲେ ନିଜ ନିୟମକୁ ନିଜେ ଦଳିଚକଟି ଦେଇଛନ୍ତି ଖାଦ୍ୟ ଯୋଗାଣ ବିଭାଗ। ଏମିତିକି କିଛି ମିଲର୍‌ଙ୍କୁ ଫାଇଦା ଦେବାଲାଗି ବିଭାଗ ସବୁ ସୀମା ସରହଦ ଟପିଗଲାଣି। ନୟାଗଡ଼ ଜିଲ୍ଲାର ଧାନ କିଣିବା ଲାଗି ଯୋଗାଣ ବିଭାଗ ସମ୍ବଲପୁର ଜିଲ୍ଲାର ମିଲର୍‌ଙ୍କୁ ନିୟୋଜିତ କରିଛି। କେବଳ ସେତିକି ନୁହେଁ, ଜିଲ୍ଲାର ଏକ ତୃତୀୟାଂଶ ଧାନ ସମ୍ବଲପୁରର ୨୦ ଜଣ ମିଲର୍‌ଙ୍କ ଦ୍ବାରା ଉଠାଇବା ଆରମ୍ଭ କଲାଣି।

କାହିଁକି ଓ କେଉଁ ପରିସ୍ଥିତିରେ ବିଭାଗ ଏଭଳି ନିଷ୍ପତ୍ତି ନେଲା? ଜିଲ୍ଲା ଧାନ କିଣା କମିଟି ବୈଠକରେ ଏ ସଂପର୍କରେ ଆଲୋଚନା ହୋଇଥିଲା ନା ନାହିଁ? ଜିଲ୍ଲା ପ୍ରଶାସନ ଜାଣତରେ ଏ ନିଷ୍ପତ୍ତି ନିଆଯାଇଛି ନା ଅଜାଣତରେ? ଏମିତି ମାଳ ମାଳ ପ୍ରଶ୍ନ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ସବୁଠୁ ବଡ଼ କଥା ହେଲା, ସମ୍ବଲପୁରରୁ ଧାନ କିଣିବାକୁ ଆସିଥିବା ମିଲର୍‌ମାନେ ଯେଉଁ ମୋଟା ପରମାଣର ପରିବହନ ଖର୍ଚ୍ଚ ଏବେ ନେଉଛନ୍ତି, ତାହା କାହା ପକେଟ୍‌ରୁ ଯିବ? ଖାଦ୍ୟ ଯୋଗାଣ ବିଭାଗର ମନ୍ତ୍ରୀ ଦେବେ ନା ସଚିବ ବା ଜିଲ୍ଲାପାଳ? ପୁଣି ନୟାଗଡ଼ ଜିଲ୍ଲାରୁ ଯାଉଥିବା ଧାନ ସମ୍ବଲପୁର ମିଲ୍‌ରେ ପହଞ୍ଚୁଛି ନା ଅଧାବାଟରେ ବିକ୍ରି କରାଯାଉଛି ସେ ନେଇ ଚାଷୀ ଓ ସ୍ଥାନୀୟ ଜନସାଧାରଣଙ୍କ ଭିତରେ ଯେଉଁ ସନ୍ଦେହ ଉଙ୍କି ମାରୁଛି, ସେ ଗ୍ୟାରେଣ୍ଟି କିଏ ଦେବେ?

ସ୍ଥାନୀୟ ମିଲରଙ୍କୁ ଭରସା କଲେନି
ଅଧିକ ପରିବହନ ଖର୍ଚ୍ଚ କିଏ ଭରଣା କରିବ?

 

ଚଳିତବର୍ଷ ସମଗ୍ର ରାଜ୍ୟରେ ଧାନ କିଣା କେଳେଙ୍କାରୀ ଚର୍ଚ୍ଚା ଜୋର ଧରିଛି। ରାଜ୍ୟର ବିଭିନ୍ନ ଅଞ୍ଚଳର ଚାଷୀ ମହଲର ଅସନ୍ତୋଷ ଏବେ ଭୀଷଣ ହେଲାଣି। ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ନୟାଗଡ଼ ଜିଲ୍ଲାର ଧାନ କିଣା ଘଟଣା ଏହି ପ୍ରକ୍ରିୟାର ସ୍ବଚ୍ଛତାକୁ ପଦାକୁ ଟାଣିଆଣିଛି। ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଏଥର ନୟାଗଡ଼ ଜିଲ୍ଲାରେ ବେଶ୍‌ ଭଲ ଧାନ ହୋଇଥିଲା। ଏବର୍ଷ ୧୪ଲକ୍ଷ ୨୯ ହଜାର କ୍ବିଣ୍ଟାଲ ଧାନ କିଣାଯିବା ଲାଗି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ସ୍ଥାନୀୟ ୧୭ ଜଣ ମିଲରଙ୍କ ସହିତ ପ୍ରଶାସନ ଚୁକ୍ତି କଲେ ଓ ଏଥିପାଇଁ ୫୨ କୋଟି ଟଙ୍କା ମିଲର୍‌ମାନେ ଅମାନତ ଜମା କଲେ। ୨୩ ତାରିଖରୁ ଧାନ କିଣିବା ପାଇଁ ନିଷ୍ପତ୍ତି ହୋଇଥିଲେ ହେଁ ହେଲେ ଡିସେମ୍ବର ୨୭ତାରିଖରେ ମିଲର୍‌ମାନେ କେଉଁ ସୋସାଇଟିରୁ କେତେ ପରିମାଣର ଧାନ କିଣିବେ ତାହା ସଂପର୍କରେ ସୂଚନା ଦିଆଯାଇଥିଲା। ପରେ ଜାନୁଆରି ୨ ତାରିଖରୁ ଜିଲ୍ଲାରେ ଧାନ କିଣା ଆରମ୍ଭ ହେଲା।

ହଠାତ୍ ଗତ ୧୨ ତାରିଖ ଦିନ ଯୋଗାଣ ବିଭାଗ ଆକାଶରୁ ତୋଳି ଆଣିବା ଭଳି ସମ୍ବଲପୁର ଜିଲ୍ଲାର ୨୦ ମିଲରଙ୍କୁ ନୟାଗଡ଼ ଜିଲ୍ଲାର ଧାନ କିଣିବାକୁ ଅନୁମତି ଦେଇଦେଲେ। ଧାନ କିଣା ସମୟ ଅବଧି ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରହିଛି। ହେଲେ ଯୋଗାଣ ବିଭାଗ (ଧାନ କିଣାର ମାତ୍ର ୧୦ ଦିନ ପରେ) ବିଳମ୍ବରେ ଧାନ ଉଠୁଛି ବୋଳି ଆଳ କରି ସମ୍ବଲପୁର ମିଲରଙ୍କୁ ଧାନ କିଣିବା ଲାଗି ଅନୁମତି ଦେବା ବିସ୍ମୟଜନକ। ଏହି ପ୍ରସଙ୍ଗଟି ଆହୁରି ବିବାଦୀୟ ହେଲାଣି କାରଣ-ଚଳିତମାସ ୨୫ତାରିଖ ସୁଦ୍ଧା ସ୍ଥାନୀୟ ମିଲରମାନେ ୬.୮ଲକ୍ଷ କ୍ବିଣ୍ଟାଲ ଧାନ କିଣିଛନ୍ତି। ଅଥଚ ସମ୍ବଲପୁର ମିଲର୍‌ମାନେ ଗତ ୭ ଦିନରେ ମାତ୍ର ୧୦ ହଜାର କ୍ବିଣ୍ଟାଲ ଧାନ ଉଠାଇଛନ୍ତି। ସମ୍ବଲପୁର ମିଲର୍‌ ଯେଉଁ ସବୁ ଅଞ୍ଚଳରୁ ଧାନ ଉଠାଇବା କଥା ତାହା ଉଠୁନଥିବାରୁ ସେସବୁ ଅଞ୍ଚଳର ଚାଷୀମାନେ ଏବେ ଭୀଷଣ ପ୍ରତିକ୍ରିୟା ପ୍ରକାଶ କଲେଣି। ସେମାନଙ୍କ ଟୋକନ ଲ୍ୟାପ୍ସ ହେବା ଭଳି ପରିସ୍ଥିତି ସୃଷ୍ଟି ହେଲାଣି।

ଯେଉଁ ଗୁରୁତ୍ବପୂର୍ଣ୍ଣ ଦିଗଟି ଏବେ ତଦନ୍ତର ଅପେକ୍ଷା କରୁଛି, ତାହା ହେଲା- ମାତ୍ର ୧୦ଦିନ ଭିତରେ ଯୋଗାଣ ବିଭାଗର ସଚିବ କେଉଁ ଆଧାରରେ ସ୍ଥାନୀୟ ମିଲରମାନେ କମ୍ ଧାନ କିଣୁଥିବା ଜାଣିବାକୁ ପାଇଲେ? ଯଦି ସ୍ଥାନୀୟ ମିଲରମାନେ କମ୍ ପରିମାଣର ଧାନ କିଣୁଥିଲେ, ତାହାଲେ ନିୟମ ଅନୁସାରେ ନୟାଗଡ଼ ଜିଲ୍ଲାକୁ ଲାଗିଥିବା ଜିଲ୍ଲାର ମିଲରଙ୍କୁ ଏହି ଦାୟିତ୍ବ ଦିଆଯାଇଥାନ୍ତା। ମାତ୍ର ଏମିତି ନ କରି ତିନିଶହ କିଲୋମିଟର ଦୂରରେ ଥିବା ସମ୍ବଲପୁର ମିଲର୍‌ଙ୍କୁ ଧାନ କିଣିବା ଲାଗି ଅନୁମତି ଦିଆଗଲା କାହା ସ୍ବାର୍ଥରେ?

 

ଏହି ଘଟଣାରେ ଆଉ ଗୋଟିଏ କଥା ସାମ୍ନାକୁ ଆସିଲାଣି। ଜିଲ୍ଲା ପ୍ରଶାସନ ୧୭ ଜଣ ମିଲରଙ୍କ ଠାରୁ ୫୨ କୋଟି ଟଙ୍କା ଅମାନତ ଜମା ନେଇଥିଲେ ଓ ୧୪ଲକ୍ଷ ୨୯ ହଜାର କ୍ବିଣ୍ଟାଲ ଧାନ ବିକ୍ରି ଅନୁମତି ଦେଇଥିଲେ। ଇତିମଧ୍ୟରେ ଯେଉଁ ୨୦ ଜଣ ମିଲରଙ୍କୁ ୫ଲକ୍ଷ କ୍ବିଣ୍ଟାଲ ଧାନ କିଣିବାକୁ ଅନୁମତି ଦେଲେ ସେମାନଙ୍କ ଠାରୁ ମାତ୍ର ୨୦ କୋଟି ଟଙ୍କା ଅମାନତ ଜମା ନିଆଯାଇଛି। ବାହାର ଜିଲ୍ଲାର ମିଲର ପଶିବା ଫଳରେ ସ୍ଥାନୀୟ ମିଲରଙ୍କୁ ଦିଆଯାଇଥିବା ଧାନ କିଣା ଟାର୍ଗେଟ୍‌ ହ୍ରାସ ପାଇ ୯.୨୯ ଲକ୍ଷକୁ ଖସି ଆସିଛି। ଅଥଚ ପ୍ରଶାସନ ଏଯାଏ ସେମାନଙ୍କ ଅମାନତ ଜମା ଫେରାଇ ନାହିଁ। ଦୁଇଟି ଜିଲ୍ଲାର ମିଲର୍‌ଙ୍କ ପାଇଁ ପ୍ରଶାସନର ଦୁଇଟି ଭିନ୍ନ ଭିନ୍ନ ନିଷ୍ପତ୍ତି କେମିତି?

ସର୍ବୋପରି ଧାନ କିଣା ବେଳେ ଅଖା ପ୍ରସଙ୍ଗଟି ଏବେ ଅଧିକ ବିବାଦ ସୃଷ୍ଟି କଲେଣି। ଚାଷୀ ସନ୍ଦେହ କରୁଛି ଯେ ତାଙ୍କ ଠାରୁ ଯାଉଥିବା ଅଧା ବାଟରେ ବିକ୍ରି ହେଉଛି। ଏହି ସନ୍ଦେହ ଅଧିକ ଦୃଢୀଭୂତ ହେଲାଣି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜିଲ୍ଲାରୁ ଯେଉଁ ଧାନ ଉଠୁଛି, ତାହା କେଉଁ ମିଲ୍‌କୁ ଯାଉଛି, ତାହାକୁ ଜିଲ୍ଲା ଭିତରେ ହିଁ ଆମେ ନଜର ରଖିପାରିବୁ। ହେଲେ ବାହାର ଜିଲ୍ଲାର ସୀମା ଛୁଇଁବା ପରେ ଧାନ ଗାଡ଼ି କେଉଁଠିକି ଯାଉଛି, ଏକଥା କେମିତି ଜଣାପଡ଼ିବ?

ସମ୍ବନ୍ଧିତ ଖବର