ପିଲାଚୋର ସନ୍ଦେହରେ ‘ଭିଡ଼ ହିଂସା’ର ଶିକାର ହେବା ପୂର୍ବରୁ ୬ ବିଦେଶୀଙ୍କୁ ଉତ୍ୟକ୍ତ ଜନତାଙ୍କ କବଳରୁ ଉଦ୍ଧାର କଲା ଦିଳ୍ଲୀ ପୁଲିସ୍‌

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ପିଲାଚୋର ସନ୍ଦେହରେ ୬ ଜଣ ଆଫ୍ରିକୀୟ ନାଗରିକଙ୍କୁ ଗତ ରାତିରେ ସ୍ଥାନୀୟ ଲୋକେ ଧରିନେବା ସହ ସେମାନଙ୍କୁ ନିର୍ଘାତ ମାଡ଼ ମାରୁଥିବା ବେଳେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉତ୍ୟକ୍ତ ଜନତାଙ୍କ କବଳରୁ ଉଦ୍ଧାର କରିଛି। ଏମାନଙ୍କ ମଧ୍ୟରେ ତାଞ୍ଜେନିଆର ୪ ଜଣ ମହିଳା ଥିବାବେଳେ ନାଇଜେରିଆର ୨ ଜଣ ପୁରୁଷ ଅଛନ୍ତି।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ନୂଆଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଗତକାଲି (ଗୁରୁବାର) ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏକ ଗୁଜବ ପ୍ରଚାରିତ ହୋଇ ଯାଇଥିଲା ଯେ କିଛି ବିଦେଶୀ ନାଗରିକ ସ୍ଥାନୀୟ ପିଲାଙ୍କୁ ଅପହରଣ କରିନେବା ପାଇଁ ଉଦ୍ୟମ କରୁଛନ୍ତି। ଏ ଘଟଣା ପ୍ରଚାରିତ ହୋଇଯିବା ପରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ଲୋକ ଘଟଣାସ୍ଥଳରେ ପହଞ୍ଚି ଏହି ୬ ଜଣ ଆଫ୍ରିକୀୟ ନାଗରିକଙ୍କୁ କାବୁ କରିନେବା ସହ ସେମାନଙ୍କ ଉପରେ ନିର୍ଘାତ ମାଡ଼ ଆରମ୍ଭ କରି ଦେଇଥିଲେ। ପରେ ପୁଲିସ୍‌ ଘଟଣା ସଂପର୍କରେ ଖବର ପାଇବା ପରେ କାଳ ବିଳମ୍ବ ନକରି ଘଟଣାସ୍ଥଳରେ ପହଞ୍ଚିଥିଲା, ଏବଂ ଭିଡ଼ ହିଂସାର ଶିକାର ହୋଇ ଏହି ୬ ଜଣ ବିଦେଶୀ ନାଗରିକଙ୍କର କୌଣସି ପ୍ରକାରର ଅଘଟଣ ଘଟିବା ପୂର୍ବରୁ ସେମାନଙ୍କୁ ଉତ୍ୟକ୍ତ ଜନତାଙ୍କ କବଳରୁ ଉଦ୍ଧାର କରି ନେଇଥିଲା। ଏବେ ଏହି ଘଟଣା ସଂପର୍କରେ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର