ଉଡ଼ାଣ ପୂର୍ବରୁ ଚିହ୍ନଟ ହେଲେ ଆକ୍ରାନ୍ତ, ବିମାନରୁ ୨୮୯ ଯାତ୍ରୀଙ୍କୁ ଓହ୍ଲାଇ ଦିଆଗଲା

କୋଚି: ଜଣେ ବ୍ରିଟେନ୍‌ ନାଗରିକଙ୍କ ଶରୀରରେ କରୋନା ଭାଇରସ ପଜିଟିଭ ଜଣାପଡ଼ିବା ପରେ ଆଜି କେରଳର କୋଚି ବିମାନ ବନ୍ଦରରେ ଦୁବାଇ ଯାଉଥିବା ଏକ ବିମାନରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଛି। ବିମାନଟି ଉଡ଼ାଣ ଭରିବା ପୂର୍ବରୁ ଯାତ୍ରୀମାନଙ୍କର କରୋନା ଭାଇରସ ପରୀକ୍ଷା କରାଯାଇଥିଲା। ଜଣେ ବ୍ରିଟେନ୍‌ ନାଗରିକଙ୍କ ଶରୀରରେ କରୋନା ପଜିଟିଭ୍‌ ଥିବା ବୋଲି ଜଣାପଡ଼ିଥିଲା। ଏହି ଯାତ୍ରୀଜଣକ କେରଳର ମୁନ୍ନାରରେ ଥିବା ହିଲ୍‌ ରିସୋର୍ଟ ଟାଉନ ହୋଟେଲରେ ଅନ୍ୟ ୧୯ ଜଣଙ୍କ ସହ ମିଶି ରହୁଥିଲେ। ଏହି ସଂକ୍ରମିତ ଯାତ୍ରୀଙ୍କୁ କ୍ବାରେଣ୍ଟିନ୍‌ କ୍ୟାମ୍ପରେ ରଖାଯାଇ ସ୍ବତନ୍ତ୍ର ଭ‌ାବେ ଅନୁଧ୍ୟାନ କରାଯାଉଛି ବୋଲି କୋଚିନ୍‌ ଅନ୍ତର୍ଜାତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଦୁବାଇ ଯାଉଥିବା ଏମିରେଟ୍‌ସ ଫ୍ଲାଇଟରୁ ଏହି ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭି ଜଣାପଡ଼ିବା ପରେ ପ୍ରଥମେ ତାଙ୍କ ସହ ଗୋଟିଏ ହୋଟେଲରେ ରହୁଥିବା ୧୯ ଜଣଙ୍କୁ ଓହ୍ଲାଇ ଦିଆଯିବ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ନିଷ୍ପତ୍ତି ‌ନେଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସମସ୍ତ ୨୮୯ ଜଣଙ୍କୁ ଓହ୍ଲାଇ ଦେବାକୁ ବିମାନ ବନ୍ଦର କର୍ତ୍ତୃପକ୍ଷ ଉଚିତ୍‌ ମଣିଥିଲେ।

ସମ୍ବନ୍ଧିତ ଖବର