ସଂକଟମୋଚକ ସାଜିଲେ ସରକାର, ଇରାନ୍‌ ଓ ଇଟାଲିରୁ ଫେରିଲେ ୪୫୨ ଭାରତୀୟ

ଇଟାଲିରୁ ଫେରିଥିବା ୨୧୮ଜଣ ଦିଲ୍ଲୀ କ୍ୟାମ୍ପ ଗଲେ, ଜୟସାଲମେର୍‌ କ୍ୟାମ୍ପରେ ପହଞ୍ଚିଲେ ଇରାନ୍‌ରୁ ଫେରିଥିବା ୨୩୪ ଭାରତୀୟ

ନୂଆଦିଲ୍ଲୀ: କରୋନା ପ୍ରଭାବିତ ଇରାନ୍‌ ଓ ଇଟାଲିରୁ ମୋଟ ୪୫୨ ଜଣ ଭାରତୀୟ ଆଜି ସୁରକ୍ଷିତ ଭାରତ ଫେରିଛନ୍ତି। ଭାରତ ସରକାର ସଂକଟମୋଚକ ସାଜି ଏମାନଙ୍କୁ ସ୍ବଦେଶ ଫେରାଇ ଆଣିବାରେ ସଫଳ ହୋଇଛନ୍ତି। ସମସ୍ତଙ୍କୁ ଦିଲ୍ଲୀ ଏବଂ ରାଜସ୍ଥାନର ଜୟସାଲମେର କ୍ବାରେଣ୍ଟିନ୍‌ କ୍ୟମ୍ପରେ ୧୪ ଦିନ ପର୍ଯ୍ୟନ୍ତ ରଖାଯିବ। ତେବେ ଭାରତ ସରକାରଙ୍କ ଏଭଳି ପ୍ରୟାସକୁ ବିଭିନ୍ନ ମହଲରୁ ଭୂୟସୀ ପ୍ରଶଂସା କରାଯାଇଛି। କରୋନା ଭାଇରସ ସଂକ୍ରମିତ ଭାରତୀୟଙ୍କୁ ଫେରାଇ ଆଣିବାରେ ଉଭୟ ଇରାନ୍‌ ଓ ଇଟାଲି ସରକାର ସ‌ହଯୋଗ କରିଥିବାରୁ ଭାରତ ସେମାନଙ୍କୁ କୃତଜ୍ଞତା ଜଣାଇଛି। କରୋନା ଭାଇରସ ଯୋଗୁଁ ଇଟାଲିରେ ଫସି ରହିଥିବା ୨୧୮ଜଣ ଭାରତୀୟ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ୨୧୧ ଜଣ କେବଳ ଛାତ୍ରଛାତ୍ରୀ ଅଛନ୍ତି। ସେମାନଙ୍କୁ ୧୪ ଦିନ ପାଇଁ କ୍ବାରେଣ୍ଟିନ୍‌ରେ ରଖାଯିବ ବୋଲି ବିଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ କହିଛନ୍ତି। ବିଦେଶରେ ସମସ୍ୟାରେ ଥିବା ଭାରତୀୟମାନଙ୍କ ପାଖରେ ପହଞ୍ଚିବାକୁ ସରକାର ପ୍ରତିବଦ୍ଧ ବୋଲି ମୁରଲୀଧରନ ଟ୍ବିଟ୍‌ କରିଛନ୍ତି। ସେ କହିଛନ୍ତି ଯେ ମିସନ ସଫଳ ହୋଇଥିବାରୁ ଇଟାଲି ସରକାର, ଏୟାର୍‌ଇଣ୍ଡିଆ, ଇଟାଲିରୁ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାରେ ନିଯୁକ୍ତ ଥିବା ଟିମ୍‌ ଇଣ୍ଡିଆ ଏବଂ ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର ପ୍ରଶଂସାଯୋଗ୍ୟ ଅଟନ୍ତି।

ଆଜି ସକାଳେ କରୋନା ପ୍ରଭାବିତ ଇରାନ୍‌ରୁ ସ୍ଥାନାନ୍ତର କରାଯାଇଥିବା ୨୩୪ ଭାରତୀୟଙ୍କୁ ରାଜସ୍ଥାନର ଜୟସାଲମେରକୁ ଅଣାଯାଇଛି। ସେଠାରେ ଥିବା ଭାରତୀୟ ସେନା ବାହିନୀର ୱେଲନେସ୍‌ ସେଣ୍ଟର୍‌ରେ ସେମାନଙ୍କୁ ପୃଥକ୍‌ କରି ରଖାଯିବ ବୋଲି ସରକାରୀ କର୍ତ୍ତୃପକ୍ଷ କହିଛନ୍ତି। ବିଦ୍ୟାର୍ଥୀ ଏବଂ ତୀର୍ଥଯାତ୍ରୀଙ୍କ ସମେତ ଏହି ଭାରତୀୟମାନେ ଇରାନ୍‌ର ଯାତ୍ରୀବାହୀ ବିମାନ ‘ମହନ ଏୟାର୍‌ ଫ୍ଲାଇଟ୍‌’ ଯୋଗେ ରବିବାର ସକାଳୁ ମୁମ୍ବାଇରେ ପହଞ୍ଚିଥିଲେ। ସେଠାରୁ ସେମାନଙ୍କୁ ଦୁଇଟି ଏୟାର୍‌ ଇଣ୍ଡିଆ ବିମାନ ଯୋଗେ ଜୟସାଲମେର ନିଆଯାଇଛି। ରାଜସ୍ଥାନର ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ୍‌ ସମ୍ବିତ ଘୋଷ କହିଛନ୍ତି ଯେ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟିନ୍‌ରେ ରଖାଯିବାକୁ ନିର୍ଦେଶ ଥିବା ଭାରତୀୟଙ୍କ ପାଇଁ ଜୟସାଲମେରଠାରେ ଥିବା ୱେଲନେସ୍‌ ସେଣ୍ଟର୍‌ରେ ସବୁପ୍ରକାର ସୁବିଧା ରହିଛି। ସେମାନଙ୍କ ଯତ୍ନ ପାଇଁ କୁଶଳୀ ଡାକ୍ତରମାନେ ମଧ୍ୟ ସେଠାରେ ଅଛନ୍ତି। ଦରିଆପାରିରୁ ଆସିଥିବା ଆମ ଦେଶବାସୀଙ୍କ ଯତ୍ନ ଓ ସହାୟତା ପାଇଁ ସୈନିକମାନେ ସ୍ୱେଚ୍ଛାସେବୀ ଭାବେ କାମ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଇରାନରୁ ଫେରିଥିବା ୨୩୪ ଜଣ ଭାରତୀୟଙ୍କ ମଧ୍ୟରୁ ୧୩୧ ଛାତ୍ରଛାତ୍ରୀ ଥିବାବେଳେ ଅନ୍ୟମାନେ ତୀର୍ଥଯାତ୍ରୀ।

ସମ୍ବନ୍ଧିତ ଖବର