କରୋନା ପ୍ରଭାବ : ଦିଲ୍ଲୀରେ ଓଡ଼ିଶାର ୩ ଅତିଥି ଗୃହ ଖାଁ ଖାଁ

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଅନେକ ପ୍ରକାର କଟକଣା ଜାରି କରାଯାଇଛି। ଦିଲ୍ଲୀସ୍ଥିତ ଓଡ଼ିଶା ଭବନ, ଓଡ଼ିଶା ନିବାସ ଏବଂ ଓଡ଼ିଶା ସଦନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ରାଜ୍ୟ ସରକାରଙ୍କ ଦିଲ୍ଲୀସ୍ଥିତ ଏହି ତିନିଟି ଅତିଥି ଗୃହମାନଙ୍କରେ ପାଖାପାଖି ୯୦ ପ୍ରତିଶତରୁ ଊର୍ଦ୍ଧ୍ବ ଗୃହ ଖାଲିପଡ଼ିଛି।

ଦିଲ୍ଲୀସ୍ଥିତ ଏହି ତିନିଟି ଅତିଥି ଗୃହରେ ରହିବା ପାଇଁ ରାଜ୍ୟ ଗୃହ ବିଭାଗରୁ ଅନୁମତି ପ୍ରଦାନ କରାଯାଇଥାଏ। ଓଡ଼ିଶା ନିବାସ ଓ ଓଡ଼ିଶା ସଦନରେ ଅଧିକ ସଂଖ୍ୟାରେ ଗୃହ ରହିଥିବାବେଳେ ଓଡ଼ିଶା ଭବନରେ ଅପେକ୍ଷାକୃତ କମ ରୁମ୍‌ ରହିଛି। କରୋନାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ବିଭିନ୍ନ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଉଥିବାରୁ ଏହି ତିନିଟି ନିବାସରେ ଅତିଥିମାନଙ୍କର ଆଗମନ ମଧ୍ୟ ବନ୍ଦ ହୋଇଯାଇଛି। ସୂଚନା ଅନୁସାରେ, ବିଭିନ୍ନ କାର୍ଯ୍ୟକ୍ରମ, ସମ୍ମିଳନୀ, କର୍ମଶାଳା, ଗ୍ରୁପ୍‌ ଇଭେଣ୍ଟ୍‌ ଗୁଡ଼ିକୁ ସ୍ଥଗିତ କରି ଦିଆଯାଇଥିବାରୁ ଏଥିରେ ଯୋଗ ଦେବା ପାଇଁ ପୂର୍ବରୁ ବୁକିଂ ହୋଇଥିବା ରୁମ୍‌ଗୁଡ଼ିକୁ ବାତିଲ ମଧ୍ୟ କରି ଦିଆଯାଇଛି। ସର୍ବଦା ଚଳଚଞ୍ଚଳ ଥିବା ଏହି ତିନିଟି ଅତିଥି ଗୃହରେ ବର୍ତ୍ତମାନ ସେଭଳି ଗତିବିଧି ଦେଖିବାକୁ ମିଳୁନାହିଁ। ଅପରପକ୍ଷେ ଆବାସିକ କମିସନର କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ନିୟମିତ ଅଫିସରେ ଯୋଗ ଦେଉଛନ୍ତି। ପରିସର ପରିଷ୍କାର ଓ ପରିଚ୍ଛନତା ପ୍ରତି ବିଶେଷ ଦୃଷ୍ଟି ଦିଆଯିବା ସହିତ ନିୟମିତ ବ୍ୟବଧାନରେ ଗୃହଗୁଡ଼ିକର ସାନିଟାଇଜେସନ କରାଯାଉଛି। କର୍ମଚାରୀମାନେ ଆଲର୍ଟ ରହିବା ସହିତ ରାଜ୍ୟ ସରକାରଙ୍କ କରୋନା ଭାଇରସକୁ ନିୟନ୍ତ୍ରଣ କରିବା ନେଇ ଯେଉଁସବୁ ପ୍ରତିଷେଧକମୂଳକ ବ୍ୟବସ୍ଥା କରାଯାଉଛି, ସେ ସମ୍ପର୍କରେ ଅବଗତ ହେଉଛନ୍ତି। ମୋବାଇଲ, ହ୍ବାଟ୍ସଆପ୍‌ ,ଫେସବୁକ୍ ଜରିଆରେ କର୍ମଚାରୀମାନେ ଅପଡେଟ୍ ହେବା ସହିତ ପ୍ରବାସୀ ଓଡ଼ିଆମାନଙ୍କ ପାଖରୁ ଆସୁଥିବା ବିଭିନ୍ନ ସମସ୍ୟାର ନିରାକରଣ ପାଇଁ ମଧ୍ୟ ପରାମର୍ଶ ଦେଉଛନ୍ତି।

ସମ୍ବନ୍ଧିତ ଖବର