କରୋନାର ପରିବର୍ତ୍ତିତ ରୂପ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ୍‌ ପ୍ରଜାତି ଭୂତାଣୁ ଭାରତରେ

ମହାରାଷ୍ଟ୍ରରେ ପୁଣି ଲକ୍‌ଡାଉନ୍‌ ହୋଇପାରେ, ୮୭ ଲକ୍ଷରୁ ଅଧିକ ଟିକା ନେଲେଣି

ନୂଆଦିଲ୍ଲୀ: ପରିବର୍ତ୍ତିତ କରୋନାଭୂତାଣୁର ବ୍ରିଟେନ୍‌ ପ୍ରଜାତି ପରେ ଏବେ ଭାରତରେ ଦକ୍ଷିଣ ଆଫ୍ରିକୀୟ ଏବଂ ବ୍ରାଜିଲ୍‌ ପ୍ରଜାତିର ଭୂତାଣୁ ପ୍ରବେଶ କରିଛି। ଆଇସିଏମ୍‌ଆର୍‌ ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ ଫେବ୍ରୁଆରି ପ୍ରଥମ ସପ୍ତାହରେ ଭାରତରେ ଜଣଙ୍କଠାରେ ବ୍ରାଜିଲ ପ୍ରଜାତିର ନୂଆ କରୋନାଭୂତାଣୁ ଚିହ୍ନଟ ହୋଇଛି। ଅନ୍ୟପକ୍ଷରେ ୪ ଜଣଙ୍କଠାରେ ଆଫ୍ରିକୀୟ ପ୍ରଜାତିର ଭୂତାଣୁ ମଧ୍ୟ ଚିହ୍ନଟ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି। ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଏହି ଯାତ୍ରୀମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଚିହ୍ନଟ କରାଯାଇଛି ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଇଛି। ଦେଶରେ ଆଜି ସୁନ୍ଧ୍ୟା ବ୍ରିଟେନ ପ୍ରଜାତିର ୧୮୭ ମାମଲା ସାମ୍ନାକୁ ଆସିଛି ଏବଂ କାହାର ବି ମୃତ୍ୟୁ ହୋଇନାହିଁ। ସମସ୍ତ ପଜିଟିଭ ମାମଲାର କ୍ବାରାଣ୍ଟାଇନ ପରେ ଆବଶ୍ୟକ ଚିକିତ୍ସା ଜାରି ରହିଛି।

ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆର୍‌ଟିପିସିଆର୍‌ ଟେଷ୍ଟ୍‌ ବାଧ୍ୟତାମୂଳକ କରାଯାଇଛି। ଯେଉଁମାନଙ୍କର ପଜିଟିଭ ଆସୁଛି ସେମାନଙ୍କର ଜିନୋମ୍‌ ଅନୁକ୍ରମଣ କରାଯାଉଛି। ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲରୁ ଆସିଥିବା ନୂଆ ଭୂତାଣୁ କ୍ଷେତ୍ରରେ ମଧ୍ୟ ସମାନ ରଣନୀତି ଅବଲମ୍ବନ ହେବ ବୋଲି ଭାର୍ଗବ କହିଛନ୍ତି। ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ି ଚାଲିଥିବାରୁ ସେଠାରେ ପୁଣି ଲକ୍‌ଡାଉନ୍‌ ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଆଜି ଲୋକଙ୍କୁ ସତର୍କ କରାଇ ଦେଇଛନ୍ତି। କରୋନା ନିୟମାବଳି ଲୋକେ ମାନୁନଥିବାରୁ ଏଭଳି ପରିସ୍ଥିତି ହୋଇଛି ବୋଲି ସେ କହିଛନ୍ତି। ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ ପ୍ରଜାତିର ଭୂତାଣୁ ଏବେ ୪୪ ଦେଶରେ ପହଞ୍ଚି ସାରିଛି ଏବଂ ଉପସାଗରୀୟ ରାଷ୍ଟ୍ରଗୁଡ଼ିକରେ ଏହାର ପ୍ରକୋପ ଅଧିକ ରହିଛି।

୮୭ ଲକ୍ଷରୁ ଅଧିକ ଟିକା ନେଲେଣି
ଭାରତରେ କୋଭିଡ-୧୯ ଟିକାକରଣ ପ୍ରକ୍ରିୟା ଏବେ ଜାରି ରହିଛି ଏବଂ ଆଜି ସୁଦ୍ଧା ୮୭,୪୦,୫୯୫ ଜଣ ଟିକା ନେଇସାରିଛନ୍ତି। ୬୧,୧୧,୯୬୮ (୬୦.୫%) ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାର ପ୍ରଥମ ମାତ୍ରା ଦିଆ ସରିଥିବା ବେଳେ ୧,୭୦,୬୭୮ ଜଣଙ୍କୁ ଦ୍ବିତୀୟ ମାତ୍ରା ଦିଆସରିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୧୭ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରୁ କୌଣସି କୋଭିଡ୍‌ ମୃତ୍ୟୁ ରିପୋର୍ଟ ଆସିନାହିଁ। ୬ଟି ରାଜ୍ୟରେ ଏହି ସମୟ ମଧ୍ୟରେ ଗୋଟିଏ ବି ନୂଆ କୋଭିଡ ମାମଲା ନ ଆସିବା ବଡ଼ ଆଶ୍ବସ୍ତିର କାରଣ ହୋଇଛି। ନୂଆ ପ୍ରଜାତିର ଭୂତାଣୁ ଏବେ ଭାରତରେ ସକ୍ରିୟ ଥିବାରୁ କୋଭିଡ ପାଇଁ ରହିଥିବା ସାଧାରଣ ନିୟମ ସବୁ ପାଳନ କରିବାକୁ ଗୁରୁତ୍ବାରୋପ କରାଯାଇଛି।

ସମ୍ବନ୍ଧିତ ଖବର