ବିମାନରେ କରୋନାଭାଇରସ କଟକଣା: ମଝି ସିଟ୍ ଖାଲି ରଖିବାକୁ ଏୟାରଲାଇନସକୁ କହିଲା ଡିଜିସିଏ

ନୂଆଦିଲ୍ଲୀ: କରୋନାଭାଇରସର ଦ୍ରୁତ ସଂକ୍ରମଣ ପ୍ରତିରୋଧ କରିବାକୁ ସାମାଜିକ ଦୂରତ୍ୱ ଏବଂ ଅନ୍ୟାନ୍ୟ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ) ସମସ୍ତ ଏୟାରଲାଇନ୍ ଏବଂ ବିମାନବନ୍ଦରଙ୍କୁ କହିଛି । ପ୍ରତିଷେଧମୂଳକ ବ୍ୟବସ୍ଥା ମଧ୍ୟରୁ ଗୋଟିଏ ହେଉଛି ଯାତ୍ରୀମାନଙ୍କ ମଧ୍ୟରେ ବ୍ୟବଧାନ ରଖିବାକୁ ବିମାନର ମଝି ସିଟଗୁଡ଼ିକୁ ଖାଲି ରଖାଯିବ ।

ଏହାଛଡ଼ା ଚେକ୍-ଇନ୍ ଏବଂ ସିକ୍ୟୁରିଟି କାଉଣ୍ଟର୍ ଠାରେ ଯାତ୍ରୀମାନଙ୍କୁ ଅନ୍ୟୁନ ଏକ ମିଟର ବ୍ୟବଧାନରେ ଠିଆ କରାଇବାକୁ ଡିଜିସିଏ ବିମାନବନ୍ଦର କର୍ତ୍ତୃପକ୍ଷମାନଙ୍କୁ ନିର୍ଦେଶ ଦେଇଛି ।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ଭାରତକୁ ସମସ୍ତ ଆନ୍ତର୍ଜାତିକ ବିମାନ ଆସିବା ବନ୍ଦ କରାଯାଇଛି । ବିଦେଶର କୌଣସି ବିମାନକୁ ମଧ୍ୟ ଭାରତର କୌଣସି ବିମାନ ବନ୍ଦରରେ ଅବତରଣ କରାଇ ଦିଆଯିବନାହିଁ ବୋଲି ସରକାର ଘୋଷଣା କରିଛନ୍ତି । କିନ୍ତୁ ଦେଶ ଭିତରେ ବିମାନ ଚଳାଚଳ ଚାଲୁ ରହିବ ।

Image Source: Wall Street Journal

ଯାତ୍ରୀମାନଙ୍କ ମଧ୍ୟରେ କରୋନାଭାଇରସ୍ ସଂକ୍ରମଣ ନ ହେବା ନିମନ୍ତେ ଏୟାରଲାଇନ୍ ଏବଂ ଏୟାରପୋର୍ଟ ପ୍ରତି ଡିଜିସିଏ ଏକ ୮ସୂତ୍ରୀ ଗାଇଡଲାଇନ ଜାରି କରିଛି ।

୧. ଚେକ୍-ଇନ୍ କାଉଣ୍ଟର୍ ନିକଟରେ ଯାତ୍ରୀ-ଯାତ୍ରୀ ମଧ୍ୟରେ ଏବଂ ପ୍ରତି କାଉଣ୍ଟର୍ ମଧ୍ୟରେ ଏକ ମିଟର ବ୍ୟବଧାନର ବ୍ୟବସ୍ଥା କରାଯିବ ।

୨. ଚେକ୍-ଇନ୍ କାଉଣ୍ଟର୍ ଠାରେ ଏବଂ ସିକ୍ୟୁରିଟି ଚେକ୍ ସମୟରେ ଯାତ୍ରୀମାନଙ୍କୁ ଜଗିବାକୁ ଯଥେଷ୍ଟ କର୍ମଚାରୀ ରଖାଯିବେ ।

୩. ପ୍ରତିକ୍ଷାଳୟ ଅଞ୍ଚଳରେ ଯାତ୍ରୀମାନେ ଯଥେଷ୍ଟ ବ୍ୟବଧାନରେ ବସିବା ଉଚିତ ଅର୍ଥାତ୍ ମଝିରେ ଗୋଟିଏ ସିଟ୍ ଖାଲି ରଖାଯିବ ।

୪. ବିମାନ ଚଢ଼ିବା ବେଳେ ଯାତ୍ରୀମାନେ ଯେମିତି ଏକକାଳୀନ ରୁଣ୍ଡ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।

୫. ବିମାନ ପ୍ରବେଶ ଦ୍ୱାରଠାରେ କର୍ମଚାରୀ ଏବଂ ଯାତ୍ରୀମାନଙ୍କୁ ସାନିଟାଇଜର୍ ଯୋଗାଣ ବ୍ୟବସ୍ଥା ରହିବ ।

୬. ଯାତ୍ରୀମାନଙ୍କୁ କିଛି ପରିବେଷଣ କରିବା ସମୟରେ କ୍ୟାବିନ୍ ପରିଚାରକମାନେ ଯଥେଷ୍ଟ ଦୂରତା ବଜାୟ ରଖିବେ ।

୭. ଯାତ୍ରୀମାନଙ୍କୁ ସିଟ୍ ଆବଣ୍ଟନ କରିବା ସମୟରେ ବିମାନର ମଝି ସିଟ୍ ଖାଲି ରହୁଛି ବୋଲି ନିଶ୍ଚିତ ହେବାକୁ ପଡ଼ିବ ।

୮. ଏହାଛଡ଼ା ସାମାଜିକ ଦୂରତ୍ୱ ନିମନ୍ତେ ଅବସ୍ଥାକୁ ଚାହିଁ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ ।

ସମ୍ବନ୍ଧିତ ଖବର