ଖରାଦିନେ କରୋନା ଭାଇରସ ଲୋପ ପାଇଯିବ କି ? ଜାଣନ୍ତୁ କ’ଣ କହୁଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ : ଖରାଦିନ ଆସିଲେ କରୋନା ଭାଇରସ ଲୋପ ପାଇବ ବୋଲି ଯେଉଁମାନେ ଆଶା କରୁଛନ୍ତି ତାହା ନିରାଶାରେ ପରିଣତ ହୋଇପାରେ । ଏପରି ଏକ ମିଛ ଆଶା ପୋଷଣ କରିବା ଅପେକ୍ଷା ଏହାକୁ କିପରି ରୋକିହେବ ସେ ଦିଗରେ ବିଶ୍ୱର ଦେଶମାନେ ଉଦ୍ୟମ କରିବା ଉଚିତ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ସତର୍କ କରାଇଦେଇଛି ।
ସଂଗଠନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ.ମାଇକେଲ ର‍୍ୟାନ କହିଛନ୍ତି ଯେ ଖରାଦିନ ଆସିଲେ କରୋନା ଭାଇରସ (କୋଭିଡ୍‌-୧୯) ଆପେ ଆପେ ଲୋପ ପାଇଯିବ ବୋଲି ଅନେକ ଲୋକ ଆଶା ରଖିଛନ୍ତି । ଭଗବାନଙ୍କ ଦୟାରୁ ଏପରି ହେଲେ ଭଲ, କିନ୍ତୁ ଏପରି କଥା ଭାବିବାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । ଏଣୁ ପ୍ରକୃତି ଉପରେ ନିର୍ଭର ନକରି ଆମକୁ ନିଜେ ଏହା ବିରୁଦ୍ଧରେ ଲଢେଇ କରିବାକୁ ହେବ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ସଂଗଠନର ମହାନିର୍ଦ୍ଦେଶକ ଡଃ ଟ୍ରେଡସ୍‌ ଆଧାନମ ଘେବ୍ରେୟସସ କହିଛନ୍ତି ଯେ ଚୀନ ଓ ଦକ୍ଷିଣ କୋରିଆରେ ଏହି ରୋଗର ପ୍ରକୋପ କମିଆସୁଛି, ଏହା ଏକ ସକାରାତ୍ମକ ଲକ୍ଷଣ । କିନ୍ତୁ ଏହା ଦ୍ରୁତ ଗତିରେ ଅନ୍ୟ ଦେଶମାନଙ୍କୁ ମାଡ଼ିଚାଲିଛି । ବିଶେଷ କରି ଗରିବ ଓ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ନଥିବା ଦେଶମାନଙ୍କରେ ଏହି ଭୁତାଣୁ ବ୍ୟାପିବା ଦ୍ୱାରା ବିଶ୍ୱରେ ଏକ ବଡ଼ ମାନବୀୟ ସଂକଟ ସୃଷ୍ଟି ହେବ । ଏଣୁ ସବୁ ଦେଶ ମିଳିତଭାବେ ଏହା ବିରୁଦ୍ଧରେ ଲଢେଇ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର