ନୂଆଦିଲ୍ଲୀ: ମହାମାରୀ କୋଭିଡ୍-୧୯ର ମୁକାବିଲା ପାଇଁ ଏକ ସଫଳ ଚିକିତ୍ସା ପଦ୍ଧତି ବାହାର କରିବା ପାଇଁ ସାରା ବିଶ୍ବ ଅନ୍ଧାରରେ ବାଡ଼ି ବୁଲାଇବା ସଦୃଶ ହୋଇଥିଲା ବେଳେ ଏ ଦିଗରେ ଭାରତୀୟ ଚିକିତ୍ସାବିତ୍ଙ୍କ ପରୀକ୍ଷା ନିରୀକ୍ଷା ବେଶ ଉତ୍ସାହପ୍ରଦ ହୋଇଥିବା ଜଣାଯାଇଛି। ଏପରିକି, ଭାରତୀୟ ଡାକ୍ତରଙ୍କ ନିଷ୍କର୍ଷ ଉପରେ ବିଶ୍ବ ତମାମ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇ ଚାଲିଥିବା ବେଳେ ସେସବୁକୁ ଭ୍ରୂକ୍ଷେପ ନକରି ସେମାନଙ୍କ ଗବେଷଣା ହିଁ ଧୀରେ ଧୀରେ ଫଳପ୍ରଦ ସାବ୍ୟସ୍ତ ହୋଇଥିବା ଜଣାଯାଇଛି।
ଏହି କ୍ରମରେ ମଧ୍ୟମରୁ ଅତି ସାଂଘାତିକ ସଂକ୍ରମଣ ମାମଲାର ଚିକିତ୍ସା ପାଇଁ ଶକ୍ତିବର୍ଦ୍ଧକ(ଷ୍ଟିରଏଡ୍ସ)ର ଉପଯୋଗ କରାଯାଉଛି, ଯାହା କି ୟୁକେରେ ଏହାର ପରୀକ୍ଷାମୂଳକ ପ୍ରୟୋଗ ପୂର୍ବରୁ ଭାରତୀୟ ଡାକ୍ତରମାନେ ପରାମର୍ଶ କରିଥିଲେ ବୋଲି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ କହିଛନ୍ତି। ସେହିପରି ମ୍ୟାରେଲିଆ ବିରୋଧୀ ଔଷଧ ହାଇଡ୍ରକ୍ସିକ୍ଲୋରୋକ୍ବିନ୍କୁ ମଧ୍ୟ କୋଭିଡ୍ ପାଇଁ ବହୁଳ ବ୍ୟବହୃତ କରାଯାଉଥିଲା। ଏ ପରିପ୍ରେକ୍ଷୀରେ କୋଭିଡ୍ ଉପଚାର ପାଇଁ ସାଧାରଣତଃ ତିନିଟି ମୂଳ ଉପାଦାନର ଆବଶ୍ୟକତା ରହିଥିବା ସେ କହିଛନ୍ତି। ପ୍ରଥମତଃ ରୋଗୀ ଶରୀରରେ ଭୂତାଣୁର ସଂଖ୍ୟା କମାଇବା ପାଇଁ ଆବଶ୍ୟକ ଆଣ୍ଟିବଡି ବିକଶିତ କରାଇବା, ଦ୍ବିତୀୟରେ ବିଭିନ୍ନ ପ୍ରକାର ଅସ୍ବାଭାବିକତା ପ୍ରଦର୍ଶନ କରୁଥିବା ସାଇଟୋକାଇନ୍ ଷ୍ଟର୍ମ ପରି ଲକ୍ଷଣକୁ ଚପାଇଦେବା ଏବଂ ତୃତୀୟରେ ରକ୍ତ ଜମାଟ ନ ବାନ୍ଧିବା ପାଇଁ ଆବଶ୍ୟକ ଔଷଧ ଗ୍ରହଣ କରିବା। ସେହିପରି ନୂଆଦିଲ୍ଲୀରେ ପ୍ଲାଜ୍ମା ଚିକିତ୍ସାର ବହୁଳ ବ୍ୟବହାର କରାଯାଇଛି ଏବଂ ଅନେକ ରୋଗୀଙ୍କ ଠାରେ ଉନ୍ନତି ପରିଲକ୍ଷିତ ହୋଇଛି।
ଏପରିକି କୁଷ୍ଠ ପାଇଁ ବ୍ୟବହୃତ ମାଇକୋବାକ୍ଟେରିଅମ୍ ଡବ୍ଲ୍ୟୁକୁ ମଧ୍ୟ କୋଭିଡ୍ ରୋଗୀଙ୍କ କ୍ଷେତ୍ରରେ ଉପଯୋଗ କରାଯାଇଛି ବୋଲି ଭୋପାଳ ଏମ୍ସର ନିର୍ଦ୍ଦେଶକ ଡା. ସରମନ ସିଂହ କହିଛନ୍ତି। ସେହିପରି ଇବୋଲା ପାଇଁ ମୁଖ୍ୟତଃ ପ୍ରସ୍ତୁତ ହୋଇଥିବା ରେମ୍ଡେସିଭିରକୁ ମଧ୍ୟ କୋଭିଡ୍-୧୯ର ଏକ ପରୀକ୍ଷାମୂଳକ ଉପଚାର ଭାବେ ପ୍ରୟୋଗ କରିବା ଲାଗି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍) ଅନୁମତି ଦେଇଥିଲା। ଏଥି ସହିତ ଶରୀର ଫୁଲା ପାଇଁ ଉଦ୍ଦିଷ୍ଟ ଡେକ୍ସାମିଥାଜୋନ୍କୁ ମଧ୍ୟ ପରୀକ୍ଷାନିରୀକ୍ଷା କରାଯାଇଥିଲା ଯାହାର ସୁଫଳ ଏବେ ୟୁକେରେ ପ୍ରମାଣିତ ହୋଇଛି ବୋଲି ମାକ୍ସ ସକେତର ସହନିର୍ଦ୍ଦେଶକ ଡା. ରମେଲ ଟିକୁ କହିଛନ୍ତି।