୨୦୨୨ ମାର୍ଚ୍ଚ ସୁଦ୍ଧା ପିଲାଙ୍କ ପାଇଁ କୋଭିଡ୍‌ ଟିକା: ଆଦର ପୁନାୱାଲା

ଅକ୍ଟୋବରରେ ଆସିବ କୋଭୋଭାକ୍ସ

ନୂଆଦିଲ୍ଲୀ : ଭାରତରେ ଶିଶୁମାନଙ୍କ ପାଇଁ କୋଭିଡ୍‌ ଟିକା ୨୦୨୨ ପ୍ରଥମ ତ୍ରୟମାସରେ ଆସିଯିବ ବୋଲି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ)ର ସିଇଓ ଆଦର ପୁନାୱାଲା କହିଛନ୍ତି। ପୁନାୱାଲା ଟ୍ବିଟ୍‌ କରି କହିଛନ୍ତି ଯେ ତାଙ୍କ କମ୍ପାନି ଦ୍ବାରା ବୟସ୍କମାନଙ୍କ ପାଇଁ ଆଉ ଏକ କୋଭିଡ୍‌ ଟିକା ମଧ୍ୟ ଖୁବ୍‌ଶୀଘ୍ର ଉପଲବ୍ଧ ହେବ। ଚଳିତ ବର୍ଷ ଅକ୍ଟୋବରରେ ପ୍ରଥମେ ବଡ଼ଙ୍କ ପାଇଁ କୋଭୋଭାକ୍ସ ଟିକା ଆସିବ ଏବଂ ଏହାପରେ ୨୦୨୨ ପ୍ରଥୟ ତ୍ରୟମାସରେ ପିଲାଙ୍କ ପାଇଁ ଏହି ଟିକା ଉପଲବ୍ଧ ହେବ ବୋଲି ପୁନାୱାଲା କହିଛନ୍ତି। ନୋଭୋଭାକ୍ସ କମ୍ପାନି ସହିତ ଚୁକ୍ତି କରି ସିରମ୍‌ ଭାରତରେ କୋଭୋଭାକ୍ସ ଟିକା ପ୍ରସ୍ତୁତ କରୁଛି। କୋଭିଡ୍‌ ଟିକା ପ୍ରସ୍ତୁତି ଓ ବିତରଣ ନେଇ ସରକାରଙ୍କ ସହାୟତା ନିମନ୍ତେ ଧନ୍ୟବାଦ ଜଣାଇ ପୁନାୱାଲା କହିଛନ୍ତି ଯେ ଦେଶରେ ଟିକା ଚାହିଦା ପୂରଣ କରିବା ପାଇଁ କମ୍ପାନି ଅହରହ କାମ କରୁଛି ଏବଂ ଉତ୍ପାଦନ ବଢ଼ାଇବା ପାଇଁ ପ୍ରୟାସ ଜାରି ରଖିଛି। ପୁନାୱାଲା ଆଜି ସଂସଦରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟାଙ୍କୁ ଭେଟିଥିଲେ। କୋଭିସିଲ୍‌ଡ ଟିକାର ଉତ୍ପାଦନ ବୃଦ୍ଧି ‌ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ପୁନାୱାଲା ବିସ୍ତୃତ ଆଲୋଚନା କରିଥିଲେ। ସିରମ୍‌ର କୋଭିସିଲ୍‌ଡ ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଥିବା ବେଳେ ୩୦ରୁ ଅଧିକ ରାଷ୍ଟ୍ର ଏହାକୁ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର