କ୍ରୁଜ୍‌ ଡ୍ରଗ୍ସ ମାମଲା: ତଦନ୍ତରୁ ୱାଙ୍ଖଡ଼େଙ୍କୁ ହଟାଗଲା

ଓଡ଼ିଶା କ୍ୟାଡର୍‌ ଅଫିସର ସଞ୍ଜୟ ସିଂହଙ୍କୁ ତଦନ୍ତ ଭାର

ମୁମ୍ବାଇ : କ୍ରୁଜ୍‌ ଡ୍ରଗ୍ସ ମାମଲାର ତଦନ୍ତରୁ ଏନ୍‌ସିବିର ମୁମ୍ବାଇ ଜୋନାଲ୍‌ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ହଟାଇ ଦିଆଯାଇଛି। ମାମଲାର ତଦନ୍ତ ଭାର ଏନ୍‌ସିବିର ମୁମ୍ବାଇ ଜୋନ୍‌ରୁ କେନ୍ଦ୍ରୀୟ ଜୋନ୍‌କୁ ସ୍ଥାନାନ୍ତର କରାଯାଇଛି। ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକଙ୍କ ପୁଅ ସମୀର ଖାନ୍‌ଙ୍କ ସମେତ ମୋଟ୍‌ ୬ଟି ମାମଲାର ତଦନ୍ତଭାର ଏନ୍‌ସିବି ମୁମ୍ବାଇ ଜୋନ୍‌ରୁ କେନ୍ଦ୍ରୀୟ ଜୋନ୍‌କୁ ସ୍ଥାନାନ୍ତର କରାଯାଇଛି। ଏନ୍‌ସିବି ଅଫିସର ସଂଜୟ ସିଂହଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଆସନ୍ତାକାଲି ମୁମ୍ବାଇ ପହଞ୍ଚିବେ। ଆର୍ୟନ ଖାନ୍‌ ମାମଲା ସମେତ ୬ଟି ମାମଲାର ତଦନ୍ତ ଏହି ଟିମ୍‌ କରିବ। ସଂଜୟ ସିଂହ ହେଉଛନ୍ତି ୧୯୯୬ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଅଫିସର୍‌। ସମୀର ୱାଙ୍ଖଡେଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଜାରି ରହିଥିବାରୁ ତାଙ୍କୁ ଏହି ମାମଲାରୁସ୍ଥାନାନ୍ତର କରାଯାଇଛି। ତେବେ ୱାଙ୍ଖଡେ ଏନ୍‌ସିବିର ମୁମ୍ବାଇ ଆଞ୍ଚଳିକ ଅଧିକାରୀ ପଦରେ ରହିବେ ଏବଂ ଯାଞ୍ଚ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ତାଙ୍କ ସ୍ଥିତିରେ ପରିବର୍ତ୍ତନ ହେବନାହିଁ ବୋଲି କୁହାଯାଇଛି।

ଉକ୍ତ ଘଟଣାରେ ୱାଙ୍ଖଡେ କହିଛନ୍ତି, ତଦନ୍ତରୁ ତାଙ୍କୁ ବାହାର କରାଯାଇନି। ଘଟଣାର କେନ୍ଦ୍ରୀୟ ତଦନ୍ତ ପାଇଁ ସେ କୋର୍ଟରେ ରିଟ୍‌ ପିଟିସନ କରିଥିଲେ। ତେଣୁ ମାମଲାର ତଦନ୍ତ ଭାର କେନ୍ଦ୍ରୀୟ ଜୋନ୍‌କୁ ପଠାଯାଇଛି। ଆଗକୁ ଆର୍ୟନ ଖାନ୍‌ ଏବଂ ସମୀର ଖାନ୍‌ ମାମଲାର ତଦନ୍ତ ଦିଲ୍ଲୀ ଏନ୍‌ସିବିର ଏସ୍‌ଆଇଟି ଦ୍ବାରା ହେବ। ଏନ୍‌ସିବି ମୁମ୍ବାଇ ଏବଂ ଦିଲ୍ଲୀ ଟିମ୍‌ ମଧ୍ୟରେ ଏହା ଏକ ସମନ୍ବୟ ବୋଲି ୱାଙ୍ଖଡେ କହିଛନ୍ତି। ଅନ୍ୟପକ୍ଷେ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ କହିଛନ୍ତି, ଏହା ଆରମ୍ଭ ମାତ୍ର। ଆଗକୁ ଆହୁରି ଅନେକ କିଛି କରିବାର ଅଛି।

ସମ୍ବନ୍ଧିତ ଖବର