ଜୁନ୍ ୩ ତାରିଖ ସୁଦ୍ଧା ମୁମ୍ବାଇ ପାଖ ଦେଇ ଅତିକ୍ରମ କରିପାରେ ବାତ୍ୟା ନିସର୍ଗ: ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ: ସୋମବାର ସକାଳେ ଦକ୍ଷିଣପୂର୍ବ, ପୂର୍ବକେନ୍ଦ୍ରୀୟ ଆରବ ସାଗର ଓ ଲକ୍ଷାଦ୍ବୀପ ଅଞ୍ଚଳ ଉପରେ ଥିବା ଲଘୁଚାପ ଗଭୀର ଅବପାତ ପାଲଟିଥବା କଥା ଆଜି ଭାରତୀୟ ପାଣିପାଗ ବିଭାଗ କହିଛି। ବୁଧବାର ସୁଦ୍ଧା ଏହା ସାମୁଦ୍ରିକ ବାତ୍ୟା ‘ନିସର୍ଗ’ ପାଲଟି ମୁମ୍ବାଇ ପାଖ ଦେଇ ଅତିକ୍ରମ କରିବାର ସମ୍ଭାବନା ଅଛି।

ଭାରତୀୟ ପାଣିପାଗ କହିବା ଅନୁସାରେ, ପାଞ୍ଜାମର ଦକ୍ଷିଣ-ପଶ୍ଚିମକୁ ୩୭୦ କିଲୋମିଟର୍, ମୁମ୍ବାଇର ଦକ୍ଷିଣ-ଦକ୍ଷିଣ-ପଶ୍ଚିମକୁ ୬୯୦ କିଲୋମିଟର ଏବଂ ସୁରତର ଦକ୍ଷିଣ-ଦକ୍ଷିଣ-ପଶ୍ଚିମକୁ ୯୨୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଲଘୁଚାପ କେନ୍ଦ୍ରୀଭୂତ ହୋଇଛି। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ତୀବ୍ର ଅବପାତରେ ପରିଣତ ହୋଇ ଜୁନ୍ ୩ ତାରିଖ ସୁଦ୍ଧା ସାମୁଦ୍ରିକ ବାତ୍ୟା ‘ନିସର୍ଗ’ ପାଲଟିବ।

Image Courtesy of The Times of India

ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଥିବା ଗତିପଥ ଅନୁସାରେ, ବାତ୍ୟା ନିସର୍ଗ ସ୍ଥଳଭାଗରେ ପ୍ରବେଶ କରିବା ବେଳେ ମୁମ୍ବାଇ ଉପକୂଳର ଖୁବ୍ ନିକଟରେ ପ୍ରବାହିତ ହେବ। ମହାରାଷ୍ଟ୍ର ଏବଂ ଗୁଜରାଟରେ ପ୍ରାକ୍-ବାତ୍ୟା ସତର୍କତା ଜାରି କରାଯାଇଛି। ବୁଧବାର ଓ ଗୁରୁବାର ଦିନ ଏହି ଦୁଇ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ମଙ୍ଗଳବାର ସକାଳ ସୁଦ୍ଧା ବାତ୍ୟା ନିସର୍ଗ ଉତ୍ତର ଆଡ଼କୁ ଗତି କରିବା ପରେ ଉତ୍ତର-ଉତ୍ତରପୂର୍ବ ଆଡ଼କୁ ମୋଡ଼ ବଦଳାଇ ବୁଧବାର ସନ୍ଧ୍ୟା ସୁଦ୍ଧା ମହାରାଷ୍ଟ୍ରର ହରିହରେଶ୍ବର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦାମନ ମଧ୍ୟରେ ଉତ୍ତର ମହାରାଷ୍ଟ୍ର ଓ ଦକ୍ଷିଣଗୁଜରାଟ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ କହିଛି। ଏହି ସମୟରେ ଘଣ୍ଟାପ୍ରତି ବତାସର ବେଗ ୧୦୫ ରୁ ୧୧୫ ମଧ୍ୟରେ ରହିବ।

ସମ୍ବନ୍ଧିତ ଖବର