ଓଡ଼ିଶା ଉପରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଏବେ ସ୍ପଷ୍ଟ ହୋଇନାହିଁ: ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ: ବଙ୍ଗୋପସାଗର ଅନ୍ତର୍ଗତ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଆଖପାଖ ଅଞ୍ଚଳ ଉପରେ ଆଜି ଘୂର୍ଣ୍ଣିବଳୟ ସଙ୍ଘଠିତ ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁସାରେ, ଉକ୍ତ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଆଖପାଖ ଅଞ୍ଚଳ ଉପରେ ମେ ୬ ତାରିଖ ଆଡ଼କୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହି ଲଘୁଚାପ କ୍ଷେତ୍ର ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଅଛି। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା କ୍ରମଶଃ ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ।

Image Courtesy of Times Now

ଏହା ବାତ୍ୟା ପାଲଟିବ କି, ନାହିଁ ଏବଂ ଯଦି ବାତ୍ୟା ପାଲଟେ ତାହାର ତୀବ୍ରତା କେତେ ରହିବ, ଏବଂ ଓଡ଼ିଶା ଉପରେ ଏହାର କ’ଣ ପ୍ରଭାବ ରହିବ ସେସବୁ କଥା ଲଘୁଚାପ ସଂଘଠିତ ହେବା ପରେ ଯାଇ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

ଲଘୁଚାପ ହେତୁ ଦକ୍ଷିଣ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ମେ ୫ରୁ ୮ ତାରିଖ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ମେ ୪, ୫ ଓ ୬ ତାରିଖରେ ଘଣ୍ଟାପ୍ରତି ୬୦ କିଲୋମିଟର୍‌ ଝୁଙ୍କ ସହ ୪୦/୫୦ କିଲୋମିଟର ବେଗରେ ବତାସ ବହିବାର ସମ୍ଭାବନା ଥିବାରୁ ଆଣ୍ଡାମାନ ସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି।

ସେହିପରି, ମେ ୭ ତାରିଖ ଦିନ ଘଣ୍ଟାପ୍ରତି ୬୫ କିଲୋମିଟର୍‌ ଝୁଙ୍କ ସହ ୪୫/୫୫ କିଲୋମିଟର ବେଗରେ ବତାସ ବହିବାର ସମ୍ଭାବନା ଅଛି। ମେ ୮ ତାରିଖ ଦିନ ଉପରୋକ୍ତ ଅଞ୍ଚଳରେ ଘଣ୍ଟାପ୍ରତି ୭୫ କିଲୋମିଟର୍‌ ଝୁଙ୍କ ସହ ୫୫/୬୫ କିଲୋମିଟର ବେଗରେ ବତାସ ବହିପାରେ।

ସମ୍ବନ୍ଧିତ ଖବର